
ଅହମଦାବାଦ: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ଦ୍ବିତୀୟ ଦିନ ସୁଦ୍ଧା ୫ ୱିକେଟ ହରାଇ ୪୪୮ ରନ କରିଛି । ଭାରତ ୱେଷ୍ଟଇଣ୍ଡିଜ ବିପକ୍ଷରେ ୨୮୬ ରନ ଆଗୁଆ ରହିଛି । କେଏଲ ରାହୁଲ, ରବିନ୍ଦ୍ର ଜାଡେଜା ଏବଂ ଧ୍ରୁବ ଜୁରେଲଙ୍କ ଶତକ ବଳରେ ଭାରତ ୪୪୮ ରନ୍ କରିପାରିଛି ।ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ମଜବୁତ୍ ସ୍ଥିତିରେ ରହିଛି ଭାରତ । ଓପନର କେଏଲ ରାହୁଲ ଦ୍ବିତୀୟ ଦିନରେ ଶତକ ହାସଲ କରିଛନ୍ତି । ୯ ବର୍ଷ ପରେ ଘରୋଇ ଗ୍ରାଉଣ୍ଡରେ ସେଞ୍ଚୁରୀ ହାସଲ କରିଛନ୍ତି କେଏଲ ରାହୁଲ । ଏହା ତାଙ୍କର ୧୧ତମ ଟେଷ୍ଟ ଶତକ । ୧୯୨ ବଲ୍ରେ ଅପରାଜିତ ଶତକ ମାରିଛନ୍ତି । ଏହା ସହିତ ସେ ଓପନର ଭାବରେ ସର୍ବାଧିକ ଶତକ ହାସଲ କରି ରୋହିତ ଶର୍ମା ଏବଂ ଗୌତମ ଗମ୍ଭୀରଙ୍କୁ ପଛରେ ପକାଇଛନ୍ତି । ରୋହିତ ଓ ଗମ୍ଭୀର ତାଙ୍କ ଟେଷ୍ଟ କ୍ୟାରିୟରରେ ଇନିଂସ ଓପନିଂ କରି ୯-୯ ଶତକ ହାସଲ କରିଛନ୍ତି ।ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨ ୱିକେଟ ହରାଇ ୧୨୧ ରନ୍ କରିଥିଲା । ଆଜି ଦ୍ବିତୀୟ ଦିନରେ ୧୨୧ରନ୍ରୁ ଖେଳ ଆରମ୍ଭ କରିଥିଲା । ଏହାପରେ ରାହୁଲଙ୍କ ସାଥ ଦେବାକୁ ଆସିଥିଲେ ଶୁବମନ ଗିଲ୍ । ଗିଲ୍ ୧୦୦ ବଲରେ ୫୦ ରନ୍ କରି ଆଉଟ୍ ହୋଇଥିଲେ । ଧ୍ରୁବ ଜୁରେଲଙ୍କ ୧୨୫ ରନ ଏବଂ ରବିନ୍ଦ୍ର ଜାଡେଜାଙ୍କ ୧୦୪ ରନ ବଳରେ ଟିମ୍ ଏବେ ଦୃଢ ସ୍ଥିତିରେ ପହଞ୍ଚିଛି । ଦ୍ବିତୀୟ ଦିନ ଖେଳ ସୁଦ୍ଧା କ୍ରିଜରେ ରବିନ୍ଦ୍ର ଜାଡେଜା ଏବଂ ୱାଂଶିଟନ ସୁନ୍ଦର ଅପରାଜିତ ରହିଛନ୍ତି ।