ମନ୍ତ୍ରମୁଗ୍ଧ କରୁଛି ବାଲାଜୀ ଙ୍କ ଭାଓଲିନ୍ ତବଲା

ଭଞ୍ଜନଗର:୦୩/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ୍ କୁଲାଡ଼ ଗ୍ରାମର ବାଲାଜୀ ସାହୁ ଜନ୍ମରୁ ଦିବ୍ୟାଙ୍ଗା ଗୋଟିଏ ଗୋଡ଼ ସହାୟତାରେ ଚଳପ୍ରଚଳ କରିଥା’ନ୍ତି। ବାଲାଜୀ ବର୍ତ୍ତମାନ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଆଚାର୍ଯ୍ୟ ଭାବେ କାର୍ଯ୍ୟରତା ତେବେ ବାଦ୍ୟଯନ୍ତ୍ର ବଜାଇବାରେ ନିପୁଣତା ତାଙ୍କୁ ଦେଇଛି ଭିନ୍ନ ଏକ ପରିଚୟ। ତବଲା, ହାରମୋନିୟମ୍‌ରେ ତାଙ୍କ ଅଙ୍ଗୁଳି ଚାଳନା ସୁନ୍ଦର ମୂର୍ଦ୍ଧନା ସୃଷ୍ଟି କରୁଥିବା ବେଳେ ଭାଓଲିନ୍‌ ବଜାଇବାରେ ସେ ମାହିର୍ । ସେ ଯେତେବେଳେ ଭାଓଲିନ୍‌ ବଜାଇବା ଆରମ୍ଭ କରନ୍ତି ଯେ, କେହି ବି କିଛି ସମୟ ଅଟକି ତାକୁ ଶୁଣିବାକୁ ତାଙ୍କ ଶ୍ରୁତି ମଧୁର ଶବ୍ଦ ଏକ ପ୍ରକାର ବାଧ୍ୟ କରେ। ବାଲାଜୀଙ୍କ ବାପା ସୀତାରାମ ସାହୁଙ୍କ କିଛି ତଳେ ଦେହାନ୍ତ କରିଥିବା ବେଳେ ସେ ଘରର ଏକ ମାତ୍ର ପୁଆ ତାଙ୍କର ୪ ଭଉଣୀ, ପତ୍ନୀ ଓ ପୁଅ ଅଛନ୍ତି| ସେମାନେ ମଧ୍ୟ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଇବା ଦିଗରେ ପ୍ରେରିତ କରନ୍ତି ବୋଲି ସେ କହିଛନ୍ତି।
ବାଲାଜୀ କଲେଜରେ ଶିକ୍ଷା ଗ୍ରହଣ କରିବା ପରେ ଭବିଷ୍ୟତ ନେଇ ସନ୍ଦିହାନ ଥିଲେ। ଏହି ସମୟରେ ସଙ୍ଗୀତ ଗୁରୁ ବିପ୍ରଚରଣ ପ୍ରଧାନଙ୍କ ସଂସ୍ପର୍ଶରେ ଆସି ହାରମୋନିୟମ, ତବଲା ଓ ଭାଓଲିନ ବାଦ୍ୟଯନ୍ତ୍ର ବଜାଇବା ଶିକ୍ଷା ଗ୍ରହଣ କରିଥିଲେ । ସେବେଠାରୁ ନିୟମିତ ଅଧ୍ୟବସାୟ ଜାରି ରଖିଥିବା ସେ କହିଛନ୍ତି । ସେ ୨୦୦୮ ମସିହାରୁ ଭଞ୍ଜନଗର ଶିଶୁ ମନ୍ଦିରରେ ଆଚାର୍ଯ୍ୟ ଭାବେ ଯୋଗ ଦେବା ପରଠାରୁ ସ୍କୁଲର ସମସ୍ତ କାର୍ଯ୍ୟକ୍ରମରେ ବାଦ୍ୟଯନ୍ତ୍ର ବଜାଇବା ସହ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ପରିବେଷଣ କରୁଛନ୍ତି। ସ୍କୁଲରେ ପିଲାଙ୍କୁ ମାଗଣା ଶିକ୍ଷା ଦେବା ପାଇଁ ପ୍ରୋତ୍ସାହିତ କରୁଥିବା ବେଳେ ଯେ କୌଣସି ବ୍ୟକ୍ତି କିମ୍ବା ଛାତ୍ର ଚାହିଁଲେ ସେ ମାଗଣାରେ ଭାଓଲିନ୍ ଶିକ୍ଷା ଦେବେ ବୋଲି କହିଛନ୍ତି। କାହିଁକି ନା ତାଙ୍କର ଅକ୍ଷମତା ସମୟରେ ସଙ୍ଗୀତ ବାଦ୍ୟଯନ୍ତ୍ର ଶିକ୍ଷା ତାଙ୍କୁ ଶତ ସାହସ ଦେଇଛି। ଆଉ ଯେଉଁ ଗୁରୁଙ୍କ ଠାରୁ ସେ ଏଭଳି ଶିକ୍ଷା ପାଇଛନ୍ତି ତାଙ୍କର ଋଣ ସେ ଜୀବନରେ କେବେ ଶୁଝି ପାରିବେ ନାହିଁ। ଶାରିରୀକ ଅକ୍ଷମତା ସତ୍ତ୍ବେ ତାଙ୍କର ସାଧନା ଆଜି ତାଙ୍କୁ ସମାଜରେ ନିଆରା କରିପାରିଛି।