
ଭଞ୍ଜନଗର ୦୫/୧୦ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ବାପା ମା ଉଭୟେ ପାଗଳ। ଘରେ ରୋଜଗାରିଆ ମଣିଷ ବୋଲି କେହି ନାହିଁ । ପୁଅ ବୋହୁ ନାତି ନାତୁଣିଙ୍କୁ ନେଇ ରହିନୀ ଙ୍କ ତେଲ ଲୁଣର ସଂସାର। ଗତ ମାସ ୨୭ରେ ୧୩ ବର୍ଷୀୟ ନାତୁଣୀ ବର୍ଷା ପରିଜା ଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଛନ୍ତି ରହିନୀ ଙ୍କ ପରିବାର ଲୋକେ। ଶୁଦ୍ଧିକ୍ରିୟା ପାଇଁ ପାଖରେ ଟଙ୍କା ଟିଏ ମଧ୍ୟ ନଥିଲା। ଏପରି ସ୍ଥଳେ ଏହି ଗରିବ ପରିବାରକୁ ସହାୟତାର ହାତ ବଢାଇଛି ତାରସିଂ ପୋଲିସ। ରବିବାର ଥାନା ଅଧିକାରିଣୀ ଶୁଭଲଷ୍ମୀ ପୂଜାରୀ ଓ ଥାନା କର୍ମଚାରୀ ମୃତକଙ୍କ ପରିବାର କୁ ଭେଟି ଖାଦ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି।
ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଧିନ ଭଞ୍ଜନଗର ବ୍ଲକ ଲେମ୍ଭେଇ ପଞ୍ଚାୟତ ବାଲିସାହିର ରହିନୀ ପରିଜା। ପୁଅ ବୋହୁ ପାଞ୍ଚ ନାତି ନାତୁଣୀ ଙ୍କୁ ନେଇ ରହିନୀ ଙ୍କ ପରିବାର। ପୁଅ ଓ ବୋହୁ ଉଭୟେ ମାନସିକ ବିକାରଗ୍ରସ୍ତ ଥିବା ବେଳେ ଘରେ ରୋଜଗାରିଆ ମଣିଷ ବୋଲି କେହି ନାହାନ୍ତି। ଏମାନଙ୍କ ଜୀବନ ଯନ୍ତ୍ରଣାର କାହାଣୀ କହିଲେ ସରିବନି। ବାଉଁଶ ରୁ ବିଭିନ୍ନ ଘରକରଣା ସାମଗ୍ରୀ ତିଆରି କରି ପରିବାର ଚଳାନ୍ତି ଏମାନେ।ହେଲେ ଗତ ୨୭ ତାରିଖରେ ସାପ କାମୁଡାରେ ନାତୁଣୀ ବର୍ଷା ଙ୍କ ମୃତ୍ୟୁ ପରେ ପୁରା ପରିବାର ଭାଙ୍ଗି ପଡିଛନ୍ତି।ପୁଅ ଅରତ ମଧ୍ୟ ମା ରହିନୀ ଙ୍କ ଉପରେ ନିର୍ଭରଶୀଳ। ବାଉଁଶ ସାମଗ୍ରୀ ବିକିଲେ ଯାହା ମିଳେ ସେତକରେ ଘର ଚଳିଥାଏ। ହେଲେ ବର୍ଷା ଙ୍କ ମୃତ୍ୟୁ ପରେ ତାଙ୍କର କ୍ରିୟା କର୍ମ ପାଇଁ ପାଖରେ ଟଙ୍କାଟେ ନାହିଁ। ଏପରି ସମୟରେ ତାରସିଂ ପୁଲିସ ସେମାନଙ୍କୁ ସହାୟତାର ହାତ ବଢାଇଛି। ରବିବାର ଥାନା ଅଧିକାରିଣୀ ଶୁଭଲଷ୍ମୀ ପୂଜାରୀ, ଏସଆଇ ସମୀର ବେହେରା ମୃତକଙ୍କ ପରିବାର କୁ ଭେଟି ଚାଉଳ, ଡାଲି ସମେତ ବିଭିନ୍ନ ପନିପରିବା ପ୍ରଦାନ କରିଛନ୍ତି। ଗରିବ ଅସହାୟ ପରିବାର କୁ ପୁଲିସର ଏଭଳି ସହାୟତା ପାଇଁ ସ୍ଥାନୀୟ ଲୋକେ ତାରସିଂ ପୁଲିସ କୁ ପ୍ରଶଂସା କରିଛନ୍ତି।