ଗଜପତିରେ ବର୍ଷା ବିତ୍ପାତ: ଫୁଲୁଛି ବଂଶଧାରା, କିଛି ସ୍ଥାନରେ ଭୂ-ସ୍ଖଳନ, ଗ୍ରାଉଣ୍ଡରେ ମନ୍ତ୍ରୀ

ଗଜପତି: ଗଜପତିରେ ପ୍ରକୃତିର କରାଳ ରୂପ । ଲଗାଣ ବର୍ଷା ଗଜପତି ଜିଲ୍ଲା ପାଇଁ ଦୁଃଖ ଆଣିଦେଇଛି । ପ୍ରବଳ ବର୍ଷା କାରଣରୁ ଜିଲ୍ଲାର ଅନେକ ସ୍ଥାନରେ ଭୂ-ସ୍ଖଳନ ହୋଇଛି । ମାଟି ଅତଡା ଖସି କେଉଁଠି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ଆଉ କେଉଁଠି ଜନବସତି ଆଡକୁ ମାଡି ଆସିଛି ପାଣି । ଭୂ-ସ୍ଖଳନ ଯୋଗୁଁ ବାପା ଓ ପୁଅ ନିଖୋଜ ହୋଇଯାଇଛନ୍ତି । ଚାରିଆଡେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅନ୍ୟପଟେ ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପହଞ୍ଚି ସ୍ଥିତି ତଦାରକ କରିଛନ୍ତି

ପ୍ରତିବର୍ଷ ଅକ୍ଟୋବର ମାସରେ ଦେଖାଦେଇଥିବା ଲଘୁଚାପ ଜନିତ ବର୍ଷା ଯୋଗୁଁ ଗଜପତି ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହେଉଥିବା ବେଳେ ଚଳିତ ବର୍ଷ ମଧ୍ୟ ସେହି ସମାନ ସ୍ଥିତି ଦେଖାଦେଇଛି । ଗତକାଲିର ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଜପତି ଜିଲ୍ଲାର ସ୍ଥିତି ସଂପୂର୍ଣ୍ଣ ବେହାଲ ହୋଇପଡିଛି । ଗୁରୁବାର ସକାଳ 9ଟାରୁ ଅପରାହ୍ନ 2ଟା ମଧ୍ୟରେ ଜିଲ୍ଲାରେ 1375ମିମି ବର୍ଷା ରେକର୍ଡ କରାଯାଇଛି । ତେଣୁ ଏଭଳି ଅସ୍ବାଭାବିକ ବର୍ଷା ଯୋଗୁଁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବିଭିନନ୍ନ ସ୍ଥାନରେ ଭୂସ୍ଖଳନ ମଧ୍ୟ ହୋଇଛି । ଗଜପତି ଜିଲ୍ଲାର 4ଟି ସ୍ଥାନରେ ଭୂ-ସ୍ଖଳନ ହୋଇଛି । ଫଳରେ ରାସ୍ତାଘାଟ ସବୁଠି ମାଟି ଆଉ ମାଟି । ଭୂସ୍ଖଳନ ଯୋଗୁଁ ରାୟଗଡ ଠାରୁ ନୂଆଗଡ ଓ ରା.ଉଦୟଗିରି ବ୍ଲକ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ସହ ଆଉ କିଛି ସ୍ଥାନରେ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ବାପା ଓ ପୁଅ ନିଖୋଜ:ଗତକାଲି ପ୍ରବଳ ବର୍ଷା କାରଣରୁ ଗଜପତି ଜିଲ୍ଲା ରାୟଗଡ ବ୍ଲକ ପେକଟ ନିକଟରେ ବାମରା ପାହାଡରୁ ଭୂସ୍ଖଳନ ହୋଇଥିଲା । ଫଳରେ ପେକଟ ଗାଁର କାର୍ତ୍ତିକ ଶବର(୭୦) ଓ ତାଙ୍କ ପୁଅ ରାଜିକ ଶବର ନିଖୋଜ ହୋଇଯାଇଛନ୍ତି । ଏମାନେ ମାଟି ତଳେ ଚାପି ରହିଥିବା ସନ୍ଦେହ କରୁଛନ୍ତି ଗାଁ ଲୋକେ । କାର୍ତ୍ତିକ ଓ ରାଜିକ ନିଜ ଜମିରେ କାମ କରୁଥିବା ବେଳେ ଅଚାନକ ପ୍ରବଳ ବର୍ଷା ହୋଇଥିଲା । ଫଳରେ ନାଳରେ ପ୍ରଖର‌ ସ୍ରୋତରେ ପାଣି ଆସିବା ସହ ପାହାଡ ରହିଯାଇଥିଲା । ତେଣୁ ଏହି ବାପପୁଅ ଦୁଇ ଜଣ ମାଟି ତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ଅଗ୍ନିଶମ କର୍ମଚାରୀ ଏବଂ ସନ୍ଧାନୀ କୁକୁର ସହାୟତାରେ ସେମାନଙ୍କୁ ଖୋଜିବା ପାଇଁ ପ୍ରୟାସ ଜାରି ରହିଛି । ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ପକ୍ଷରୁ 3ଟି ଟିମ କରାଯାଇ ନିଖୋଜ ବାପ ପୁଅଙ୍କୁ ଖୋଜା ଚାଲିଛି ।

