
ଧୀରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅଣ୍ଟା ସଳଖିବାରେ ଲାଗିଛି । ଭିନ୍ନ ଓ ମୌଳିକ କାହାଣୀ ନେଇ ଫିଲ୍ମ ଏବେ ନିର୍ମିତ ହେଉଥିବା ବେଳେ ଲୋକେ ମଧ୍ୟ ଓଡ଼ିଆ ଫିଲ୍ମକୁ ପସନ୍ଦ କରୁଛନ୍ତି ଏବଂ ଥିଏଟର ମୁହାଁ ହେଉଛନ୍ତି । ସେ ‘ଅନନ୍ତା’ ହେଉ କି ‘ବୋଉ ବୁଟୁ ଭୂତ’ ଫିଲ୍ମ କେବଳ ଲୋକଙ୍କ ମନ ଜିତିନି ବରଂ ଭଲ ରୋଜଗାର ମଧ୍ୟ କରିଛି । ଏହିପରି ଦଶହରା ଉତ୍ସବକୁ ମଧ୍ୟ ଦ୍ୱିଗୁଣିତ କରିବାକୁ ଅନୁଭବ ମହାନ୍ତିଙ୍କ ଫିଲ୍ମ ‘ଚାରିଧାମ’ ଓ ଅର୍ଦ୍ଧେନ୍ଦୁଙ୍କ ‘ଚ୍ୟାଲେଞ୍ଜ’ ରିଲିଜ ହୋଇଛି । ଉଭୟ ଫିଲ୍ମର କାହାଣୀ ଲୋକଙ୍କ ମନକୁ ଛୁଇଁଛି । ଏହିପରି ସମୟରେ ଓଡ଼ିଆ ଫିଲ୍ମକୁ ଥିଏଟରରେ ବାଦ ଦିଆଯାଇ ହିନ୍ଦୀ ଓ ତେଲୁଗୁ ଫିଲ୍ମକୁ ଗୁରୁତ୍ୱ ଦିଆଯାଉଥିବା ଅଭିଯୋଗ କରିଛନ୍ତି ସୁପରଷ୍ଟାର ଅନୁଭବ ମହାନ୍ତି । ଏନେଇ ଅଭିନେତା ସୋସିଆଲ ମିଡିଆ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏଥିପ୍ରତି ଦୃଷ୍ଟି ଦେବାକୁ ଅପିଲ୍ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କୁ ଏହା ଅପିଲ୍ କଲେ ଅନୁଭବଅନୁଭବ ମହାନ୍ତି ଏକ୍ସରେ ଏକ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅପିଲ୍ କରିଛନ୍ତି । ସେ ଲେଖିଛନ୍ତି, ‘ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୀ, ଦଶହରା ପବିତ୍ର ଅବସରରେ ଓଡ଼ିଆ ସିନେମା ତା’ର ସବୁଠାରୁ କଳା ଦିନର ସମ୍ମୁଖୀନ ହୋଇଥିଲା । ଅନ୍ୟାନ୍ୟ ଆଞ୍ଚଳିକ ଏବଂ ହିନ୍ଦୀ ଚଳଚ୍ଚିତ୍ର ପାଇଁ ଥିଏଟରରୁ ହାଉସଫୁଲ୍ ଓଡ଼ିଆ ଚଳଚ୍ଚିତ୍ର ଗୁଡ଼ିକୁ ହଟାଇ ଦିଆଯାଇଥିଲା । ଏହା ଓଡ଼ିଶାର ନିଜସ୍ୱ କଳା, ସଂସ୍କୃତି ଏବଂ ଲୋକଙ୍କ ପ୍ରତି ଘୋର ଅନ୍ୟାୟ । ଆମେ ଆପଣଙ୍କୁ ବିନମ୍ରତାର ସହ ନିବେଦନ କରୁଛୁ ଯେ ଓଡ଼ିଆ ସିନେମା ପରିବାର ସହିତ ଠିଆ ହୁଅନ୍ତୁ ଏବଂ ନିଶ୍ଚିତ କରନ୍ତୁ ଯେ ଆମର ଚଳଚ୍ଚିତ୍ରଗୁଡ଼ିକ ଓଡ଼ିଶାର ଥିଏଟରରେ ସେମାନଙ୍କର ଯଥାର୍ଥ ସମ୍ମାନ ଏବଂ ସମାନ ସ୍ଥାନ ପାଆନ୍ତି ।’