ଛାତ୍ରଛାତ୍ରୀଙ୍କ ବନ୍ଧୁ ବିଦେଶୀ ସାର୍; ମାଗଣା ଟ୍ୟୁସନ୍ ସହ ଶିଖାଉଛନ୍ତି ନାଚଗୀତ

ଭଞ୍ଜନଗର ୧୫/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଶିକ୍ଷା ସମସ୍ତଙ୍କ ଅଧିକାର। ଯଦିଓ ଅଧାରୁ ପାଠ ଛାଡିଥିବା ପିଲାଙ୍କୁ ପୁନର୍ବାର ବିଦ୍ୟାଳୟ ମୁହାଁ କରିବାକୁ ସରକାରୀ ସ୍ତରରେ ଅନେକ ଘୋଷଣାନାମା ଜାରି ହେଉଛି, ହେଲେ ତୃଣମୂଳ ସ୍ତରରେ ଅଧିକାରୀ ହୁଅନ୍ତୁ ଅବା କର୍ମଚାରୀଙ୍କ ଆନ୍ତରିକତାର ଅଭାବ ସରକାରଙ୍କ ଲକ୍ଷ୍ୟ ପୂରଣରେ ପ୍ରତିବନ୍ଧକ ସାଜୁଥିବା ପରିଲକ୍ଷିତ ହେଉଛି। ହେଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ମାଧବରିଡା ଗ୍ରାମର
ଶିକ୍ଷକ ତ‌ଥା ପରିବେଶବିତ୍ ବିଦେଶୀ କୁମାର ନାୟକ ପିଲାଙ୍କ ପାଇଁ ଭିନ୍ନ ପ୍ରୟାସ କରିବା ଆରମ୍ଭ କରିଛନ୍ତି।ଓଡ଼ିଶାର କଳା ସଂସ୍କୃତିକୁ ବଞ୍ଚାଇବା ପାଇଁ ତାଙ୍କ ପ୍ରଚେଷ୍ଟାରେ ମଙ୍ଗଳା ନାଟ, ହଳୁଆ ଗୀତ, କୃଷ୍ଣଲୀଳା,ରାମ ଲୀଳା ଓ ଦେଶଭକ୍ତି ସହ ସମାଜ କୁ ସଚେତନତା ବାର୍ତ୍ତା ଦେବା ପାଇଁ ବିଭିନ୍ନ ନାଚଗୀତରେ ଅଭିନୟ କରୁଛନ୍ତି ଛାତ୍ରଛାତ୍ରୀ। ଏମାନଙ୍କ ନିଖୁଣ ଅଭିନୟ ଅଭିଭାବକ ଓ ଗ୍ରାମବାସୀଙ୍କୁ ସ୍ତବ୍ଧ କରିଥିବା ବେଳେ ବିଦେଶୀ ସାରଙ୍କ ଏଭଳି ନିଆରା ପ୍ରୟାସ ସ୍ଥାନୀୟ ଅଞ୍ଚଳରେ ଉଦାହରଣ ପାଲଟିଛି।

ବେଲଗୁଣ୍ଠା ବ୍ଲକର ମାଧବରିଡା ଗ୍ରାମଟି ସହର ଠାରୁ ବହୁ ଦୁରରେ ରହିଥିବାରୁ ପିଲାଙ୍କ ପାଠପଢ଼ା ପାଇଁ ଗାଁ ରେ ଏକ ପ୍ରାଥମିକ ବିଦ୍ୟାଳୟ ବ୍ୟତୀତ ସେମିତି କିଛି ସୁବିଧା ନାହିଁ। ଏଠାରେ ଥିବା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବିଦେଶୀ କୁମାର ନାୟକ ପିଲାଙ୍କୁ ଭଲ ପାଠ ପଢ଼ାଉଥିବା ଓ ଉଚିତ୍ ଶିକ୍ଷା ଦେଉଥିବାରୁ ଅଭିଭାବକ ମାନେ ତାଙ୍କୁ ଟ୍ୟୁସନ କରିବାକୁ କହିଥିଲେ। ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ଆଗ୍ରହ କୁ ଦେଖି କୌଣସି ଅର୍ଥ ନ ନେଇ ମାଗଣାରେ ସ୍କୁଲ ସମୟ ପୂର୍ବରୁ ଓ ପରେ ମଧ୍ୟ ସେ ପିଲାଙ୍କୁ ପାଠ ପଢ଼ାଇବା ସହ ଶନି ଓ ରବିବାର ସହ ଛୁଟି ଦିନରେ ପିଲାଙ୍କୁ ନାଚ ଗୀତ ଶିଖାନ୍ତି। ୨୦୧୬ ରୁ ବିଦେଶୀ ଏଠାରେ ଶିକ୍ଷକତା କରୁଥିବା ବେଳେ ଏବେ ପାଞ୍ଚ ବର୍ଷ ହେବ ଏଭଳି କାର୍ଯ୍ୟ ଜାରି ରଖିଛନ୍ତି। ଦୈନିକ ୧୨ ଘଣ୍ଟା ସମୟ ସେ ପିଲାଙ୍କ ପାଇଁ ଦିଅନ୍ତି। ସକାଳ ୭ ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ସେ ବିଦ୍ୟାଳୟରେ ହିଁ ରହନ୍ତି। ଘରୁ ଆସିବା ବେଳେ ସାଙ୍ଗରେ ଖାଇବା ଆଣିଥାନ୍ତି। ବିଭିନ୍ନ ଗଛଳତା ଲଗାଇ ସେ ସ୍କୁଲ ପରିବେଶ କୁ ମଧ୍ୟ ଖୁବ ସୁନ୍ଦର ଭାବେ ସଜାଇଛନ୍ତି। ନିଜେ ବଗିଚାର ଯତ୍ନ ନେବାସହ ପିଲା ମାନଙ୍କୁ ମଧ୍ୟ ଗଛ ଲଗାଇବା ଓ ଯତ୍ନ ନେବା ସମ୍ପର୍କରେ ତାଲିମ ଦେଇଥାନ୍ତି।

