ପୀତବାସ ହତ୍ୟା ମାମଲାରେ ଆସିଲା ବ୍ୟବଚ୍ଛେଦ ରିପୋର୍ଟ; ସିସିଟିଭି ଫୁଟେଜ୍ ଯାଞ୍ଚ, 50 ଜଣଙ୍କୁ ଜେରା

ବ୍ରହ୍ମପୁର: ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାର ଆସିଲା ବ୍ୟବଚ୍ଛେଦ ରିପୋର୍ଟ । ପୋଲିସର ତଦନ୍ତରେ ହେଉଛି ଅଗ୍ରଗତି । 50ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ କରାଗଲାଣି ଜେରା । ଗତ କୁମାର ପୂର୍ଣ୍ଣିମା ରାତ୍ରରେ ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପିତବାସ ପଣ୍ଡାଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା ଘଟଣାରେ ବିଭିନ୍ନ ଦିଗକୁ ନେଇ ପୋଲିସର ତଦନ୍ତ ଜାରି ରହିଛି । ପିତବାସଙ୍କ ଛାତିରୁ ବାହାରି ଥିବା ଗୁଳିକୁ ବାଲେଷ୍ଟିକ ଏକ୍ସସ୍ପୋର୍ଟ ପାଖକୁ ପଠାଯାଇଛି । ଏହାର ରିପୋର୍ଟ ଆସିବା ପରେ ଆହୁରି ଚିତ୍ର ସ୍ପଷ୍ଟ ହେବ ସହ ସିସିଟିଭିରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ଡା. ଶ୍ରର୍ବଣା ବିବେକ ଏମ୍ ।

ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି । ଘଟଣା ଦିନ ସେ ଯେଉଁ ରାସ୍ତାରେ ଆସିଥିଲେ ସେହି ରାସ୍ତାରେ ଥିବା ସମସ୍ତ ସିସିଟିଭିକୁ ଯାଞ୍ଚ କରିଛି ପୋଲିସ। ପୋଲିସ ତଦନ୍ତ ସମୟରେ ପାଇଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଡାକି ପଚରାଉଚରା କରାଯାଇଛି ।ଏପରିକି ସେହି ବ୍ୟକ୍ତିମାନେ କେଉଁ କାରଣ ପାଇଁ ଆସିଥିଲେ, ତାହାର ସତ୍ୟାସତ୍ୟ ଅନୁଧ୍ୟାନ କରୁଛି ପୋଲିସ । ସେମାନଙ୍କ ପ୍ରକୃତ ତଥ୍ୟ ପୋଲିସକୁ ହୃଦବୋଧ ହେଲେ ତାଙ୍କ ଉପରେ ସନ୍ଦେହ ହେବାର ଆବଶ୍ୟକ ନାହିଁ। ଗୋଟିଏ ଦାମୀ ଗାଡି ପୋଲିସର ସନ୍ଦେହ ଘେରକୁ ଆସୁଥିବାରୁ ତାଙ୍କୁ ଡାକି ଜେରା କରାଯାଇଛି । ତାଙ୍କର ଗତିବିଧି କେମିତି ଥିଲା ସେନେଇ ପୋଲିସ ଖୋଳତାଡ଼ କରୁଛି । ଘଟଣା ସ୍ଥଳର ପ୍ରତ୍ୟକ୍ଷଦର୍ଶୀସ ଏବଂ ସାକ୍ଷୀକୁ ମିଶାଇ ବର୍ତ୍ତମାନ ଯାଏଁ 50ରୁ ଉର୍ଦ୍ଧ୍ବ ବ୍ୟକ୍ତିକୁ ପଚରାଉଚରା କରାଯାଇଛି ।” ବ୍ରହ୍ମପୁର ଏସପି ଡା. ଶ୍ରର୍ବଣା ବିବେକ ଏମ୍ସେ ଆହୁରି ମଧ୍ୟ କହିଛନ୍ତି,” ମୃତଦେହ ବ୍ୟବଚ୍ଛେଦ ପରେ ପିତବାସଙ୍କ ଛାତିରୁ ବାହାରି ଥିବା ଗୁଳିକୁ ବାଲେଷ୍ଟିକ ଏକ୍ସସ୍ପୋର୍ଟ ପାଖକୁ ପଠାଯାଇଛି ।ଏହାର ରିପୋର୍ଟ ଆସିବା ପରେ ଆହୁରି ତଥ୍ୟ ମିଳିବ । ହତ୍ୟାକାଣ୍ଡ ପୂର୍ବରୁ ସେହି ହତ୍ୟାକାରୀମାନେ ଘଟଣା ସ୍ଥଳରେ ଅପେକ୍ଷା କରି ରହିଥିବା ଯୋଗୁଁ ପୀତବାସଙ୍କୁ କିଏ ପିଛା କରୁଥିଲା ? ପୀତବାସଙ୍କ ଗତିବିଧିର ସୂଚନା ହତ୍ୟାକାରୀଙ୍କୁ କିଏ ଦେଉଥିଲା ? ସେନେଇ ଅଧିକ ଖୋଳତାଡ଼ କରୁଛି ପୋଲିସ । ସେପଟେ ଘଟଣାଟି ଅଧିକ ସମ୍ବେଦନଶୀଳ ହୋଇଥିବାରୁ ତଦନ୍ତରେ ଭଲ ଅଗ୍ରଗତି ପାଇଁ ପୋଲିସ କିଛି ତଥ୍ୟ ଗୋପନ ରଖାଯାଇଛି ।”ଆସିଲା ବ୍ୟବଚ୍ଛେଦ ରିପୋର୍ଟ:ପୀତବାସ ପଣ୍ଡାଙ୍କ ଆସିଲା ବ୍ୟବଚ୍ଛେଦ ରିପୋର୍ଟ । ତାଙ୍କର ମୃତ୍ୟୁ କିପରି ଏବଂ କେଉଁ ପରିସ୍ଥିତିରେ ହୋଇଥିଲା, ସେନେଇ ଆସିଲା ବ୍ୟବଚ୍ଛେଦ ରିପୋର୍ଟ ।ଏହାକୁ ଏମ.କେ.ସି.ଜି ମେଡ଼ିକାଲର ଏଫ୍.ଏମ୍.ଟି ବିଭାଗ ପକ୍ଷରୁ ବ୍ରହ୍ମପୁର ଜିଲ୍ଲା ପୋଲିସକୁ ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି ବିଭାଗୀୟ ମୁଖ୍ୟ ପ୍ରଫେସର ସୁଦୀପା ଦାଶ । ସେ କହିଛନ୍ତି,” ପୀତବାସଙ୍କ ମୃତ୍ୟୁର କାରଣ ଗୁଳିମାଡ଼ ପରେ ଶରୀରରେ ପ୍ରଚୁର ରକ୍ତସ୍ରାବ ଏବଂ ଛାନିଆ ହୋଇଯିବା କାରଣରୁ ମୃତ୍ୟୁ ଘଟିଛି ।ଏପରିକି ଗୁଳିମାଡ଼ ପରେ ଶରୀରରେ ଅନେକ ଗୁରୁତ୍ବପୂର୍ଣ୍ଣ ଅଂଶ ନଷ୍ଟ ହେବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା ।