ଭଞ୍ଜନଗର ସୌନ୍ଦର୍ଯ୍ୟକରଣ ପାଇଁ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ: ବିଧାୟକ

ଭଞ୍ଜନଗର ୨୦/୧୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏନ୍‌ଏସିର ୧୩ତମ କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ବୈଠକରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ସହରର ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କହିଥିଲେ। ଏଥିସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୬ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବିଧାୟକ ବଣ୍ଟନ କରିଥିଲେ। ୨୦୫୧ ସୁଦ୍ଧା ସହରର ଜନସଂଖ୍ୟାକୁ ଦେଖି କିଭଳି ବିକାଶ କରାଯିବ ସେନେଇ ଅର୍ବାନ ମାଷ୍ଟର ପ୍ଲାନ୍‌ ବୈଠକରେ ଅନୁମୋଦନ କରାଯାଇଥିଲା । ଏଥିସହ ଆଗାମୀ କିଛି ମାସ ମଧ୍ୟରେ ସହରର ଡ୍ରେନ୍‌ରୁ ମଇଳା ବାହାର କରିବା, ନୂଆ ଡ୍ରେନ ନିର୍ମାଣ, ମୁକୁଳା ଡ୍ରେନ୍‌କୁ ବନ୍ଦ ରଖିବା, ସହରର ସୌନ୍ଦର୍ଯ୍ୟକରଣ, ଟାଉନ ହଲ୍‌ ପୁନରୁଦ୍ଧାର କାର୍ଯ୍ୟ ପାଇଁ ୧୪ କୋଟିରୁ ଊଦ୍ଧର୍‌ବ ଟଙ୍କା ବ୍ୟୟ ହେବ। ସେଥିମଧ୍ୟରୁ ଟାଉନ୍‌ ପାଇଁ ୧ କୋଟି ଟଙ୍କା ବ୍ୟୟ ଲକ୍ଷ୍ୟ ରଖାଯାଇଛି। ଏଥିସହ ନୂଆ ଡ୍ରେନ୍‌ ନିର୍ମାଣ ପାଇଁ ୨ କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ସହରର ସୌନ୍ଦର୍ଯ୍ୟକରଣ ପାଇଁ ୩ କୋଟି ୩୦ ଲକ୍ଷ ଟଙ୍କା ଏବଂ ଅନ୍ୟାନ୍ୟ ୬୯ଟି ପ୍ରକଳ୍ପର ଉନ୍ନତିକରଣ ପାଇଁ ୭ କୋଟି ୮୫ ଲକ୍ଷ ଟଙ୍କା ରଖାଯାଇଛି। ଆଜି ଉକ୍ତ ପ୍ରକଳ୍ପଗୁଡ଼ିକ କାଉନସିଲ ବୈଠକରେ ଅନୁମୋଦନ ହୋଇଛି। ବୈଠକରେ ନିର୍ବାହୀ ଅଧିକାରୀ ମୁରଲୀ କ୍ରିଷ୍ଠା ପଣ୍ଡା ବିବରଣୀ ପଠନ କରିଥିଲେ। ଏଡିଏମ୍‌ ସୁନୀଲ କୁମାର କେରେକେଟା, ଏନ୍‌ଏସି ଉପାଧ୍ୟକ୍ଷା ଶୁଭଲକ୍ଷ୍ମୀ ଦାସ, ଏମ୍‌ପି ପ୍ରତିନିଧି ସନ୍ତୋଷ ତିଆଡ଼ି ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ମୁଖ୍ୟ ସହାୟକ, ବିଜ୍ଞାପିତ ଅଞ୍ଚଳ ପରିଷଦ ଭଞ୍ଜନଗର ମିଲନ ମୋହନ ମୁର୍ମୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।
ସୂଚନାଯୋଗ୍ୟ, ଭଞ୍ଜନଗର ଏନ୍‌ଏ୍‌ସି ମ୍ୟୁନିସିପାଲଟି ଘୋଷଣା ହୋଇ ଯାଇଛି। ତେଣୁ ଅନେକ ଗ୍ରାମ ମ୍ୟୁନିସିପାଲିଟିରେ ମିଶିବ। ତେଣୁ ଅଧିକ ବିକାଶ ହେବ। ଏହାକୁ ଦୃଷ୍ଟିରେ ରଖି ମାଷ୍ଟର ପ୍ଲାନ୍‌ ହୋଇଛି।