
ଭଞ୍ଜନଗର ୦୫/୧୦ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଆଧୁନିକତାର ଛାପରେ ଆଉ ଶୁଭୁ ନାହିଁ ମୃଦଙ୍ଗର ସେହି ସୁମଧୁର ଶବ୍ଦ। ଏବେ କେବଳ କାର୍ତିକ ମାସ ଆସିଲେ ଶୁଭାଯାଉଛି ମୃଦଙ୍ଗର ଶବ୍ଦ । ଯାହାକି ଆଗରୁ ସବୁ ଗାଁ ଗହଳି, ସାହି ଓ ବସ୍ତି ସବୁଠାରେ ଶୁଣିବାକୁ ମିଳୁଥିଲା । ଛୋଟ ବେଳୁ ହିଁ ପିଲାମାନେ ମୃଦଙ୍ଗ ଶିକ୍ଷା ଲାଭ କରୁଥିଲେ । ସବୁ ଗାଁରେ, ଏହି ଶିକ୍ଷା ଦେବାପାଇଁ ଗୁରୁମାନେ ମଧ୍ୟ ରହିଥିଲେ।
ସକାଳ, ସନ୍ଧ୍ୟା ହେଲେ ରାମନାମ ସଂକୀର୍ତ୍ତନରୁ ଭାଗବତ ପାରାୟଣ ମଧ୍ୟ ଶୁଣାଯାଉଥିଲା । ସବୁ ଛୋଟବଡ଼ ମନ୍ଦିର ମଠ ଓ ଟୁଙ୍ଗୀ ଗୁଡିକରେ ରହିଥିଲେ ଗୋଟିଏ ଲେଖାଏଁ କିର୍ତ୍ତନିଆ ଦଳ। ହେଲେ ଆଧୁନିକତାର ଛାପରେ ମୋବାଇଲ ଓ ଟିଭି ଦୁନିଆରେ ଏହି ମୃଦଙ୍ଗର ମଧୁରତାକୁ ସମସ୍ତେ ଭୁଲି ଗଲେଣି । ମଠ ମନ୍ଦିରରେ ବୈଦ୍ୟୁତିକ କୀର୍ତ୍ତନ ମେସିନ୍ ଆସିଗଲାଣି । ବିଶେଷକରି କାର୍ତ୍ତିକ ଆସିଲେ ସକାଳୁ ସନ୍ଧ୍ୟାଯାଏଁ ଚାରିଆଡ଼େ ନାମ ସଂକୀର୍ତ୍ତନ ଶୁଣା ଯଉଥିଲା । ଏସବୁ ଏବେ ଆଉ ଦେଖାଯାଉନି ।
ଲୋକକଳା,ଲୋକସଂସ୍କୃଚି ଓ ଲୋକ ବାଦ୍ୟକୁ ବଞ୍ଚାଇ ରଖିବା ପାଇଁ ସରକାରୀ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ କଳାକାରମାନଙ୍କୁ ପ୍ରୋତ୍ସାହିତ କରାଯାଉଛି। ଏହା ସହ ସେମାନଙ୍କୁ ମାସିକ ଭତ୍ତା ପ୍ରଦାନ କରାଯାଉଛି । ହେଲେ ଏଥିପାଇଁ ଯେଉଁ ବାଦ୍ୟ ଦରକାର ସେ ବାଦ୍ୟର କାରିଗର ମାନେ ଏବେ ଅବହେଳିଚ । ଦିନକୁ ଦିନ ବିଭିନ୍ନ ବାଦ୍ୟର ଚାହିଦା ବଢ଼ୁଥିବା ବେଳେ ସରକାରୀ ପ୍ରୋତ୍ସାହନ ଅଭାବରୁ ବାଦ୍ୟ କାରିଗରଙ୍କ କୌଳିକ ବୃତ୍ତି ଏବେ ଲୋପ ପାଇବାକୁ ବସିଛି। ହେଲେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡର ସାନସାଦରା, ଭେଜିପୁଟ ଓ ଚୋପରା ଗ୍ରାମର କିଛି ବାଦ୍ୟ କାରିଗର ସଳ୍ପ ପାରିଶ୍ରମିକରେ ମଧ୍ୟ ଏଇ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି।
ବିବାହ ହେଉ କି ଶୋଭାଯାତ୍ରା, ନାମ ସଂକିର୍ତ୍ତନ ହେଉ କି ଲୋକକଳା । ଭାରତ ଲୀଳା ଠାରୁ ପ୍ରହଲ୍ଲାଦ ନାଟକ, କୃଷ୍ଣଲୀଳା, ରାମଲୀଳା ଓ କଣ୍ଢେଇ ନାଚ ସମେଚ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଢୋଲ, ନିଶାନ, ମୃଦଙ୍ଗ, ନଦିଆ, ତବଲା ଓ ମର୍ଦଳ ପରି ବିଭିନ୍ନ ପ୍ରକାରର ବାଦ୍ୟ ଦରକାର ପଡେ । ହେଲେ ସେହି ବାଦ୍ୟ ପ୍ରସ୍ତୁତ କରୁଥିବା କାରିଗର ର ଏବେ ଦୁର୍ଦ୍ଦିନରେ । ସକାଳୁ ସଞ୍ଜ ସଞ୍ଜ ଯାଏ ସପରିବାର ବାଦ୍ୟ ପ୍ରସ୍ତୁତିରେ ଲାଗି ପଡନ୍ତି। ବାହାରୁ ମାଟିରେ ପ୍ରସ୍ତୁତ ହାଣ୍ଡି ଆଣି ଚା ଉପରେ ଚମଡା ଓ କିରଣ ଦେଇ ବାଦ୍ୟ ପ୍ରସ୍ତୁତ କରିଥାନ୍ତି । ଗୋଟିଏ ବାଦ୍ୟ ଯନ୍ତ୍ର ଚିଆରି କରିବାକୁ ୩ ରୁ ୫ ଦିନ ସମୟ ଲାଗୁଥିବା ବେଳେ ଦୁଇ ରୁ ଚିନି ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ। ଧର୍ମ ମାସ କାର୍ତ୍ତିକରେ କାରିଗରଙ୍କୁ ଫୁରସତ୍ ନଥାଏ । ମୃଦଙ୍ଗ ସମେଚ ବିଭିନ୍ନ ବାଦ୍ୟ ସଜାଢିବା ପାଇଁ ଗଞ୍ଜାମ ଜିଲ୍ଲା ସମେତ ଜିଲ୍ଲା ବାହାରର ବିଭିନ୍ନ ସ୍ଥାନରୁ ଲୋକମାନେ ଭଞ୍ଜନଗରକୁ ଆସିଥାନ୍ତି । ହେଲେ ପରିଶ୍ରମ ତୁଳନାରେ ପାରିଶ୍ରମିକ ମିଳୁ ନଥିବା କହିଛନ୍ତି ବାଦ୍ୟ କାରିଗର।