ଭଞ୍ଜନଗର: ଦେଢ ଲକ୍ଷ ଟଙ୍କାର ବାଣ ଜବତ, ଜଣେ ଗିରଫ

ଭଞ୍ଜନଗର ୧୪/୧୦ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ପାର୍ବଣ ଋତୁକୁ ନେଇ ଗାଁଠୁ ସହର ଚଳଚଞ୍ଚଳ ହୋଇଉଠିଛି। ଆଉ କିଛିଦିନ ପରେ ଦୀପାବଳି ଆସୁଥିବା ବେଳେ ଅଘଟଣକୁ ଏଡ଼ାଇବା ପାଇଁ ଅଣ୍ଟା ଭିଡିଛି ଗଞ୍ଜାମ ପୁଲିସ ପ୍ରଶାସନ। ବିଶେଷକରି ଅପରାଧିକ କାର୍ଯ୍ୟକଳାପ ରୋକିବା ସହ ବେଆଇନ ବାଣ ବ୍ୟବସାୟ ଉପରେ ରୋକ୍ ଲଗାଇବା ପାଇଁ ଭଞ୍ଜନଗର ଥାନା ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି।ମଙ୍ଗଳବାର ଭଞ୍ଜନଗର ପୁଲିସ ଜିଲୁଣ୍ଡିରେ ବିକ୍ରୟ ହେଉଥିବା ଦେଢ ଲକ୍ଷ ଟଙ୍କାର ବେଆଇନ ବାଣକୁ ଜବତ କରି ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଦିପାବଳୀ ସମୟରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବେନିୟମ ବାଣ ଦୋକାନ ଖୋଲିଥାଏ। ବେନିୟମ ବାଣ ଦୋକାନ ଦ୍ୱାରା ବାଣ ବିସ୍ଫୋରଣ ଘଟି ସାଧାରଣ ଲୋକଙ୍କ କ୍ଷତି ହେବାର ସମ୍ଭାବନା ରହିଛି। ତେଣୁ ବେନିୟମ ବାଣ କାରବାରକୁ ରୋକିବା ପାଇଁ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ସମସ୍ତ ଥାନା ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଗଞ୍ଜାମ ପୋଲିସ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଏହିଭଳି ବେନିୟମ କାରବାର ହେଉଥିବା ସ୍ଥାନରେ ଚଢାଉ କରାଯାଉଛି। ଏହିଭଳି ମଙ୍ଗଳବାର ଭଞ୍ଜନଗର ଥାନା ପକ୍ଷରୁ ଜିଲୁଣ୍ଡିର ଏକ ଘରେ ଚଢାଉ କରାଯାଇ ଦେଢ ଲକ୍ଷ ଟଙ୍କାର ବିଭିନ୍ନ ବର୍ଗର ଆତସବାଜି ଜବତ କରାଯାଇ ଓଡ଼ିଶା ଫାୟାରୱାକ୍ସ ଏବଂ ଲାଉଡସ୍ପିକର ନିୟନ୍ତ୍ରଣ ଆଇନରେ ମାମଲା ରୁଜୁ କରାଯାଇ ଜଣକୁ ଗିରଫ କରାଯାଇଛି।