ଦୁର୍ଘଟଣାଗ୍ରସ୍ତ ପୂର୍ବରୁ ସହିଦ ପାଇଲଟ ନାମନାଶ ସିଆଲଙ୍କ ଶେଷ ଭିଡିଓ

ଦୁବାଇ ଏୟାର ଶୋ ୨୦୨୫ର ଶେଷ ଦିନରେ ଘଟିଛି ଦୁଃଖଦ ଦୁର୍ଘଟଣା । ଦୁର୍ଘଟଣାଗ୍ରସ୍ତ ହୋଇଛି ଲଢ଼ୁଆ ବିମାନ ତେଜସ୍ । ଦୁର୍ଘଟଣା ଏତେ ତୀବ୍ର ଥିଲା ଯେ ଘଟଣାସ୍ଥଳରେ କେବଳ ଧୂଆଁ ଏବଂ ନିଆଁ ହୁତହୁତୁ ହୋଇ ଜଳୁଥିଲା । ଆଉ ଲଢ଼ୁଆ ବିମାନ ଦୁର୍ଘଟଣାରେ ପାଇଲଟ ୱିଙ୍ଗ କମାଣ୍ଡର ନାମନାଶ ସିଆଲ୍ ଙ୍କ ମୃତ୍ୟୁ ହୋଇଛି । ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ତେଜସ୍ ଦୁବାଇରେ ଆୟୋଜିତ ଏୟାର ଶୋ’ରେ କ୍ରାସ୍ ହୋଇଯାଇଛି ।୩୪ ବର୍ଷୀୟ ନାମନାଶ ସିଆଲଙ୍କ ସହିଦ ଖବର ଶୁଣି ପୁରା ଗାଁ ଶୋକରେ ବୁଡ଼ିଯାଇଛି । ସମ୍ପର୍କୀୟ, ପଡ଼ୋଶୀ ଏବଂ ଗାଁର ମହିଳାମାନେ କାନ୍ଦି କାନ୍ଦି ଅଧୈର୍ଯ୍ୟ ହୋଇପଡ଼ୁଛନ୍ତି । ଘର ବାହାରେ ଶୋକର ଛାୟା ଖେଳି ଯାଇଛି ।ତେବେ ଏହି ଦୁର୍ଘଟଣା ପୂର୍ବରୁ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଭାରତର ସାହସୀ ପାଇଲଟ୍ ୱିଙ୍ଗ କମାଣ୍ଡର ନାମନାଶ ସିଆଲ୍, ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ୍, ୟୁଏଇରେ ଭାରତୀୟ ରାଷ୍ଟ୍ରଦୂତ ଦୀପକ ମିତ୍ତଲ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ (ଉପଶାଳୀ) ଅସୀମ ମହାଜନଙ୍କ ସହିତ ଦେଖିବାକୁ ମିଳିଛି । ଦୁବାଇ ପୂର୍ବରୁ ତେଜସ୍ ବିମାନ ଗୌହାଟି ଏୟାର ଶୋରେ ଏକ ଚମତ୍କାର ପ୍ରଦର୍ଶନ କରିଥିଲା ।ଶୁକ୍ରବାର ଅପରାହ୍ନ ପ୍ରାୟ ୨.୧୦ ମିନିଟ୍ ସମୟରେ ଆଲ୍ ମକତୁମ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣା ଘଟିଥିଲା। ତେଜସ୍ ବିମାନ ଏକ ପ୍ରଦର୍ଶନ ପାଇଁ ଉଡୁଥିଲା। ଏହା ପ୍ରଦର୍ଶନୀ ସ୍ଥାନ ଉପରେ ଅନେକ ଥର ଉଡ଼ିଥିଲା ଏବଂ କମ୍ ରୋଲ୍ କରୁଥିଲା । ହଠାତ୍, ବିମାନଟି ନିୟନ୍ତ୍ରଣ ହରାଇଲା ଦ୍ରୁତ ଗତିରେ ଭୂମିକୁ ଖସି ପଡ଼ିଲା। ଧକ୍କା ହେବା ମାତ୍ରେ ଏକ ଜୋରଦାର ବିସ୍ଫୋରଣ ହୋଇଥିଲା । ଏବଂ କଳା ଧୂଆଁ ପୁରା ପରିବେଶରେ ଛାଇଯାଇଥିଲା । ଭିଡିଓ ଫୁଟେଜରେ ବିମାନଟି ବ୍ୟାରେଲ ରୋଲ୍ କରୁଥିବାର ଦେଖାଯାଇଥିଲା କିନ୍ତୁ ପରେ ଭାରସାମ୍ୟ ହରାଇ ବସିଥିଲା । ଦୁର୍ଘଟଣାର କାରଣ ଜଣାପଡ଼ିନଥିବା ବେଳେ କାରଣ ପାଇଁ ଏକ କୋର୍ଟ ଅଫ୍ ଇନ୍କ୍ୱାରୀ ଗଠନ କରାଯାଇଛି ।ନାମନାଶ ସିଆଲ୍ ହିମାଚଳ ପ୍ରଦେଶର କାଙ୍ଗଡ଼ାର ବାସିନ୍ଦା ଥିଲେ । ଶହୀଦଙ୍କ ଶରୀର ରବିବାର ଅପରାହ୍ନ ୨ ଟାରେ ଗଗଲ୍ ବିମାନବନ୍ଦରରେ ପହଞ୍ଚିବ। ତା’ପରେ ତାଙ୍କ ପୈତୃକ ଶ୍ମଶାନ ଭୂମି ସେଲୁଦରେ ପୂର୍ଣ୍ଣ ରାଷ୍ଟ୍ରାୟତ୍ତ ଏବଂ ସାମରିକ ସମ୍ମାନ ସହିତ ଅନ୍ତିମ ସଂସ୍କାର କରାଯିବ ।ତେବେ ମଲ୍ଟି ରୋଲ୍ ଫାଇଟର ଜେଟ୍ ତେଜସ୍, ଶତ୍ରୁକୁ ମୁହଁତୋଡ଼ ଜବାବ ଦେବାରେ ପାରଙ୍ଗମ । ସ୍ୱଦେଶୀ ଜ୍ଞାନରେ ବିକଶିତ ତେଜସ୍ ଏକ ହାଲୁକା ଯୁଦ୍ଧ ବିମାନ । ଗୋଟିଏ ସିଟ ଏବଂ ଗୋଟିଏ ଇଞ୍ଜିନ୍ ବିଶିଷ୍ଟ ଫାଇଟର ଜେଟ୍ । ୨୦୦୧ରେ ପ୍ରଥମ ଉଡ଼ାଣ ଭରିଥିବା ସ୍ବଦେଶୀ ଫାଇଟର ଜେଟ୍ ଦୀର୍ଘ ୨୪ ବର୍ଷ ଧରି ନିଜର ଦକ୍ଷତା ଦେଖାଇ ଆସିଛି । ଯଦିଓ ୨୦୦୧ରୁ ଉଡ଼ାଣ ଭରିବା ଆରମ୍ଭ କରିଥିଲା ତେଜସ୍, କିନ୍ତୁ ୨୦୧୬ରେ ବାୟୁସେନା ଏବଂ ନୌସେନାରେ ସାମିଲ ହୋଇଥିଲା । ଲଗାତାର ଦୁଇ ବର୍ଷରେ ଦୁଇ ଥର ତେଜସ୍ ବିମାନ ଦୁର୍ଘଟଣା ହେବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।