ପୋଲିସ୍ କୁ ଧମକାଇବା ପଡିଲା ମହଙ୍ଗା; ବାପା ସମେତ ବନ୍ଧା ହେଲେ ଦୁଇ ପୁଅ

ଭଞ୍ଜନଗର ୦୩/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ସରକାରୀ କର୍ମଚାରୀ ଡିୟୁଟିରେ ଥ‌ିବା ସମୟରେ ପୁଲିସକୁ ଗାଳି କାରିବା ଓ ଧମକ ଦେବା ସଙ୍ଗେ ମାରିବାକୁ ଚେଷ୍ଟା କରିବା ବାପା ଓ ଦୁଇ ପୁଅକୁ ମହଙ୍ଗା ପଡିଛି। ପୁଲିସ କର୍ମଚାରୀ ଙ୍କୁ ଧମକାଇବା ଅଭିଯୋଗରେ ଭଞ୍ଜନଗର ପୁଲିସ ଧୁମୁଛାଇର ବିଚିତ୍ର ସ୍ବାଇଁ ଓ ତାଙ୍କର ଦୁଇ ପୁଅ ସଂଗ୍ରାମ ସ୍ବାଇଁ ଏବଂ ବିକ୍ରମ କିଶୋର ସ୍ବାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୁଚନାନୁସାରେ, ଗତ ସୋମବାର ସନ୍ଧ୍ୟା ସମୟରେ ଥାନାଧିକାରୀ ଜିବନାନନ୍ଦ ଜେନାଙ୍କ ନିର୍ଦେଶ ପ୍ରକାରେ ଏସଆଇ ସମୀର କୁମାର ସେଠୀ ଓ ଥାନା କର୍ମଚାରୀ ବେଲଗୁଣ୍ଠା ରାସ୍ତାରେ ପେଟ୍ରୋଲିଂ କରୁଥିଲେ। ସେହି ସମୟରେ ଜାମପଲ୍ଲୀ ଛକ ନିକଟ ବିଦେଶୀ ମଦ ଦୋକାନ ପାଖରେ ଥ‌ିବା ଏକ ଦୋକାନରେ କିଛି ଲୋକ ଠିଆ ହୋଇ ଗ୍ଲାସ ଧରି ମଦ ପିଇବା ସହ ଓ ପାଟିତୁଣ୍ଡ କରୁଥିବା ଖବର ପାଇ ପେଟ୍ରୋଲିଂ ଟିମ୍ ସେଠାରେ ଚଢାଉ କରିଥିଲେ। ପୁଲିସ ଆସିବା ଦେଖ୍ ଲୋକ ମାନେ ଦୌଡିବା ଆରମ୍ଭ କରିଥିଲେ।ସନ୍ଦେହ ହେବାରୁ ଏଠାରେ କାହିଁକି ଗହଳି ହୋଇଛି ବୋଲି ପୁଲିସ ଦୋକାନୀକୁ ପଚାରିଲେ। ଏହି ସମୟରେ ଦୋକାନ ମାଳିକ ବିକ୍ରମ ସ୍ବାଇଁ ଓ ତାର ବାପା ବିଚିତ୍ର ସ୍ବାଇଁ ପୁଲିସକୁ ଖରାପ ଭାଷାରେ ଗାଳିଗୁଳଜ କରିଥିଲେ। ଦୋକାନରେ ମଦ ବିକ୍ରି ହେଉଥିବା ସନ୍ଦେହ କରି ପୁଲିସ ଯେତେବେଳେ ଦୋକାନ ଭିତରକୁ ଯାଇ ଖୋଜିବାକୁ ଚେଷ୍ଟା କଲେ,ସେତେବଳେ ବିକ୍ରମ ସ୍ବାଇଁ ଦୋକାନରୁ ଗୋଟେ ଛୁରୀ ଆଣି କନଷ୍ଟେବଳ ସାଗର ପ୍ରଧାନଙ୍କ ବେକକୁ ଲଗାଇ ମାରିବାକୁ ଚେଷ୍ଟା କରିଥିଲା।ବିଚିତ୍ର ସ୍ବାଇଁ ଓ ତାର ଦୁଇ ପୁଅ ପୁଲିସକୁ ଘର ଭିତରକୁ ଯିବାକୁ ଦେଲେ ନହିଁ। ଓଲଟି ଯଦି ତୁମେ ଘରକୁ ଯିବ, ତେବେ ତୁମୁକୁ ଜୀବନରେ ମାରିଦେବୁ ବୋଲି ପୁଲିସ କୁ ଧମକ ଦେଇଥିଲେ। ମୁଁ ଜଣେ ସିନିୟର ସିଟିଜେନ। ଭାରତର କୌଣସି ଆଇନ ମୋର କିଛି କରି ପାରିବନି କି ମୋତେ ଆରେଷ୍ଟ କରିପାରିବେନି। ମୁଁ ପୁଲିସ ନାଁରେ ମିଛ ଅଭିଯୋଗ କରି ତୁମକୁ ଫସେଇଦେବି ଓ ତୁମକୁ ସସପେଣ୍ଟ କରାଇଦେବି ବୋଲି ବିଚିତ୍ର ସ୍ବାଇଁ ପୁଲିସ କୁ କହିଥିଲେ। ବହୁ କଷ୍ଟରେ ପୁଲିସ ବାପା ପୁଅ ତିନି ଜଣକୁ ଧରିବାରେ ସକ୍ଷମ ହୋଇଥିଲା।ପୁଲିସ କୁ ଧମକାଇବା ଅଭିଯୋଗ ରେ ଏକ ମାମଲା ରୁଜୁ କରି ବାପ ପୁଅ ତିନିଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୁଚନା ଦେଇଛନ୍ତି।