ବିଦେଶୀ ସାର୍ ପିଲାଙ୍କ ଅତି ନିଜର। ସାର୍ ତ ନୁହନ୍ତି ସେ ସତେ ଯେମିତି ଛାତ୍ରଛାତ୍ରୀ ତାଙ୍କ ସାଙ୍ଗ।ସେ ପ୍ରତିଦିନ ପିଲା ମାନଙ୍କୁ କିଛି ସମୟ ପାଠ ଓ ନାଚ ସହିତ ବିଭିନ୍ନ ଖେଳ କୁଦ ଶିଖାଇଥାନ୍ତି। ନିପଟ ପଲ୍ଲୀ ଗାଁ ରେ ବାସ କରୁଥିବା ପିଲାଙ୍କ ପାଖରେ ପାଠ ସହିତ ଏଭଳି ନାଟ କଳା କୁ ଦେଖିଲେ ଯେ ମଧ୍ୟ ବିସ୍ମିତ ହେଉଛି। ଶିକ୍ଷକ ବିଦେଶୀ ଙ୍କ କାର୍ଯ୍ୟକଳାପ ଓ ଛାତ୍ରବସ୍ଥଳ ଦେଖି ଗ୍ରାମବାସୀ ଓ ଅଭିଭବକ ମାନେ ମଧ୍ୟ ଖୁବ ଗର୍ବିତ। ନାଚ ,ଗୀତ ପାଠ ପାଇଁ ଆବଶ୍ୟକ ଉପକରଣ ଆଦି ଯୋଗାଇବା ରେ ସେ ସହଯୋଗ କରୁଛନ୍ତି।ଯଦ୍ବାରା ସ୍କୁଲ କୁ ଆସିବା ପାଇଁ ପିଲାଙ୍କ ମଧ୍ୟରେ ଏକ ପ୍ରକାର ଅଘୋଷିତ ପ୍ରତିଯୋଗିତା ଦେଖିବାକୁ ମିଳୁଥାଏ।ନାଚଗୀତ ଫଳରେ ଦୈନିକ ସ୍କୁଲ୍ ଆସିବାକୁ ପିଲାମାନଙ୍କର ଆଗ୍ରହ ବଢିଥାଏ। ବିଦେଶୀ ସାର୍ ପିଲାଙ୍କୁ ହସ ଖେଳ ଓ ଗୀତରେ ସେମାନଙ୍କ ମନକୁ ଜାଣି ତାଙ୍କ ମନ ଅନୁସାରେ ଶିକ୍ଷା ଦେଇଥାନ୍ତି। ଏହା ଫଳରେ ଅନେକ ଛାତ୍ରଛାତ୍ରୀ ପ୍ରତିଦିନ ବିଦ୍ୟାଳୟକୁ ଆସୁଛନ୍ତି। ପିଲାମନେ ବି ତାଙ୍କ ସହ ସାଙ୍ଗ ପରି ଆଚରଣ କରି ଖୁସିରେ ପାଠ ଶିଖୁଛନ୍ତି। ଏଥିରେ ସମସ୍ତ ଅବିଭାବକ ଖୁସିବ୍ୟକ୍ତ କରିବା ସହିତ ଏଥିପାଇଁ ଶିକ୍ଷକ ଶ୍ରୀ ନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।