ସାଇବର ଠକେଇ ପାଇଁ ଭଡ଼ାରେ ଲାଗୁଛି ବ୍ୟାଙ୍କ୍ ଆକାଉଣ୍ଟ; ଏନସିଆରପି ରାଡାରରେ ଭଞ୍ଜନଗରର ୬୬ ମ୍ୟୁଲ ଆକାଉଣ୍ଟ

ଭଞ୍ଜନଗର ୦୩/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲାରେ ବଡ଼ ଚ୍ୟାଲେଞ୍ଜ୍ ଭାବେ ଉଭା ହୋଇଛି ସାଇବର ଠକେଇ। ଅନ୍‌ଲାଇନ୍ ଲୁଟ୍‌ର ଶିକାର ହୋଇ ଲୋକ ତ୍ରାହି ତ୍ରାହି ଡାକୁଥିବା ବେଳେ ଭଞ୍ଜନଗର ସମେତ ଜିଲ୍ଲାର ସମସ୍ତ ଥାନା ଇଲାକାରେ ଥିବା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ୍‌ ସାଇବର ଠକେଇରେ ସମ୍ପୃକ୍ତି ଥିବା ଜଣାପଡିଛି। କାହା ଆକାଉଣ୍ଟକୁ ୧୦ ଲକ୍ଷ ତ ଆଉ କାହା ଆକାଉଣ୍ଟ୍‌କୁ ୫୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଆସିଛି। ସାଇବର ଠକେଇର ଖିଅ ପାଇବା ପରେ ନୂଆଦିଲ୍ଲୀ ସ୍ଥିତ ଜାତୀୟ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲ(ଏନସିଆରପି) ପକ୍ଷରୁ ଗଞ୍ଜାମ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ଏହାର ଯାଞ୍ଚ ପାଇଁ ନିର୍ଦେଶନାମା ଜାରି ହୋଇଛି। ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ଏହି ‘ମ୍ୟୁଲ ଆକାଉଣ୍ଟ’ ସମ୍ପର୍କରେ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ହୋଇଥିବା ଯାଞ୍ଚ ବେଳେ ଗଞ୍ଜାମ ଜିଲା ଭଞ୍ଜନଗରର ବିଭିନ୍ନ ବ୍ୟାଙ୍କରେ ୬୬ ଟି ମ୍ୟୁଲ ଆକାଉଣ୍ଟ ଥିବା ଜଣାପଡିଛି।

ମ୍ୟୁଲ ଆକାଉଣ୍ଟ ହେଉଛି ବିଭିନ୍ନ ବ୍ୟାଙ୍କରେ ଥିବା ଆକାଉଣ୍ଟ, ଯାହା ଦ୍ବାରା ଅବୈଧ ଭାବେ ପ୍ରାପ୍ତ ଧନରାଶି ନେଣଦେଣ ପାଇଁ ଉପଯୋଗ ହୁଏ।ଯଦ୍ଵାରା ଅର୍ଥରାଶିର ମୂଳ ଉତ୍ସକୁ ଲୁଚା ଯାଇପାରେ। ଏଭଳି ଆକାଉଣ୍ଟ ସାଧାରଣତଃ ଭୁଲ ପରିଚୟପତ୍ର ଦେଇ କିମ୍ବା ନିରୀହ ଲୋକଙ୍କୁ ପ୍ରଭାବିତ କରି ବ୍ୟାଙ୍କରେ ଖାତା ଖୋଲାଯାଇଥାଏ। ଭଞ୍ଜନଗର ଅଧୀନସ୍ଥ ବିଭିନ୍ନ ବ୍ୟାଙ୍କରେ ଥିବା ଏପରି ୬୬ଟି ମ୍ୟୁଲ ଆକାଉଣ୍ଟ ସମ୍ପର୍କରେ ପୁଲିସ ପକ୍ଷରୁ ତଦନ୍ତ ଦ୍ବାରା ବହୁ ତଥ୍ୟ ସମ୍ମୁଖକୁ ଆସିଛି। ଏନେଇ ଜିଲ୍ଲା ପୁଲିସ୍ କୁ ନ୍ୟାସନାଲ୍ ସାଇବର କ୍ରାଇମ୍ ରିପୋଟିଂ ପୋର୍ଟାଲ୍ ଆଧାରରେ ତାଲିକା ଆସିବା ପରେ ଭଞ୍ଜନଗର ଥାନା ପକ୍ଷରୁ ଜେରା ଆରମ୍ଭ ହୋଇଛି। ଯେଉଁ ମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟ ସାଇବର ଠକେଇର ବ୍ୟବହାର କରାଯାଇଛି, ସେମାନଙ୍କୁ ଥାନାକୁ ଡକାଇ ଅନୁସନ୍ଧାନ କରାଯାଉଛି। କେଉଁ ପରିସ୍ଥିତିରେ ଓ କିପରି ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି, ସେନେଇ ଯାଞ୍ଚ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ଆକାଉଣ୍ଟ ଯାଞ୍ଚ କରାଯାଇ ୧୨୭୦ ରେ ଏକ ମାମଲା ରୁଜୁ ହୋଇଛି।

ଏସଡିପିଓ ଡ.ଦିପକ କୁମାର ମିଶ୍ର ଏହାର ତଦନ୍ତ କରୁଥିବା ବେଳେ ପ୍ରଥମେ ୧୦ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ଆରମ୍ଭ ହୋଇଛି।ଆଉ ବାକି ଆକାଉଣ୍ଟ ଗୁଡିକର ଯାଞ୍ଚ ଚାଲିଛି। ଯଦି ଠକେଇରେ ଭାଗିଦାରୀ ସ୍ପଷ୍ଟ ହୁଏ, ତେବେ ଅନ୍ୟ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନାଅଧିକାରୀ ଜିବନାନନ୍ଦ ଜେନା କହିଛନ୍ତି। ଏଥିସହିତ ନିଜ ଆକାଉଣ୍ଟ୍‌କୁ ନିଜେ ସୁରକ୍ଷିତ ଭାବେ ବ୍ୟବହାର କରନ୍ତୁ। କିଛି ଟଙ୍କା ଲୋଭରେ ପଡ଼ି ନିଜର ଆକାଉଣ୍ଟକୁ ଅନ୍ୟ ବ୍ୟକ୍ତିକୁ ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ। ଯଦି କୌଣସି ଅପରାଧରେ ଏହି ଆକାଉଣ୍ଟର ସମ୍ପୃକ୍ତି ଥାଏ, ତେବେ ସେମାନଙ୍କ ବିରୋଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ ଶ୍ରୀ ଜେନା ସତର୍କ କରାଇଛନ୍ତି ।