ନନ୍ଦ କିଶୋର ନାମରେ ପୁଣି ଦୁଇଟି ମାମଲା :  ୫ କୋଟି ଟଙ୍କାର ଜମି ହଡ଼ପ ଅଭିଯୋଗ

ବେଲଗୁଣ୍ଠା/୨୫/୧୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅଞ୍ଚଳର ବହୁ ଜମି ମାଲିକଙ୍କୁ ନିଜର ବିଚକ୍ଷଣ ବାକ ଚାତୁରୀରେ ବିଭିନ୍ନ ପ୍ରଲୋଭନ ଦେଖାଇ ଏବଂ ଜମି ମାଲିକଙ୍କ ସରଳତାର ସୁଯୋଗ ନେଇ ଓ କିଛି ସରକାରୀ କର୍ମଚାରୀଙ୍କୁ ହାତକରି ବେଲଗୁଣ୍ଠା ଅଞ୍ଚଳରେ ଜମି ମାଲିକଙ୍କୁ ଠକି ବର୍ତ୍ତମାନ ଜେଲରେ ଥିବା ପାଟରାପଲ୍ଲୀ ଗ୍ରାମର ନନ୍ଦ କିଶୋର ଗୌଡ଼ଙ୍କ ନାମରେ ବେଲଗୁଣ୍ଠା ପୋଲିସ ଥାନାରେ ପୁଣି ରୁଜୁ ହୋଇଛି ଦୁଇଟି ଜମି ଠକେଇ ମାମଲା । ଦୁଇଟି ମାମଲା ମଧ୍ୟରୁ ପ୍ରଥମ ମାମଲାଟି ବେଲଗୁଣ୍ଠା ନିକଟ ଚଢ଼ିଆପଲ୍ଲୀ ଗ୍ରାମର ସୁବାସ ଚନ୍ଦ୍ର ରାଉତ ଗତ ନଭେମ୍ବର ୧ ତାରିଖରେ ଦାଖଲ କରିଥିବା ବେଳେ ଦ୍ୱିତୀୟ ମାମଲାଟି ସଂପ୍ରତି ବ୍ରହ୍ମପୁର ନିବାସୀ ତଥା ବେଲଗୁଣ୍ଠା ପୋଲିସ ଥାନା ଅନ୍ତର୍ଗତ ବାଣତୁମ୍ବ ଗ୍ରାମର ମୂଳ ବାସିନ୍ଦା ମନୋଜ କୁମାର ମିଶ୍ର ଗତ ଦୁଇ ଦିନ ତଳେ ଦାଖଲ କରିଛନ୍ତି । ଉଭୟ ଘଟଣାରେ ନନ୍ଦ କିଶୋର ଗୌଡ଼ ଜମି ମାଲିକଙ୍କୁ ଠକି ନିଜ ନାମରେ ଜମି ହଟେଇବାରେ ସଫଳ ହୋଇଥିବା ଜଣାପଡିଛି । ପ୍ରଥମ ଘଟଣାରେ ଚଢ଼ିଆ ପଲ୍ଲୀ ଗ୍ରାମର ସୁବାସ ଚନ୍ଦ୍ର ରାଉତଙ୍କ ୧ଏକର ୧୬୦ ଡ଼େସି ମେଲ ଜମିକୁ ଭରଣ ପିଛା ୧୪ଲକ୍ଷ ୫୦ ହଜାର ଟଙ୍କା ହିସାବରେ ମୋଟ ଜମିକୁ ୮୪ ଲକ୍ଷ ୧୦ ହଜାର ଟଙ୍କାରେ ଚୁକ୍ତି କରି ୨୫.୭.୨୦୨୩ ରେ ଏକ ଚୁକ୍ତି ସମ୍ପାଦନ କରି ୧୫ଲକ୍ଷ ଟଙ୍କା ଅଗ୍ରୀମ ଦେଇଥିଲେ । ତେବେ ପରବର୍ତ୍ତୀ ସମୟରେ ନନ୍ଦ କିଶୋର ଗୌଡ଼ ଜମିର ସମ୍ପୂର୍ଣ୍ଣ ଟଙ୍କା ନ ଦେଇ ସବ ରେଜିଷ୍ଟ୍ରେସନ କାର୍ଯ୍ୟାଳୟର କିଛି ଅଧିକାରୀ ଓ ଜନୈକ ଲେଖାଳିଙ୍କୁ ହାତ କରି ତାଙ୍କ ଜମିକୁ ନନ୍ଦ କିଶୋର ତା ନିଜ ନାମରେ କରାଇ ନେଇଥିବା ସୁବାସ ବେଲଗୁଣ୍ଠା ପୋଲିସ ଥାନାରେ ଅଭିଯୋଗ କରିଛନ୍ତି । ଜମିର ଖଜଣା ବାନ୍ଧିବା ପାଇଁ ତହସିଲ କାର୍ଯ୍ୟାଳୟକୁ ଯାଇଥିବା ବେଳେ ସୁବାସ ଏ ସମ୍ପର୍କରେ ଜାଣିବାକୁ ପାଇଥିବା କଥା କହିଛନ୍ତି  । କେବଳ ଏତିକି ନୁହେଁ ନନ୍ଦ କିଶୋର ଖଜୁରୀ ପଲ୍ଲୀ ମୌଜାର ଆଉ ଏକ ଜମିକୁ ସୁବାସଙ୍କ ସହ ମିଶି ଭାଗିଦାରୀରେ କିଣିବ କହି ସୁବାଷଙ୍କ ଠାରୁ ଏଚଡ଼ିଏଫସି ବ୍ୟାଙ୍କରୁ ପ୍ରଥମ ଚେକରେ ୮ ଲକ୍ଷ ଟଙ୍କା ଏବଂ ଦ୍ୱିତୀୟ ଚେକରେ ୨୭ ଲକ୍ଷ ଟଙ୍କା ଏବଂ ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ସୁବାସ ସୁନା ବନ୍ଧକ ରଖି ଆଣିଥିବା ୬ ଲକ୍ଷ ୭୦ ହଜାର ଟଙ୍କା ନେଇଥିବା ବେଳେ ସୁବାସଙ୍କ ୪୧୫/୫୫ ଖତିୟାନର ଜମିକୁ ଜାଲ ଦସ୍ତଖତ ମାଧ୍ୟମରେ ନିଜ ନାମରେ କରେଇ ନେଇଥିବା ସୁବାସ ଥାନାରେ ଅଭିଯୋଗ କରିଛନ୍ତି। ଭାଗିଦାରୀରେ ମିଶି ଜମି କିଣିବ କହି ନନ୍ଦ କିଶୋର ସୁବାଷଙ୍କ ଠାରୁ ମୋଟ ୪୧ ଲକ୍ଷ ୭୦ ହଜାର ଟଙ୍କା ନେଇଥିବା ବେଳେ ଖଜୁରୀପଲ୍ଲୀ ମୌଜାର ୪୫/୧୧୭ ଜମିକୁ ମଧ୍ୟ ନିଜ ନାମରେ ନନ୍ଦ କିଶୋର କରାଇ ନେଇଥିବ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ୫୨୩/୨୫ ଏକ ମାମଲା ରୁଜୁ ହୋଇଥିବା ବେଳେ ଏହାର ତଦନ୍ତଭାର ନିଜେ ଥାନା ଅଧିକାରୀ ରେବତୀ ଶବର ନେଇ ଅଭିଯୁକ୍ତକୁ ଜେଲରୁ ରିମାଣ୍ଡରେ ଆଣି ତଦନ୍ତ କରିଥିବା ଜଣାପଡ଼ିଛି । ସେହିଭଳି ଗତ ଦୁଇଦିନ ତଳେ ବାଣତୁମ୍ବ ଗ୍ରାମର ମନୋଜ ମିଶ୍ରଙ୍କ ଏତଲାକୁ ଭିତ୍ତି କରି ୫୬୨/୨୫ରେ ଅନ୍ୟ ଏକ ମାମଲା ନନ୍ଦ କିଶୋର ଗୌଡ଼ ନାମରେ ରୁଜୁ ହୋଇଥିବା ଜଣାପଡିଛି । ଅଭିଯୋଗ ଅନୁଯାୟୀ ନନ୍ଦ କିଶୋର ଓ ତାର ସହଯୋଗୀ ମାନେ ମନୋଜଙ୍କ ବୃଦ୍ଧ ବାପା ସୁବାସ ଚନ୍ଦ୍ର ମିଶ୍ର (୮୭) ଏବଂ ମାଆ ସାଇବାଣୀ ଓରଫ ସୁଦେଣ୍ଣା ମିଶ୍ରଙ୍କ ଦସ୍ତଖତ ଜାଲ କରି ପ୍ରାୟ ୧୧ ଭରଣ ଜମିକୁ ହଡ଼ପ କରିଥିବା ଅଭିଯୋଗ ହୋଇଛି । ଉକ୍ତ ଜମିର ମୂଲ୍ୟ ଅନୁମାନିକ ୪ କୋଟିରୁ ଉର୍ଦ୍ଧ୍ବ ହେବ ବୋଲି କୁହାଯାଉଛି । ବେଲଗୁଣ୍ଠା ରେଡ଼ହଟ ରେଷ୍ଟୁରାଣ୍ଟ ସାମ୍ନାରେ ଥିବା ଓ ବେଙ୍ଗେଇ ବନ୍ଧ ସାମ୍ନାରେ ଥିବା ଜମିକୁ ଜାଲିଆତି କରି ହଡ଼ପ କରିଥିବା ଜଣାପଡିଛି । ଏହିଜାଲିଆତିରେ ମନୋଜଙ୍କ ଭଉଣୀ ଶୈଳ।ବାଳା ରଥଙ୍କୁ ଜମି ମାଫିଆ ମାନେ ପ୍ରଲୋଭିତ କରି ତାଙ୍କ ସହ ମିଶି ମନୋଜଙ୍କ ବାପା ସୁବାସ ଓ ମା ସାଇବାଣୀ ଓରଫ ସୁଦର୍ଣ୍ଣାଙ୍କ ଦୁଇଟି ଦଲିଲରେ ଜାଲ ଦସ୍ତଖତ କରାଇ ଜମି ଠକି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ଜମି ବାବଦକୁ ସୁବାସଙ୍କୁ ଅଗ୍ରୀମ ୧୦ ଲକ୍ଷ ଟଙ୍କା ଦିଆଯାଇଥିବ ନେଇ ଏକ ଏଗ୍ରିମେଣ୍ଟ କରାଯାଇଥିବା ବେଳେ ଏହା ସମ୍ପୂର୍ଣ୍ଣ ଜାଲ ବୋଲି ମନୋଜ କହିଛନ୍ତି । ଏହି ଜାଲ ଦଲିଲକୁ ଦେଖାଇ ନନ୍ଦ କିଶୋର ତହସିଲର ଜନୈକ କର୍ମଚାରୀଙ୍କୁ ହାତକରି ନିଜ ନାମରେ ପଟ୍ଟା କରାଇ ନେଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ମନୋଜଙ୍କ ବୃଦ୍ଧ ବାପା ଓ ମା ଜାଣିପାରି ନ ଥିବା କୁହାଯାଇଛି । ପୂର୍ବରୁ ଦୁଇଟି ମାମଲାରେ ଜେଲରେ ଥିବା ନନ୍ଦ କିଶୋର ପୁଣି ମନୋଜଙ୍କ ଅଭିଯୋଗ ପରେ ମୋଟ ତିନୋଟି ମାମଲାରେ ଅଭିଯୁକ୍ତ ଥିବା ବେଳେ ନନ୍ଦ କିଶୋରର ଏହି କଳାକାରନାମାରେ ଅନ୍ୟ କେଉଁ କେଉଁ ମାନେ ସାମିଲ ଅଛନ୍ତି ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଲେ ପ୍ରକୃତ ସତ୍ୟ ଜଣାପଡ଼ିବ ବୋଲି କୁହାଯାଉଛି ।