ପିଶାଚ ପାଲଟିଲା ଡ୍ରାଇଭର: ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ରାସ୍ତା କଡ଼ରୁ ନେଲା ଉଠାଇ

ଭଦ୍ରକ: ପିଶାଚ ପାଲଟିଲା ଡ୍ରାଇଭର । ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ବି ଛାଡିଲାନି । ବର୍ଷା ଓ ଅନ୍ଧାର ରାତିର ସୁଯୋଗ ନେଇ ଜୋରଜବରଦସ୍ତ ରାସ୍ତା କଡ଼ରୁ ଉଠାଇ ନେଲା । ମହିଳାଙ୍କ ଅର୍ତ୍ତ ଚିତ୍କାର ବି ଶୁଣିଲାନି । ଅନ୍ଧାର ରାତିର ଅନ୍ଧକାରରେ ମିଳେଇଗଲା କରୁଣ ସ୍ବର । ସିସିଟିଭିରେ କଏଦ ହୋଇଛି ଏହି ଛାତିଥରା ଦୃଶ୍ୟ। ଏହିଭଳି ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଚରମ୍ପା ୧୬ ନମ୍ବର ଜାତୀୟ ରାଜପଥ ଚରମ୍ପା ଫାଣ୍ଡି ଛକ ନିକଟରେ ।ପ୍ରବଳ ବର୍ଷାରୁ ରକ୍ଷା ପାଇବା ପାଇଁ ମହିଳା ଜଣକ ଗତକାଲି ବିଳମ୍ବିତ ରାତିରେ ଏକ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଥିଲେଷ ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଏକ ଟ୍ରକକ ଡ୍ରାଇଭର ମହିଳାଙ୍କୁ ଦେଖି ଗାଡି ଅଟକାଇଥିଲେ । ପରେ ତାଙ୍କ ନିକଟକୁ ଆସି ଜୋର ଜବରଦସ୍ତ ଉଠାଇ ନେଇ ଗାଡି ଭିତରେ ପୁରାଇ କେଉଁ ଆଡ଼େ ପଳାଇଯାଇଥିଲେ । ପୁରା ଘଟଣା ସିସିଟିଭିରେ କଏଦ ହୋଇଛି । ଏହି ଘଟଣା ଜଣା ପଡିବା ପରେ ଭଦ୍ରକରେ ଚହଳ ସୃଷ୍ଟି ହୋଇଛି । ପୋଲିସ ବିଭିନ୍ନ ସ୍ଥାନରେ ଛାନଭିନ କରିବା ସହିତ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ।