ଡହ ଜଳଭଣ୍ଡାରରୁ ଛଡ଼ାଗଲା ପାଣି, ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ଭଞ୍ଜନଗର: ୨୭/୧୦ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ବାତ୍ୟା ‘ମୋନ୍ଥା’ର ପ୍ରଭାବରେ ଆଜି ଭଞ୍ଜନଗର ଇଲାକାରେ ମଝିରେ ମଝିରେ ବର୍ଷା ହୋଇଛି। ସକାଳୁ ପାଗ ଶୁଖିଲା ରହିଥିବା ସହ ଖରା ହୋଇଥିଲା। କିନ୍ତୁ ମଧ୍ୟାହ୍ନରେ ପାଗ ପରିବର୍ତ୍ତନ ହୋଇଯାଇଥିଲା। ତେବେ ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ନଦୀ କୂଳିଆ ଲୋକଙ୍କୁ ପ୍ରଶାସନିକ ଅଧିକାରୀମାନେ ସଚେତନ କରିବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଭଞ୍ଜନଗର ବିଡିଓ ଭାରତୀ ଦେବୀ ଓ ତହସିଲଦାର ଅଭିପ୍ସା ପଟ୍ଟନାୟକ ବିଭିନ୍ନ ସ୍ଥାନ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ। ତୁରୁମୁରେ ଥିବା ବନ୍ୟା ଆଶ୍ରୟସ୍ଥଳକୁ ଆବଶ୍ୟକ ସ୍ଥଳେ ବ୍ୟବହାର କରାଯିବ। ପ୍ରତି ପଞ୍ଚାୟତରେ ଥିବା ସ୍କୁଲ ଘରକୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ଭାବେ ବ୍ୟବହାର କରିବାକୁ ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି। ସେହିପରି ଏନଏସି ଓ ବ୍ଲକ୍‌ସ୍ତରରେ ବାତ୍ୟା ସଂପର୍କରେ ହେଲପ୍‌ଲାଇନ ନମ୍ବର ଜାରି କରାଯାଇଛି।

ଅନ୍ୟପକ୍ଷରେ ଆଜି ଡହ ଜଳଭଣ୍ଡାରରୁ ଗୋଟିଏ ଗେଟ୍‌ ଖୋଲି ପାଣି ଛଡ଼ାଯାଇଛି। ଏଠାରେ ଜଳସ୍ତର ୯୫ ପ୍ରତିଶତରେ ପହଞ୍ଚିଥିବା ବେଳେ କେନାଲ ସାଙ୍ଗକୁ ଗୋଟିଏ ଗେଟ୍‌ ଦେଇ ୮୦୦ କ୍ୟୁମେକ ପାଣି ଛଡ଼ାଯାଇଥିବା ସହକାରୀ ନିର୍ବାହୀଯନ୍ତ୍ରୀ ଇଂ.ପଞ୍ଚୁ ବେହେରା ସୂଚନା ଦେଇଛନ୍ତି। ଜଳସ୍ତର ୮୫ରୁ ୯୦ ପ୍ରତିଶତ ମଧ୍ୟରେ ରହିଲେ ଗେଟ୍‌ ବନ୍ଦ କରାଯିବ। ପରବର୍ତ୍ତୀ ପରିସ୍ଥିତି ଦେଖି ପାଣି ଛାଡ଼ିବା ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ତେବେ ମେଘୁଆ ପାଗ ଦେଖି ଚାଷୀ ଚିନ୍ତାରେ ପଡ଼ିଛନ୍ତି। ବଡ଼ବର୍ଷା ହେଲେ ଅମଳ ହେବାକୁ ଥିବା ଧାନ ପାଣିରେ ବୁଡ଼ି ନଷ୍ଟ ହେବାର ଆଶଙ୍କା ରହିଛି।