ଡିସେମ୍ବର ୨୪ ରୁ ଆରମ୍ଭ ହେବ ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରା, କାର୍ଯ୍ୟକାରୀ ଓ ଉପଦେଷ୍ଟା କମିଟି ବୈଠକରେ ନିଷ୍ପତ୍ତି 

ବରଗଡ : ଆସନ୍ତା ୨୪ ଡ଼ିସେମ୍ବର ୨୦୨୫ ରୁ ୩ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ଚାଲିବ ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରା । ବିଶ୍ଵର ସର୍ବବୃହତ ଖୋଳା ରଙ୍ଗମଞ୍ଚ ଭାବେ ପରିଚିତ ବରଗଡ଼ ସହରରେ ଚାଲିବ ମହାରାଜ କଂସଙ୍କ ରାଜୁତି । କଂସଙ୍କ ଅଟ୍ଟହାସ୍ୟରେ ପ୍ରକମ୍ପିତ ହେବ ଗଗନ ପବନ । ସେପଟେ ଗୋପପୁର ଭାବେ ପରିଚିତ ଅମ୍ବାପାଲ ରେ ଚାଲିବ କୃଷ୍ଣ ଲୀଳା ।ଭଗବାନ ଶ୍ରୀକୃଷ୍ଣ ଲୀଳା ଖେଳାରେ କୃଷ୍ଣମୟ ପରିବେଶ ହେବ ଅମ୍ବାପାଲି । ଆଜି ଅପରାହ୍ନରେ ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଧନୁଯାତ୍ରା ମହୋତ୍ସବ ସମିତିର କାର୍ଯ୍ୟକାରୀ ଓ ଉପଦେଷ୍ଟା କମିଟିରେ ହୋଇଛି ନିଷ୍ପତ୍ତି । ଚଳିତ ବର୍ଷ ଧନୁଯାତ୍ରା ପାଇଁ କଂସ ଭୂମିକା ସମେତ ସମସ୍ତ କଳାକାର ପାଇଁ ହେବ ଚୟନ ।ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋଏଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ସାମିଲ ଥିଲେ କମିଟି ର ସମସ୍ତ ସଦସ୍ୟ ସଦସ୍ୟା ଓ ଜନପ୍ରତିନିଧି । ଗତବର୍ଷ ଧନୁଯାତ୍ରା ମହୋତ୍ସବର ଆୟ ବ୍ୟୟ ଉପସ୍ଥାପନ ପରେ ଚଳିତ ବର୍ଷ ଧନୁଯାତ୍ରା ମହୋତ୍ସବ ପାଇଁ ହୋଇଥିଲା ନିଷ୍ପତ୍ତି । ୩ ବର୍ଷରେ ଥରେ ଧନୁଯାତ୍ରା ପାଇଁ କଳାକାର ଚୟନର ବିଧି ରହିଛି ।ହେଲେ ଗତ ବର୍ଷ ତୃତୀୟ ଥର ପାଇଁ ହୃଷିକେଶ ଭୋଇ କଂସ ଭୂମିକାରେ ଅଭିନୟ କରିବା ପୂର୍ବରୁ ବିବାଦୀୟ ହୋଇ କଂସ ଭୂମିକା ପାଇଁ ଅଭିନୟ କରିବାରୁ ବଞ୍ଚିତ ହୋଇଥିଲେ । ଗୋଟିଏ ବର୍ଷ ପାଇଁ କଂସ ଭୂମିକାରେ ଅଭିନୟ କରିବା ପାଇଁ ଅଡିସନ ହୋଇଥିଲା । ଭୂବନେଶ୍ବର ପ୍ରଧାନ କଂସ ଭୂମିକା ପାଇଁ ଚୟନ ହୋଇଥିଲେ । ଗତବର୍ଷ ବରଗଡ଼ ଧନୁଯାତ୍ରା ମହୋତ୍ସବରେ କଂସ ଭୂମିକାରେ ଅଭିନୟ କରିଥିବା ଭୂବନେଶ୍ବର ପ୍ରଧାନ ଅବସର ଘୋଷଣା କରିଛନ୍ତି । ଚଳିତ ବର୍ଷ କଂସ ଭୂମିକା ସମେତ ସମସ୍ତ କଳାକାରମାନଙ୍କ ପାଇଁ ଅଡିସନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି ।