ବେଲଗୁଣ୍ଠାରେ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ; ୯୭ ଅଭିଯୋଗର ଶୁଣାଣି ସମାପ୍ତ

ବେଲଗୁଣ୍ଠା ୧୫/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ସୋମବାର ଦିନ  ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ପାଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତି ଭାଷନ ଭି , ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ,ବ୍ଲକ ଅଧ୍ୟକ୍ଷା ମମତା ଭୋଳ, ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣି କରିଥିଲେ । ଅଭିଯୋଗ ଶୁଣାଣିରେ ସର୍ବମୋଟ ୯୭ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ୦୪ଟି ଅଭିଯୋଗର ତୁରନ୍ତ ଫଇସଲା କରାଯାଇ ୪ଜଣଙ୍କୁ ତୁରନ୍ତ ରାସନ କାର୍ଡ଼ ପ୍ରଦାନ କରାଯାଇଥିଲା । ସେହିଭଳି ୦୬ଟି ଅଭିଯୋଗରେ ରେଡ଼କ୍ରସ ପାଣ୍ଠିରୁ ଅଭିଯୋଗ ଶୁଣାଣି ସ୍ଥଳରେ ୬ଜଣଙ୍କୁ ସର୍ବମୋଟ ୩୭,୫୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପରେ ଜିଲ୍ଲାପାଳ ସ୍ଥାନୀୟ ବେଲଗୁଣ୍ଠା ତହସିଲ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ ସମୀକ୍ଷା କରିଥିବା ଜଣାପଡ଼ିଛି ।