ଜଣଙ୍କ ମୃତ୍ୟୁ:ସେହିପରି ଗତକାଲି ଗାଈ ଚରାଇବାକୁ ଯାଇଥିବା ବେଳେ ପଥରରେ ଚାପି ହୋଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଆର. ଉଦୟଗିରି ଥାନା ବସ୍ତ୍ରିଗୁଡା ଗାଁର 57 ବର୍ଷୀୟ ତ୍ରିନାଥ ନାୟକ । ଅଗ୍ନିଶମ ବାହିନୀ ତାଙ୍କ ମୃତଦେହ ଗତକାଲି ଉଦ୍ଧାର କରିଛି ।ଏହି ସ୍ଥାନରେ ଭୂ-ସ୍ଖଳନ:ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଜପତି ଜିଲ୍ଲାର ସ୍ଥିତି ବେହାଲ ହୋଇପଡ଼ିଛି । ଜିଲ୍ଲାର ବସ୍ତ୍ରିଗୁଡା, ପେକଟ, ମହେନ୍ଦ୍ରଗିରି, ଅଢେ଼ଇ ଆଦି ସ୍ଥାନରେ ଭୂସ୍ଖଳନ ହୋଇଛି । ଏଥିସହ ବିଭିନ୍ନ ଜନବସତିରେ ବନ୍ୟା ଜଳ ପ୍ରବେଶ କରିଛି । ଭୂସ୍ଖଳନ ଯୋଗୁଁ ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ନିଖୋଜ ରହିଛନ୍ତି ।

ବସ୍ତ୍ରିଗୁଡାପେକଟମହେନ୍ଦ୍ରଗିରିଅଢେଇମହେନ୍ଦ୍ରଗିରିରେ ଫସି ରହିଥିବା 24 ପର୍ଯ୍ୟଟକ ଉଦ୍ଧାର:ଦଶହରା ପାଇଁ ଗଜପତିର ମହେନ୍ଦ୍ରଗିରି ଅଞ୍ଚଳକୁ ବୁଲିବାକୁ ଆସିଥିବା 24 ପର୍ଯ୍ୟଟକ ଫସି ଯାଇଥିଲେ । ସେମାନଙ୍କୁ ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ ଉଦ୍ଧାର କରାଯାଇଛି । ପର୍ଯ୍ୟଟକ ସମସ୍ତେ କଟକ ଓ ଭୁବନେଶ୍ବର ଅଞ୍ଚଳର । ଗତକାଲି ସେମାନେ ମହେନ୍ଦ୍ରଗିରି ଫସିଯାଇଥିଲେ । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ସୁରକ୍ଷିତ ଭାବେ ନିଜ ଗନ୍ତବ୍ୟସ୍ଥଳକୁ ପଠାଇ ଦିଆଯାଇଛି ।

କାନ୍ଥପଡି 3 ଗୁରୁତର ଆହତ:ସେହିପରି ବାଲିଗଡ ଠାରେ ଘରର କାନ୍ଥ ପଡି ଗୋଟିଏ ପରିବାରର 3ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । କେବଳ ଏତିକି ନୁହେଁ, ଗୁମ୍ମା, ନୂଆଗଡ ବ୍ଲକରେ ମଧ୍ୟ ସ୍ଥିତି ଗମ୍ଭୀର । କେଉଁଠି ଭୂସ୍ଖଳନ ତ ଆଉ କେଉଁଠି ବନ୍ୟା ଜଳ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି । ପ୍ରଶାସନ ସବୁ ସ୍ଥାନକୁ ସଫା କରି ଯାତାୟତ ସ୍ବାଭାବିକ କରିବା ପାଇଁ ପ୍ରୟାସ କରୁଥିବା ଅନୁପ କୁମାର ପଣ୍ଡା ଉପଜିଲ୍ଲାପାଳ କହିଛନ୍ତି ।

ଫୁଲୁଛି ବଂଶଧାରା ନଦୀ:ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବଂଶଧାରା ନଦୀ ଫୁଲିବାରେ ଲାଗିଛି । କାଶୀନଗର ଠାରେ ବଂଶଧାରା ବର୍ତ୍ତମାନ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଏଠାରେ ବିପଦ ସଂକେତ ୫୪.୬୦ ମିଟର ରହିଥିବା ବେଳେ ବର୍ତମାନ ନଦୀର ଜଳସ୍ତର ୫୫ ମିଟର ରହିଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବା ଯୋଗୁଁ ଜଳସ୍ତର ଆହୁରି ବୃଦ୍ଧି ପାଇବା ଆଶଙ୍କା ପ୍ରକାଶ ପାଇଛି । ଫଳରେ ନଦୀ ତଟବର୍ତ୍ତୀ ଗାଁ ଲୋକେ ବିଶେଷ କରି କାଶୀନଗର ସମେତ ସା, ବାଡିଗାଁ, ଖାଣ୍ଡବା, ବୁଦୁରି ଆଦି ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ତେବେ କାଶୀନଗର ଠାରେ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି।କାଶୀନଗର ଠାରେ ବଂଶଧାରା ବିପଦ ସଂକେତ ଉପରେ ପ୍ରବାହିତବିପଦ ସଂକେତ ୫୪.୬୦ ଥିବା ବେଳେ ବର୍ତ୍ତମାନ ଜଳସ୍ତର ୫୫ମିଟରଜଳସ୍ତର ଆହୁରି ବୃଦ୍ଧି ଆଶଙ୍କାନଦୀ ତଟବର୍ତ୍ତୀ ଗାଁ ଲୋକେ ଆତଙ୍କିତଗ୍ରାଉଣ୍ଡରେ ସ୍ଥିତି ପରଖିଲେ ରାଜ୍ୟ ଖଣି ଓ ପରିବହନ ମନ୍ତ୍ରୀ:ସେପଟେ ସ୍ଥିତିକୁ ଦୃଷ୍ଟିରେ ରଖି ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲାପାଳଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ଏହାସହ ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗଜପତି ଜିଲ୍ଲା ଗସ୍ତ ସ୍ଥିତି ପରଖିବା ସହ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ନିଖୋଜ ହୋଇଥିବା ବାପା ଓ ପୁଅଙ୍କ ପରିବାରକୁ ଭେଟି ଆଲୋଚନା କରିଛନ୍ତି ।

ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ:ବର୍ଷା ବିତ୍ପାତ ଆଣିବା ପରେ ଅଞ୍ଚଳରେ ଜୋରଦାର ଚାଲିଛି ଉଦ୍ଧାର କାର୍ଯ୍ୟ । ଅଗ୍ନିଶମ ପାଇଁ ଉଦ୍ଧାର କାର୍ଯ୍ୟ ପ୍ରକ୍ରିୟାକୁ ଜୋରଦାର କରୁଛି । ମହେନ୍ଦ୍ର ଗିରିରେ ପାହାଡ ଧସିବା କାରଣରୁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ସେପଟେ ଜେସିବି ସାହାଯ୍ୟରେ ମାଟି ସଫା କରାଯାଉଛି ।କଣ କହିଲେ ପ୍ରତ୍ୟକ୍ଷଦର୍ଶୀ ?ପ୍ରତ୍ୟକ୍ଷଦର୍ଶୀ ଲାବଣ୍ୟ ରାଇକା କହିଛନ୍ତି, ‘ଗତକାଲି ଆମେ ଗାଈ ଚରାଉଥିଲୁ । ଅନାଚକ ପାଣି ଆସିଲା । ବାପା ପୁଅ ଛିଡା ହୋଇଥିବା ବେଳେ ପାଣି ଭସାଇ ନେଇଥିଲା । ଦୁଇ ଜଣ ଭିତରେ ଫସି ରହିଥିଲେ ।’ନିଖୋଜ କାର୍ତ୍ତିକଙ୍କ ବୋହୂ କହିଛନ୍ତି, ‘ବିଲକୁ କାମ କରିବାକୁ ଯାଇଥିଲା ପାଣି ଆସିବାରୁ ଭାସି ଗଲେ । ଶଶ୍ବୁର ଓ ଦିଅର ଦୁହେଁ ଭାସିଗଲେ ।’

ଉଦ୍ଧାର କାର୍ଯ୍ୟ ଜାରି, ନିୟୋଜିତ ହେବ ବଡ଼ ମେସିନ୍‌:ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, ‘ଏହି ସ୍ଥାନରେ ଭୂ-ସ୍ଖଳନ ହୋଇଛି । ପ୍ରବଳ ବର୍ଷା ପାଇଁ ନଦୀର ମୋଡ ବି ବଦଳି ଯାଇଛି । ପ୍ରବଳ ପରିମାଣରେ ଭୂ-ସ୍ଖଳନ ହୋଇଛି । କାର୍ତ୍ତିକ ଓ ତାଙ୍କ ପୁଅ ନିଖୋଜ ଅଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସକାଳୁ ଆହୁରି ବଢାଇ ଦିଆଯାଇଛି । ସମସ୍ତେ ଏଠାରେ ଉପସ୍ଥିତ ରହିଛନ୍ତି । ବଡ଼ ମେସିନ ଅଣାଯାଇ ଆହୁରି ବ୍ୟାପକ କରାଯିବ ଉଦ୍ଧାର କାର୍ଯ୍ୟ । ବଡ ବଡ ପଥର ରାସ୍ତାରେ ପଡିଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏହି ରାସ୍ତା ଦେଇ ରାମନଗରକୁ ଯାତାୟତ ହୁଏ ।’