ଭଞ୍ଜନଗର: ଦୁଇ ଦେଶୀ ବନ୍ଧୁକ ଜବତ, ୩ କୋର୍ଟ ଚାଲାଣ

ଭଞ୍ଜନଗର: ୨୨/୧୦ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ପୁଲିସ ପକ୍ଷରୁ ଆଜି ୨ଟି ଦେଶୀ ବନ୍ଧୁକ, ଗୋଟିଏ କ୍ୟାଟରେଜ ସହ ୩ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି। ଆଜି ଏସ୍‌ଆଇ ଲକ୍ଷ୍ମୀଧର ମହାନ୍ତି ପେଟ୍ରୋଲିଂ କରୁଥିବା ସମୟରେ ସହର ଉପକଣ୍ଠ ସୋରାଦେବୀ ମନ୍ଦିର ନିକଟରେ ୨ଜଣ ବ୍ୟକ୍ତି ସନ୍ଦେହ ଜନକ ସ୍ଥିତିରେ ଥିବା ଦେଖି ସେମାନଙ୍କ ନିକଟକୁ ଯିବା ପରେ ସେମାନଙ୍କ ଠାରୁ ୨ଟି ଦେଶୀ ବନ୍ଧୁକ ସହ ଗୋଟିଏ କ୍ୟଟରେଜ ପାଇଥିଲେ। ଏହାପରେ ସେମାନଙ୍କୁ କାବୁ କରିବା ପରେ ଅଭିଯୁକ୍ତ ମାନେ ‌ଭଞ୍ଜନଗର ଥାନା ଭେଜିପୁଟ ଅଞ୍ଚଳର ଶଙ୍କର ସ୍ବାଇଁ, ପିଣ୍ଟୁ ସ୍ବାଇଁ ବୋଲି ଜାଣିବାକୁ ପାଇଥିଲେ। ଏହାପରେ ଅଭିଯୁକ୍ତ ମାନେ ଅନ୍ୟଜଣେ ଅଭିଯୁକ୍ତ ଦିବାକର ପଟ୍ଟନାୟକ ଠାରୁ ଏହା ପାଇଥିବା କହିବା ପରେ ପୁଲିସ ଉକ୍ତ ତିନିଜଣକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି। ଏନେଇ କେସ ନମ୍ବର ୧୧୬୫/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ‌ଶ୍ରୀ ଜେନା ପ୍ରକାଶ କରିଛନ୍ତି। ଏନେଇ ଜିଲ୍ଲା ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର କିଛି ଦିନ ତଳେ ଆଇନ ଶୃଙ୍ଖଳା ନେଇ ଏସ୍‌ଡିପିଓଙ୍କ କାର୍ଯ୍ୟାଳୟରେ ସମୀକ୍ଷା ମଧ୍ୟ କରିଥିଲେ। ଭଞ୍ଜନଗର ଥାନା ପକ୍ଷରୁ ଏହାକୁ ମିଶାଇ ପ୍ରାୟ ୨୫ ଟି ବନ୍ଧୁକ ବିଭିନ୍ନ ସମୟରେ ଗତ କିଛି ମାସ ମଧ୍ୟରେ ଜବତ କରାଯାଇଥିବା ଶ୍ରୀ ଜେନା ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ମଧ୍ୟ ଏଭଳି ଅପରାଧିକ କାର୍ଯ୍ୟକଳାପ ଉପରେ ପୁଲିସ ତୀକ୍ଷ୍ନ ନଜର ରଖିଥିବା ବେଳେ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।