ଭଞ୍ଜନଗର: ଗଜସାଥୀଙ୍କୁ ଦିନିକିଆ ଦକ୍ଷତା ପ୍ରଶିକ୍ଷଣ

ଭଞ୍ଜନଗର ୦୩/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ବୁଧବାର ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ଗଜ ସାଥି ଦକ୍ଷତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ବିଶ୍ୱନାଥ ନୀଳାମ୍ବର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋକଙ୍କ ମଧ୍ୟରେ ସଚେତନତା ବଢ଼ିଲେ ହାତୀ ମଣିଷ ଲଢେଇ କମିବ ବୋଲି କହିଥିଲେ। ଏଥିପାଇଁ ଗଜସାଥିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିସହ ଗଜସାଥି ମାନେ ଗାଁକୁ ଗାଁ ବୁଲି ଶିକାର,ବହୁକିଙ୍ଗ ଉପରେ ତଥ୍ୟ ସଂଗ୍ରହ କରିବେ। ଏହାପରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ତଥ୍ୟ ପ୍ରଦାନ କରିବେ। ହାତୀମାନଙ୍କ ସୁରକ୍ଷା ପାଇଁ ସରକାର ଏସଓପି ଜାରି କରିଛନ୍ତି। ଏସଓପି ଆଧାରରେ ହାତୀଙ୍କ ସୁରକ୍ଷା କରାଯିବ ବୋଲି ଆର୍‌ସିସିଏଫ କହିଥିଲେ।

ନୂଆ ଏସଓପି ଅନୁସାରେ ଦୁଇଜଣ ଗଜସାଥୀ ଗାଁକୁ ଯାଇ ସମ୍ପୃକ୍ତ ଅଞ୍ଚଳର ଲୋକଙ୍କ ଭେଟି ତଥ୍ୟ ସଂଗ୍ରହ କରିବେ। ଲୋକଙ୍କୁ ସଚେତନ କରାଇବେ। ଲୋକଙ୍କ ଫସଲ କ୍ଷତି ହେଲେ କିଭଳି ଫସଲ କ୍ଷତିପୂରଣ ମିଳିପାରିବ ସେନେଇ ଗଜସାଥିମାନେ ଚାଷୀଙ୍କୁ ସହଯୋଗ କରିବେ। ଏହାଦ୍ବାରା ଲୋକଙ୍କ ସମସ୍ୟାର ସମାଧାନ ସହ ବିଭାଗ ପ୍ରତି ଲୋକଙ୍କ ବିଶ୍ବାସ ବଢିବ। ଏଥିପ୍ରତି ଦୃଷ୍ଟି ଦେବାପାଇଁ ଆରସିସିଏଫ ଉପସ୍ଥିତ ଗଜସାଥି ଏବଂ କର୍ମଚାରୀଙ୍କୁ ଆହ୍ବାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜନଗର ଡିଏଫଓ ହିମାଂଶୁ ଶେଖର ମହାନ୍ତି, ବନ୍ୟପ୍ରାଣୀ ନିର୍ଦ୍ଦେଶକ ତଥା ଅବସରପ୍ରାପ୍ତ ଆଇଏଫଏସ ଅଧିକାରୀ ଅରୂପ ନାୟକ, ବାଲିଗୁଡା ଡିଏଫଓ ଘନଶ୍ୟାମ ମହାନ୍ତି, ସ୍ନେହା ନିର୍ଦ୍ଦେଶକ ରଞ୍ଜିତ ପଟ୍ଟନାୟକ ପ୍ରମୁଖ ଆଲୋଚନାର ଭାଗନେଇ ବନ୍ୟପ୍ରାଣୀ କିଭଳି ସୁରକ୍ଷିତ ରହିପାରିବ ସେ ଉପରେ କହିଥିଲେ। ମୁଜାଗଡ ରେଞ୍ଜର ବିମ୍ବାଧର ସାହୁ ସ୍ବାଗତ ଭାଷଣ ଦେଇଥିବା ବେଳେ କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥିବୀ ରାଜ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ।