
ଭଞ୍ଜନଗର, ୦୫/୧୦.(ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ସହରରେ ଚଳିତ ବର୍ଷ ଦୁର୍ଗାପୂଜା ବେଶ ଧୁମଧାମରେ ପାଳନ କରାଯାଉଛି।ହେଲେ ଲଘୁଚାପଜନିତ ଅଦିନିଆ ବର୍ଷା ଯୋଗୁଁ ବିଜୟା ଦଶମୀ ଫିକା ପଡ଼ିଥିବା ବେଳେ ପୂଜା ମଣ୍ଡପ ଗୁଡ଼ିକରେ ମଧ୍ୟ ବିଶେଷ ଭିଡ଼ ଜମି ନଥିଲା।ବହୁ ଭକ୍ତ ମା’ଙ୍କର ଦର୍ଶନରୁ ବଞ୍ଚିତ ହୋଇ ନିରାଶ ହୋଇଥିଲେ।ହେଲେ ଭଞ୍ଜନଗର ସହରରେ ରବିବାର ସନ୍ଧ୍ୟାରେ ଭଷାଣି ଉତ୍ସବ ଅନୁଷ୍ଠିତ ହେଉଥିବାରୁ ବହୁ ଲୋକ ଏହି ପୂଜାରେ ମଜା ଉଠାଇବାର ସୁଯୋଗ ପାଇଛନ୍ତି।ବିଶେଷ କରି ଶୁକ୍ରବାର ପାଗ ପରିଷ୍କାର ଥିବାରୁ ପୂଜା ମଣ୍ଡପ ଗୁଡ଼ିକରେ ସନ୍ଧ୍ୟା ଆଳତୀ ସମୟରେ ବହୁ ଲୋକଙ୍କ ସମାଗମ ହୋଇଥିଲା।ସେହିପରି ବହୁ ପୁରାତନ ଭଞ୍ଜ ସାହିତ୍ୟ ପରିଷଦ ଠାରେ ଚଳିତ ବର୍ଷ ୭୯ତମ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଭଞ୍ଜନଗର ସହରର ଅଗ୍ରଣୀ ନୃତ୍ୟାନୁଷ୍ଠାନ ୟୁନିକ୍ ଡ୍ୟାନ୍ସ ଏକାଡେମୀ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଏଥିରେ ଅନୁଷ୍ଠାନର ସବ୍ -ଜୁନିଅର ଠାରୁ ସିନିଅର ଛାତ୍ରଛାତ୍ରୀମାନେ ଦୁର୍ଗା ବନ୍ଦନା, ଓଡ଼ିଆ,ସମ୍ବଲପୁରୀ, ହିନ୍ଦୀ, ତେଲୁଗୁ, ମରାଠୀ ଗୀତରେ ଚିତାକର୍ଷକ ନୃତ୍ୟ ପ୍ରଦର୍ଶନ କରିଥିଲେ।ନୃତ୍ୟ ଶିଳ୍ପୀଙ୍କ ତାଳେ ତାଳେ ଉପସ୍ଥିତ ଦର୍ଶକ ମଧ୍ୟ ଝୁମି ଉଠିଥିଲେ।ଏଥିସହ ଲୋକପ୍ରିୟ କମେଡ଼ିଆନ ଦୀପକଙ୍କ କମେଡ଼ିର ସମସ୍ତେ ଭରପୁର ମଜା ନେଇଥିଲେ।ଏହି କାର୍ଯ୍ୟକ୍ରମ ଦେଖିବା ପାଇଁ ଦର୍ଶକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।ଏଥିରେ ଅନୁଷ୍ଠାନର ମୁଖ୍ୟ ଜେ. କେ ପଟ୍ଟନାୟକ, ମାଷ୍ଟର ପିଣ୍ଟୁ ଓ ପ୍ରମୋଦଙ୍କ ସମେତ ପୂଜା କମିଟିର ସଦସ୍ୟ ମାନେ ସହଯୋଗ କରିଥିଲେ।