ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶ୍ରୁତି ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର, ୨୧/୧୨-(ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଆୟୋଜିତ ଉତ୍ସବରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୁଣାତ୍ମକ ଶିକ୍ଷାର ବିକାଶ ଏବଂ ଶିକ୍ଷକ ମାନଙ୍କର ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି ବୋଲି କହିଥିଲେ। ଏଥିସହ ବିଗତ ସରକାର ଶିକ୍ଷକମାନଙ୍କୁ ଭାଗ ଭାଗ କରି ରଖିଥିଲେ। କିନ୍ତୁ ମୁଁ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶିକ୍ଷକମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ଅନୁରୋଧ କରିଛି। ଆଗାମୀ ଦିନରେ ଶିକ୍ଷକମାନଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ବିଧାୟକ ନାୟକ କହିଥିଲେ।

ଓଷ୍ଠା ଜିଲ୍ଲା ସଭାପତି ସନ୍ତୋଷ ଜେନା ସଭାରେ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜନଗର ପୌରାଧ୍ୟକ୍ଷ ଅଧକ୍ଷ ଗୋପବନ୍ଧୁ ମହାପାତ୍ର, ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ କୃତିବାସ ବିଶ୍ଵାଳ, ଶିକ୍ଷକ ନେତା ଜଗବନ୍ଧୁ ଜେନା , ଏମପି ପ୍ରତିନିଧି ସନ୍ତୋଷ ତିଆଡି ସମେତ ଅନେକ ଶିକ୍ଷକ ନେତା ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ କିଛି ବକ୍ତା ଟିଭି ମୋବାଇଲ୍ ଫୋନ୍ ଠାରୁ ଦୂରେଇ ରହିବା ପାଇଁ ଛାତ୍ରୀ ଛାତ୍ରଙ୍କୁ ଆହ୍ବାନ କରିଥିଲେ। ଓଷ୍ଠା ୪୨ ବର୍ଷ ଧରି ଏହି ଉତ୍ସବ ପାଳନ କରି ଆସୁଛି। ଶିଶୁ ମେଳାର ଲକ୍ଷ୍ୟ ହେଲା ଛାତ୍ରୀଛାତ୍ରମାନଙ୍କ ଦକ୍ଷତା ବୃଦ୍ଧି କରିବା। ଏଥିସହ ଲୁକ୍କାୟିତ ପ୍ରତିଭାକୁ ଖୋଜି ବାହାର କରିବା। ଏହି ଅବସରରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା