ଭଞ୍ଜନଗର ରେ ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ

ଭଞ୍ଜନଗର ୨୬/୧୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ୩ ଦିନ ଧରି ହେବାକୁ ସାଂସଦ ଖେଳ ମହୋତ୍ସବ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ଆମ ଦେଶର କ୍ରୀଡାବିତ୍‌ମାନେ ବହୁ ଆଗକୁ ଯାଇଛନ୍ତି। ଏହା କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ହିଁ ସମ୍ଭବପର ହୋଇପାରିଛି। ଗ୍ରାମାଞ୍ଚଳରେ ଏବେବି ଅନେକ ଯୁବ କ୍ରୀଡାବିତ୍‌ ଲୁକ୍କାୟିତ ଅବସ୍ଥାରେ ଅଛନ୍ତି। ସେମାନଙ୍କୁ ଖୋଜି ବାହାର କରିବା ଲକ୍ଷ୍ୟରେ ବର୍ତ୍ତମାନ ସାଂସଦ ଖେଳ ମହୋତ୍ସବ ଚାଲିଛି। ଗ୍ରାମାଞ୍ଚଳରୁ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଖେଳାଳିମାନେ ପହଞ୍ଚିବେ। ଏଥିପାଇଁ ଡବଲ ଇଞ୍ଜିନ ସରକାର ପଦକ୍ଷେପ ନେଇଛନ୍ତି ବୋଲି ବିଧାୟକ ନାୟକ କହିଛନ୍ତି, ଉପଜିଲାପାଳ ଉମା ଶଙ୍କର ବେହେରା,ପୌରାଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ତହସିଲଦାର ଅଭିପ୍ସା ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ ନରୀସଭା ନାୟକ, ନିର୍ବାହୀ ଅଧିକାରୀ ମୁରଲୀ
କୃଷ୍ଣ ପଣ୍ଡା, ଏମପି ପ୍ରତିନିଧି ରବିନ୍ଦ୍ର ଗୌଡ, ଭାଜପା ନେତା ସୁବାସ ବରାଡ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ବିଡ଼ିଓ ଭାରତୀ ଦେବୀ ମହୋତ୍ସବରେ ଅଧ୍ୟକ୍ଷତା କରିଥିଲେ। ଏବିଡିଓ ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ ସଭାକୁ ସଂଯୋଜନା କରିଥିଲେ। ସହକାରୀ ନିର୍ବାହୀ ଯନ୍ତ୍ରୀ ନିତ୍ୟାନନ୍ଦ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ଭଞ୍ଜନଗର କଲେଜ ପଡିଆରେ ଫୁଟବଲ, କବାଡି, ଭଲିବଲ ଏବଂ କ୍ରିକେଟ ମ୍ୟାଚ ହେଉଛି। ଇଣ୍ଡୋର ଷ୍ଟାଡିୟମରେ ବ୍ୟାଟମିଣ୍ଟନ ଏବଂ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଚେସ୍‌ ଖେଳ ଚାଲିଛି। ଏଠାରୁ ମନୋନୀତ ଖେଳାଳିମାନେ ଜିଲାସ୍ତରୀୟ ପ୍ରତିଯୋଗିତାକୁ ଯିବେ।