
ଭଞ୍ଜନଗର ୧୫/୧୦ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗୋଟିଏ ପରେ ଗୋଟିଏ କ୍ଷେତକୁ ମାଡ଼ି ଚାଲିଛନ୍ତି । କୀଟନାଶକ ଔଷଧ ପକାଇବା ସତ୍ତ୍ବେ ଧାନରୁ ଛାଡୁନାହାନ୍ତି ପୋକ।ସମ୍ପୂର୍ଣ୍ଣ ଧାନ ଗଛ ନଷ୍ଟ ହେବାକୁ ବସିଥିବାରୁ ଅମଳ ପୂର୍ବରୁ ଭାଙ୍ଗି ଯାଇଛି ଚାଷୀଙ୍କ ଅଣ୍ଟା। ଭଲ ବର୍ଷା ଚଳିତ ବର୍ଷ ଚାଷୀଙ୍କ ମୁହଁରେ ହସ ଫୁଟାଇଥିଲା। କ୍ଷେତରେ ଧାନକେଣ୍ଡା ଲହରି ଭାଙ୍ଗୁଥିବା ବେଳେ ମାଟିଆଗୁଣ୍ଡି ପୋକଙ୍କ ପାଦୁର୍ଭାବ ଚାଷୀଙ୍କ ମୁହଁରୁ ହସ ଛଡ଼ାଇ ନେଇଛି।
ଅନ୍ୟପଟେ ଆତଙ୍କିତ ନହୋଇ କ୍ଷେତରେ ସଠିକ ସମୟରେ ଜଳ ପରିଚାଳନା କରିବା ସହ କୃଷି ଅଧିକାରୀଙ୍କ ପରାମର୍ଶକ୍ରମେ କ୍ଷେତରେ ନିୟମିତ ଔଷଧ ପକାଇବାକୁ କୃଷି ବିଭାଗ ପକ୍ଷରୁ ସଚେତନ କରାଯାଉଛି। ରୋଗ କିଭଳି ଅଧିକ ଜମିକୁ ନ ବ୍ୟାପେ ସେ ନେଇ କୃଷି ଅଧିକାରୀ ଗାଁ କୁ ଗାଁ ବୁଲି ଚାଷୀଙ୍କୁ ସଚେତନ କରୁଛନ୍ତି। ନିଜସ୍ୱ ଉଦ୍ୟମ କ୍ରମେ କୃଷି ଅଧିଦର୍ଶକ ଶୁସାନ୍ତ କୁମାର ପାତ୍ର ସଚେତନତା ମୁଳକ ପତ୍ରିକା ଛପାଇ ଗାଲେରୀ, ବ୍ରାହ୍ମଣପଦର, ହରିଗଡ ଓ ଦୋମୁହାଣୀ ପଞ୍ଚାୟତ ର ବିଭିନ୍ନ ଗାଁ ରେ ଚାଷୀ ଙ୍କୁ ସଚେତନ କରାଇଛନ୍ତି।
ଖରିଫ୍ ଚାଷ ଆରମ୍ଭରୁ ସଅଳ ବର୍ଷା ଯୋଗୁ ଚାଷୀ ଚାଷ କାମକୁ ଆଗେଇ ନେଇଥିଲା। ସଠିକ୍ ସମୟରେ ଆବଶ୍ୟକ ବର୍ଷା ହେବାରୁ ଧାନ ଫସଲ ଭଲ ହୋଇଥିଲା। ହେଲେ ଅମଳ ସମୟରେ ଚକଡା ପୋକ ଚାଷୀଙ୍କ ଚିନ୍ତା ବଢାଇଛି।ବିଶେଷକରି ଭଞ୍ଜନଗର ବ୍ଲକର ସାନକୋଦଣ୍ଡା, ଗାଲେରୀ, ହରିଗଡ, ବ୍ରାହ୍ମଣପଦର, ହରିଗଡ ଓ ଦୋମୁହାଣୀ ପଞ୍ଚାୟତ ର ଧାନ ଫସଲରେ ଏହି ରୋଗ ଅଧିକ ହୋଇଛି। ହେକ୍ଟର ହେକ୍ଟର ଜମିରେ ଧାନ ଗଛ ଶୁଖି ମରିଗଲାଣି। ଚାଷୀଙ୍କ କହିବା କଥା ଧାନ ଗଛ ମୂଳରୁ ଟିକିଏ ଉପର ଅଂଶରେ ମାଟିଆ ରଙ୍ଗର ଚକଡ଼ା ପୋକ ଜମା ହୋଇ ଗଛର ସବୁଜ ଅଂଶକୁ ଶୋଷଣ କରୁଛନ୍ତି। ଫଳରେ ଗଛ ମାଟିରୁ ଖାଦ୍ୟ ସାର ନପାଇ ଶୁଖି ହଳଦିଆ ପଡିଯାଉଛି । କିଛି ଦିନ ପରେ ଧାନ ଗଛ ସବୁ ମରିଯାଉଛି। ଧାନ ଗଛରେ କ୍ଷୀର ଧରିବା ସମୟରେ ରୋଗପୋକ ଲାଗିଥିବା ଯୋଗୁଁ ଚାଷୀ ଚିନ୍ତାରେ ପଡିଛନ୍ତି। ଆତଙ୍କିତ ନହୋଇ ଜମିରେ ସଠିକ ଜଳପରିଚାଳନା ସହ କୀଟନାଶକ ସିଞ୍ଚନ କରିବାକୁ କୃଷି ବିଭାଗ ଚାଷୀଙ୍କୁ ପରାମର୍ଶ ଦେଇଛି।