
ବେଲଗୁଣ୍ଠା/ ୧୬/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ସହରରେ ସମ୍ପ୍ରତି ଚୋରଙ୍କ ପ୍ରାଦୃଭାବ ବୃଦ୍ଧି ପାଇଥିବା ସ୍ପଷ୍ଟ ହୋଇଥିବା ବେଳେ ଏହା ସାଧାରଣ ଜନତା ଓ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଗତ ୩ଦିନ ଧରି ବେଲଗୁଣ୍ଠା ପୋଲିସ ଥାନା ଅଞ୍ଚଳରେ ଲଗାତାର ୩ଟି ଚୋରି ଘଟଣା ହୋଇଥିବା ବେଳେ ରବିବାର ଦିନ ମଧ୍ୟରାତ୍ରୀ ଅର୍ଥାତ ଚତୁର୍ଥ ଦିନରେ ମଧ୍ୟ ଚୋର ଗ୍ୟାଙ୍ଗ ପୋଲିସକୁ କୌଣସି ଅନୁକମ୍ପା ନ ଦେଖାଇ ପୁଣି ଚୋରି କରିଛନ୍ତି । ଏଥର ସେମାନେ ବ୍ଲକ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନଙ୍କ ସ୍ୱାମୀ ତଥା ପୂର୍ବତନ ସରପଞ୍ଚ ପ୍ରମୋଦ କୁମାର ପ୍ରଧାନଙ୍କ ବୁଲେଟ ଗାଡ଼ିକୁ ଘର ସାମ୍ନାରୁ ଚୋରି କରି ସ୍ଥାନୀୟ ପୋଲିସକୁ ଏକ ପ୍ରକାର ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ଏଥି ସହିତ ସେମାନେ ଥାନା ଅଞ୍ଚଳର ଧନିଜାପଲ୍ଲୀରେ ଥିବା ଜନସ୍ୱାସ୍ଥ୍ୟ ବିଭାଗର ମୋଟର ଘର ନିକଟରୁ ବିଦ୍ୟୁତ ତାର କାଟି ତମ୍ବା ତାର ଚୋରି କରି ନେଇଥିବା ସୂଚନା ରହିଛି । ସବୁଦିନ ଭଳି ରବିବାର ଦିନ ମଧ୍ୟ ବ୍ଲକ ଉପାଧ୍ୟକ୍ଷାଙ୍କ ସ୍ୱାମୀ ପ୍ରମୋଦ ନିଜର ରୟାଳ ଏନଫିଲଡ଼ ଲାଲ ରଙ୍ଗର ବୁଲେଟ ଗାଡ଼ି (ଓଡ଼ି ୩୨ଜି ୨୮୮୨)କୁ ବେଲଗୁଣ୍ଠା ନିଗମାନନ୍ଦ ମାର୍ଗରେ ସେ ପରିବାର ସହ ରହୁଥିବା ଭଡ଼ା ଘର ସାମ୍ନାରେ ରାତି ୧୧ଟା ବେଳେ ତାଙ୍କର ଅନ୍ୟାନ୍ୟ ଗାଡ଼ି ସହ ରଖି ଘରେ ଖାଇ ସାରିବା ପରେ ଶୋଇ ପଡ଼ିଥିଲେ । ତେବେ ସକାଳୁ ଦେଖିବା ବେଳକୁ ଘର ସାମ୍ନାରୁ ତାଙ୍କର ବୁଲେଟ ମୋଟର ସାଇକେଲଟି ଗାୟବ ଥିବା ପ୍ରମୋଦ ଦେଖିଥିଲେ । ଖୋଜା ଖୋଜି କରିବା ପରେ ବୁଲେଟର ସନ୍ଧାନ ନ ମିଳିବାରୁ ପ୍ରମୋଦ ସ୍ଥାନୀୟ ପୋଲିସ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ସେହି ଏକା ରାତି ଅର୍ଥାତ ରବିବାର ଦିନ ମଧ୍ୟରାତ୍ରୀରେ କେହି ଦୁର୍ବୁତ୍ତ ଧନିଜାପଲ୍ଲୀରେ ଥିବା ଜନସ୍ୱାସ୍ଥ୍ୟ ବିଭାଗର ମୋଟର ଘର ନିକଟରୁ ବିଦ୍ୟୁତ ତାର କାଟି ତମ୍ବା ତାର ଚୋରି କରି ନେଇଥିବା ଜଣାପଡ଼ିଛି । ଏତଦବ୍ୟତୀତ କୋଳି ସାହି ବାସିନ୍ଦା ପ୍ରଭାତ ରାଉତଙ୍କ ଘରକୁ ପାନୀୟ ଜଳ ନେବା ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ଘର ବାହାରେ ଲଗାଯାଇଥିବା ପାଣି ମିଟରକୁ ମଧ୍ୟ କେହି ଜଣେ ଛୋଟ ଚୋର ଭାଙ୍ଗି ନେଇ ଯାଇଥିବା କୁହାଯାଉଛି । ଚୋର ମାନେ ତିନିଦିନ ଧରି ଲଗାତାର ଭାବେ ୩ଟି ଚୋରି କରିବା ପରେ ୪ର୍ଥ ଦିନ ମଧ୍ୟରାତିରେ ପୋଲିସକୁ ଚ୍ୟାଲେଞ୍ଜ ଦେବା ଭଳି ଛୋଟ ବଡ଼ ୩ଟି ଚୋରି ଘଟଣା ଘଟାଇ ପୋଲିସକୁ ଚାପ ଦେବା ପାଇଁ ଚେଷ୍ଠା କରିଛନ୍ତି । ଅନ୍ୟପଟେ ଘଟଣାକୁ ଗୁରୁତର ସହ ନେଇ ଥାନା ଅଧିକାରୀ ରେବତୀ ଶବର ୩ଟି ଟିମ ଗଠନ କରି ରାତି ସାରା ବିଭିନ୍ନ ଅଞ୍ଚଳକୁ ପଇଁତରା ମାରୁଥିଲେ ମଧ୍ୟ ଚୋର ଗ୍ୟାଙ୍ଗ ପୋଲିସକୁ ସାମାନ୍ୟ ଖାତିର ନ କରି ଗୋଟିଏ ପରେ ଗୋଟିଏ କାଣ୍ଡ ଭିଆଇ ଚାଲିଛନ୍ତି । ଚୋର ଗ୍ୟାଙ୍ଗ ପୋଲିସକୁ ନଜର ରଖି ଚୋରି କରୁଥିବା ଶନି ମନ୍ଦିର ଘଟଣାରୁ ସ୍ପଷ୍ଟ ହୋଇଛି । ଶନି ମନ୍ଦିରକୁ ଯାଇ ପୋଲିସ ପେଟ୍ରୋଲିଂ କରି ଫେରିବା ପରେ ଚୋର ମାନେ ମନ୍ଦିରର ବିଦ୍ୟୁତ ତାର କାଟି ବିଭିନ୍ନ ଅଳଙ୍କାର ଚୋରି କରିଥିଲେ । ସମ୍ପ୍ରତି ପୋଲିସ ସମସ୍ତ ଚୋରି ଘଟଣାକୁ ବିଭିନ୍ନ ଅଙ୍ଗଳରେ ତନ୍ନ ତନ୍ନ କରି ଯାଞ୍ଚ କରି ଚୋର ଗ୍ୟାଙ୍ଗକୁ ଧରିବା ପାଇଁ ସତର୍କ ଦୃଷ୍ଟି ରଖିଛି । ଲଗାତାର ୪ଟି ଚୋରି ହେବାର ସାପ୍ତାହକେ ପୂର୍ବରୁ ସ୍ଥାନୀୟ ଜୟଗୁଋ ମନ୍ଦିରରୁ ମଧ୍ୟ ଚୋର ମାନେ ହୁଣ୍ଡି ଭାଙ୍ଗି କିଛି ଟଙ୍କା ଚୋରି କରି ପୋଲସର ସତର୍କତାକୁ ମାପି ଥିଲେ ବୋଲି କୁହାଯାଉଛି । ମା ବ୍ରାହ୍ମଣ ଦେବୀଙ୍କ ମନ୍ଦିରରୁ ଚୋରି ଘଟଣାରେ କିଛି ସ୍ଥାନୀୟ ଯୁବକ ସାମିଲ ଥିବା ଆଶଙ୍କା କରାଯାଉଥିବା ବେଳେ ଅନ୍ୟ ଘଟଣା ଗୁଡିକରେ ବାହାର ରାଜ୍ୟର କୌଣସି ଏକ ବା ଏକାଧିକ ଚୋର ଗ୍ୟାଙ୍ଗ ସାମିଲ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଥିବା ବେଳେ ଚୋରଙ୍କ ଏହି କାଣ୍ଡ କରଣାମାକୁ ଫୁଲ ଷ୍ଟପ ଦେବା ପୋଲିସ ପାଇଁ ଜରୁରୀ ହୋଇ ପଡିଛି ।