ରାଲି ଗୁଜବ ପରେ କଟକରେ ହାଇଆଲର୍ଟ: ପୋଲିସ ଫ୍ଲାଗମାର୍ଚ୍ଚ, 50 ପ୍ଲାଟୁନ ଫୋର୍ସ ମୁତୟନ

କଟକ: ଦରଘା ବଜାର ଅଞ୍ଚଳରେ ବଢିଲା ସୁରକ୍ଷା ବ୍ୟବସ୍ଥା । କଟକ ସହରରେ ରାଲି ଗୁଜବ ନେଇକୁ ନେଇ ହାଇ ଆର୍ଲଟରେ କମିଶନରେଟ ପୋଲିସ । ଗୁଜବକାରୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯିବ ବୋଲି ଚେତାବନୀ ଦେଲେ ପୋଲିସ କମିଶନର । ସହରର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ପୋଲିସ । ବିଶେଷକରି ଦରଘା ବଜାର, କଦମରସୁଲ ଏବଂ ବିଭିନ୍ନ ମସଜିଦ ଆଗରେ ପୋଲିସ ଫୋର୍ସ ମୃତୟନ କରାଯାଇଛି । ନିଜେ ପୋଲିସ କମିଶନର ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ଗୁଡିକ ବୁଲି ସ୍ଥିତିର ସମୀକ୍ଷା କରିବା ସହ ପୋଲିସ ଫ୍ଲାଗ ମାର୍ଚ୍ଚ କରାଯାଇଛି ।

ପୋଲିସ କମିଶନରଙ୍କ ଚେତାବନୀ:ଯେଉଁମାନେ ଗୁଜବ ସୃଷ୍ଟି କରୁଛନ୍ତି ସେମାନଙ୍କୁ କଡା ଚେତାବନୀ ଦେଇଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ। ଏପରିକି ଜାଣିଶୁଣି ଗୁଜବ ସୃଷ୍ଟି କରିଲେ ଦେଶ ଦ୍ରୋହ ମାମଲା ରୁଜୁ କରାଯିବ ବୋଲି କହିଛନ୍ତି ସେ ।ସ୍ଥିତି ଏମିତିକି ରାଲି ଗୁଜବ ନେଇ ଦରଘା ବଜାର,ହାତୀ ପୋଖରୀ ଅଞ୍ଚଳରେ ଅନେକ ଦୋକାନ ବଜାର ବନ୍ଦ ହୋଇ ଯାଇଛି । ପୋଲିସ କମିଶନର କହିଛନ୍ତି,”ସହରର ସ୍ଥିତି ସ୍ୱାଭାବିକ ରହିଛି । ବିଭିନ୍ନ ସ୍ଥାନରେ କେନ୍ଦ୍ରୀୟ ଫୋର୍ସଙ୍କ ସମେତ 50 ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି। ସମସ୍ତ ସ୍ଥିତି ପୁରା ପୋଲିସର ଆୟତ୍ତରେ ହିଁ ଅଛି । ମାତ୍ର କୌଣସି ଗୁଜବ ସୃଷ୍ଟି ହେଲେ ପୋଲିସକୁ ଜଣାଇବାକୁ ପରାମର୍ଶ ଦିଆଯାଇଛି ।”

କାହିଁକି କଟକରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା ?ଗତ 3ତାରିଖ ବିଳମ୍ବିତ ରାତିରେ କଟକ ସହରରେ ମା’ ଦୁର୍ଗାଙ୍କ ଭସାଣି ଶୋଭାଯାତ୍ରା ବେଳେ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ଦରଘାବଜାର ଥାନା ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଥିବା ବେଳେ ଢେଲା, ପଥର ଓ କାଚ ବୋତଲ ମାଡ଼ରେ ୬ ଜଣ ଗୁରୁତର ଆହତ ହୋଇଥିଲେ । ଏଥିରେ ଡିସିପି ଋଷିକେଷ ଖିଲାରୀ ମଧ୍ୟ ଆହତ ହୋଇଥିଲେ ।ଏହି ଘଟଣା ପରେ ଗୋଟିଏ ଗୋଷ୍ଠୀ କଟକ ବନ୍ଦ ଡ଼ାକରା ଦେଇଥିବା ବେଳେ ପୁଣି ଏକ ବାଇକ ଶୋଭାଯାତ୍ରା ବେଳେ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା । ଫଳରେ ପ୍ରଶାସନ କର୍ଫ୍ୟୁ ଘୋଷଣା କରିବା ସହ ଇଣ୍ଟରନେଟ୍ ସେବାକୁ ମଧ୍ୟ ବ୍ୟାନ କରିଥିଲା।