ମାତୃଭାଷାର ବିକାଶ ହେଲେ ରାଜ୍ୟର ବିକାଶ ସମ୍ଭବ, ବୈଷୟିକ ଜ୍ଞାନ କୌଶଳ ଗଣମାଧ୍ୟମକୁ ବହୁ ଆଗକୁ ନେଇଛି: କନ୍ଧମାଳ ସାଂସଦ

ଭଞ୍ଜନଗର, ୨୩/୧୦ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ଗଞ୍ଜାମ ଜିଲ୍ଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ଷ୍ଟୁଡିଓ ବୁଧବାର ଉଦଘାଟିତ ହୋଇଯାଇଛି। ଏଥିରେ କନ୍ଧମାଳ ଏମ ପି ସୁକାନ୍ତ କୁମାର ପାଣିଗ୍ରାହୀ ଉଦଘାଟକ ଏବଂ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଷ୍ଟୁଡ଼ିଓକୁ ଉଦଘାଟନ କରିଥିଲେ। ଏହି ଅବସରରେ ଏମପି ପାଣିଗ୍ରାହୀ କହିଥିଲେ ଯେ ମାତୃଭାଷା ଏବଂ ମାତୃଭୂମିର ବିକାଶ ହେଲେ ହିଁ ଯାଇ ରାଜ୍ୟର ବିକାଶ ସମ୍ଭବ । ତେଣୁ ସରକାର ଏନେଇ ପଦକ୍ଷେପ ନେଇଛନ୍ତି।
ଓଡିଆ ଗଣମାଧ୍ୟମ ଉପରେ ମଧ୍ଯ ଛାତ୍ରୀ ଛାତ୍ର ମାନେ ଅଧିକ ଜ୍ଞାନ ଆହରଣ କରନ୍ତୁ। ବୈଷୟିକ ଜ୍ଞାନ କୌଶଳ ଗଣମାଧ୍ୟମକୁ ବହୁ ଆଗକୁ ନେଇଛି । ସାମ୍ୱାଦିକ ମାନେ ମଧ୍ୟ ନିର୍ଭୀକ ଏବଂ ନିରପେକ୍ଷ ହେବାକୁ ଆହ୍ବାନ କରିଥିଲେ। ଏଥିସହ ସେ କହିଥିଲେ ଯେ ଅତିତକୁ ସ୍ମରଣ କରି ଭବିଷ୍ୟତକୁ ବଢିବାକୁ ପଡିବ। ଅତୀତକୁ କେବେ ଭୁଲିବାକୁ ହେବନାହିଁ। ଶିକ୍ଷା କ୍ଷେତ୍ରରେ ବ୍ୟାପକ ଉନ୍ନତୀ ପାଇଁ ନୂଆଁ ଶିକ୍ଷା ନୀତି ୨୦୨୦ ଲାଗୁ ହୋଇଛି। ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ସରକାର ବହୁ ପଦକ୍ଷେପ ନେଇଛନ୍ତି। ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଦୁଇଟି ନୂଆଁ ଛାତ୍ରାବାସ ନିର୍ମାଣ ହେବ। ଶିକ୍ଷା କ୍ଷେତ୍ରରେ ଆମେ ଯେତେ ବିକାଶ କରିବା ଦେଶ ସେତେ ଆଗକୁ ବଢିବ। ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପ୍ରକାର ଶିକ୍ଷକ ବ୍ୟବସ୍ଥା ଅଛି। ଏଥିରେ ପରିବର୍ତ୍ତନ ଆଣିବାକୁ ପଡିବ। ଗଣମାଧ୍ୟମ କ୍ଷେତ୍ରରେ ଆମେ ବହୁତ ଆଗକୁ ଯାଇଛେ। ଭଲ ପରିବେଶରେ ଆମେ ପାଠ ପଢିବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି ବୋଲି ଏମପି ପାଣିଗ୍ରାହି କହିଥିଲେ। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଞ୍ଜନଗର କଲେଜର ବିକାଶ ପାଇଁ ଅନେକ ପଦକ୍ଷେପ ନିଆଯାଇଛି ବୋଲି କହିଥିଲେ। ଏଥିସହ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ଛାତ୍ରୀଛାତ୍ରଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ ବିଧାୟକ। ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜନଗର ଏସ ଡି ପି ଓ ଡ ଦୀପକ ମିଶ୍ର, ପ୍ରାଧ୍ୟାପକ କୁମୁନ୍ଦ ଚନ୍ଦ୍ର ମହାପାତ୍ର, ପ୍ରଶାନ୍ତ କୁମାର ରଥ, ବିଭାଗୀୟ ମୁଖ୍ୟ ଅଧ୍ୟାପକ ବାବୁଲା ପ୍ରଧାନ ଆଲୋଚନାରେ ଭାଗ ନେଇଥିଲେ । ଅଧକ୍ଷ ରାଜେନ୍ଦ୍ର କୁମାର ଦାସ ସଭାରେ ଅଧ୍ୟକ୍ଷତା କରିଥିଲେ। ପ୍ରାଧ୍ୟାପକ ହର ପ୍ରସାଦ ଶତପଥି ସଭାକୁ ସଂଯୋଜନା କରିଥିଲେ। ବିଭାଗୀୟ ଅଧ୍ୟାପିକା ମାମାଲି ନାୟକ ଏବଂ ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ପ୍ରାଧ୍ୟାପକ କୁମୁନ୍ଦ ଚନ୍ଦ୍ର ମହାପାତ୍ର ଧନ୍ୟବାଦ୍ ପ୍ରଦାନ କରିଥିଲେ। ଏହା ପୁର୍ବରୁ ଏମପି, ବିଧାୟକ ଏକ ପେଡ୍ ମାଙ୍କ ନାମ ରେ ଗଣ ଯୋଗାଯୋଗ ବିଭାଗ କ୍ୟାମ୍ପସ ରେ ଚାରା ରୋପଣ କରିଥିଲେ। ଶେଷରେ ଛାତ୍ରୀ ଛାତ୍ର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।