ବାପା ମା’ ଦୋଷୀ, କମ୍ପାନୀ ନୁହେଁ, ସିରପ୍ ତିଆରି କରୁଥିବା କମ୍ପାନୀକୁ ମିଳିଲା କ୍ଲିନଚିଟ୍

ରାଜସ୍ଥାନ : ରାଜସ୍ଥାନ କଫ ସିରଫ୍ ମାମଲାର ଯାଞ୍ଚ କରି ସରକାର ଔଷଧ କମ୍ପାନୀ କେସନସ ଫାର୍ମାକୁ କ୍ଲିନ୍ ଚିଟ୍ ଦେଇଛନ୍ତି । ନକଲି ଔଷଧ ତିଆରି କରୁଥିବା ଧରାପଡ଼ିଥିବା କମ୍ପାନୀଗୁଡ଼ିକୁ ସୁରକ୍ଷା ଦେଇଥିବା ଅଧିକାରୀମାନଙ୍କୁ ନିଲମ୍ବିତ କରାଯାଇଛି । ସେମାନଙ୍କ ବିରୁଦ୍ଧରେ ନକଲି ଔଷଧ ପ୍ରସ୍ତୁତରେ ସମ୍ପୃକ୍ତ କମ୍ପାନୀଗୁଡ଼ିକ ସମ୍ପର୍କରେ ଲୋକସଭା ଏବଂ ନୀତି ଆୟୋଗରେ ଭୁଲ ତଥ୍ୟ ଦାଖଲ କରିବାର ଅଭିଯୋଗ ମଧ୍ୟ ରହିଛି ।ରାଜସ୍ଥାନର ଅନେକ ଅଞ୍ଚଳରେ କାଶ ଚିକିତ୍ସା ପାଇଁ ଡେକ୍ସଟ୍ରୋମେଥୋରଫାନ୍ ହାଇଡ୍ରୋବ୍ରୋମାଇଡ୍ ସିରପ୍ ଖାଇବା ପରେ କିଛି ପିଲା ଅସୁସ୍ଥ ହୋଇପଡ଼ିଥିଲେ, ଯାହା ଫଳରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏଥିରେ ଗୋଟିଏ ଝିଅର ମୃତ୍ୟୁ ମଧ୍ୟ ହୋଇଥିଲା । ଏହା ପରେ ଏହି ଔଷଧର ଯୋଗାଣକୁ ନିଷେଧ କରାଯାଇଥିଲା ଏବଂ ନମୁନାଗୁଡ଼ିକୁ ତୁରନ୍ତ ପରୀକ୍ଷା ପାଇଁ ପଠାଯାଇଥିଲା ।ରାଜସ୍ଥାନ ସ୍ୱାସ୍ଥ୍ୟମନ୍ତ୍ରୀ ଗଜେନ୍ଦ୍ର ସିଂହ ଖିନଭସାର କହିଛନ୍ତି, “ମା’ମାନେ ସେମାନଙ୍କ ପିଲାମାନଙ୍କୁ ଯେଉଁ ଔଷଧ ଦେଇଥିଲେ ତାହା ଆମର ସରକାରୀ ହସ୍ପିଟାଲ ଦ୍ୱାରା ଲିଖିତ ହୋଇନଥିଲା, କିମ୍ବା ଆମେ ଏପରି ଔଷଧ ସୁପାରିଶ କରିନଥିଲୁ । ଏବେ ଯଦି ଜଣେ ପିତାମାତା କିମ୍ବା ଅଭିଭାବକ ଅନ୍ୟ କୌଣସି ସ୍ଥାନରୁ ଔଷଧ ଆଣି ଡାକ୍ତରଙ୍କ ପରାମର୍ଶ ବିନା ସେମାନଙ୍କ ପିଲାମାନଙ୍କୁ ଦିଅନ୍ତି, ଏବଂ ଏପରି ସମସ୍ୟା ଉପୁଜେ, ତେବେ ଏଥିରେ ବିଭାଗର କୌଣସି ଭୂମିକା ନାହିଁ ।”ସେ ଆହୁରି କହିଛନ୍ତି, ଆମେ ଦେଉଥିବା କରିଥିବା ଔଷଧଗୁଡ଼ିକୁ ଆମେ ପୂର୍ବରୁ ପରୀକ୍ଷା କରିସାରିଛୁ ଏବଂ ଏଥିରେ କୌଣସି ଅନିୟମିତତା ନାହିଁ ।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧିନରେ ଥିବା ଡିଜିଏଚଏସ୍ କହିଛି, ସାଧାରଣତଃ ୫ ବର୍ଷରୁ କମ ବୟସର ଶିଶୁଙ୍କୁ କଫ୍ ସିରପ୍ ସେବନ ପାଇଁ ସୁପାରିଶ କରାଯାଏ ନାହିଁ । କେବଳ ବୟସ୍କ ଓ ବୃଦ୍ଧବୃଦ୍ଧାଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ କଫ୍ ସିରପ୍ ଦିଆଯାଇଥାଏ । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ସରକାର ଜାରି କରିଥିବା ଉପଦେଶାବଳୀ କୁହାଯାଇଛି ଯେ, ପିଲାମାନଙ୍କ କାଶ ବିନା ଔଷଧ ଠିକ ହୋଇଯାଏ ।