ବନ୍ୟପ୍ରାଣୀ ଙ୍କ ପାଇଁ ଜଙ୍ଗଲରେ ଲଗାଯିବ ଫଳନ୍ତି ଗଛ, ଆଉ ହେବ ନାହିଁ ମଣିଷ – ବନ୍ୟପ୍ରାଣୀ ଲଢେଇ।

ଭଞ୍ଜନଗର ୦୬/୧୦ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଲାଲସିଂ ନର୍ସରୀ ପରିସରରେ ସୋମବାର ୭୧ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତି ଅଧ୍ୟକ୍ଷତା କରିଥିଲେ। ବୈଠକରେ ଅତିଥିମାନେ ଯୋଗଦେଇ ଆମେ ବଞ୍ଚିବା, ବନ୍ୟପ୍ରାଣୀ ମଧ୍ୟ ବଞ୍ଚିବ ବୋଲି ମତବ୍ୟକ୍ତ କରିଥିଲେ। ବର୍ତ୍ତମାନ ହାତୀମାନେ ବର୍ଷ ବର୍ଷ ଧରି ଆମ ବନଖଣ୍ଡରେ ସୁରକ୍ଷିତ ଭାବେ ବସବାସ କରୁଛନ୍ତି। ଜଙ୍ଗଲ ଅଞ୍ଚଳ ବୃଦ୍ଧି ସାଙ୍ଗକୁ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଯୋଗୁ ବନ୍ୟପ୍ରାଣୀ ଏହି ବନଖଣ୍ଡରେ ସୁରକ୍ଷିତ ଭାବେ ବସବାସ କରନ୍ତି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।
୪୪ ବର୍ଗ କିଲୋମିଟର ଜଙ୍ଗଲ ଏହି ବନଖଣ୍ଡରେ ଇତିମଧ୍ୟରେ ବୃଦ୍ଧି ପାଇଛି। ପରିବେଶକୁ ସୁରକ୍ଷା ଦେବାରେ ଜଙ୍ଗଲର ଆବଶ୍ୟକତା ରହିଛି। ହାତୀ ସମେତ ଅନ୍ୟାନ୍ୟ ପ୍ରାଣୀ ଗ୍ରାମ ଅଭିମୁଖେ ଚାଲିଆସି ଲୋକଙ୍କ କଦଳୀ, ଧାନ ସମେତ ଅନ୍ୟାନ୍ୟ ଫସଲ କ୍ଷତି କରୁଛନ୍ତି। ତେଣୁ ଏହାକୁ ଆଖି ଆଗରେ ରଖି ବିଭାଗ ପକ୍ଷରୁ ଆଗାମୀ ଦିନରେ ଜଙ୍ଗଲରେ କଦଳୀ ଗଛ, ଧାନ ସମେତ ଅନ୍ୟାନ୍ୟ ଫସଲ ଲଗାଯିବ। ଫଳରେ ଖାଦ୍ୟ ଅନ୍ବେଷଣରେ ବନ୍ୟପ୍ରାଣୀ ଆଉ ଗ୍ରାମ ଅଭିମୁଖେ ଆସିବେ ନାହିଁ। ମଣିଷ ଆଉ ବନ୍ୟପ୍ରାଣୀ ଲଢେଇ ହେବ ନାହିଁ ବୋଲି ବକ୍ତାମାନେ କହିଥିଲେ। ଏହି ଅବସରରେ ଜଙ୍ଗଲ ନିଆଁ ରୋକିବା ପାଇଁ ବିଭିନ୍ନ ବନ ସୁରକ୍ଷା ସମିତି କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ନେଇ ହୋଇଥିବା ପ୍ରତିଯୋଗିତାର କୃତୀ ଛାତ୍ରୀଛାଙ୍କୁ ପୁରସ୍କୃତ କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବନଖଣ୍ଡ ସ୍ତରରେ ଗଠିତ ହୋଇଥିବା କୋର୍‌ କମିଟି ସଭ୍ୟ ସଭ୍ୟ ରମେଶ ପାତ୍ର, କଣ୍ଟେଇ ପଲ୍ଲୀ ଭିଏସ୍‌ଏସ୍‌ ସଭାପତି ଶରତ କୁମାର ସାଇଁ, ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଳପାଣି ଶତପଥୀ, ସୁରେଶ ସାଇଁ, ଅନୁପମ ବାନାର୍ଜୀ, ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ କୃତିବାସ ବିଶାଳ,ବନ ସୁରକ୍ଷା ସମିତି କର୍ମକର୍ତ୍ତା ଲୋକନାଥ ଆଚାର୍ଯ୍ୟ, ଅବସରପ୍ରାପ୍ତ ସେନା ଅଧିକାରୀ ରଘୁନାଥ ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ନିଜର ମତ ରଖିଥିଲେ। ଏହି ଅବସରରେ ଏ ସି ଏଫ ବିବେକ କୁମାର ଦାସ, ବିମଳ ପ୍ରଧାନ, ରେଞ୍ଜର ବିମ୍ବାଧର ସାହୁ, ସୁଜାତା ରାଣୀ ପଣ୍ଡା, ପୃଥିବୀରାଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ସଭାକୁ ସୁନୀଲ ପଣ୍ଡା ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ବନପାଳ ବବୁଲ ସେଠୀ, ଅନୁପ ବିଷୋୟୀ, ଡ. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଜୀବାନନ୍ଦ ତ୍ରିପାଠୀଙ୍କ ସମେତ ବିଭାଗୀୟ କର୍ମଚାରୀ ସହଯୋଗ କରିଥିଲେ।