
ଭଞ୍ଜନଗର ୨୨/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): କୋଡ଼ିଏ ବର୍ଷ ପୁରୁଣା ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ରେ ବ୍ୟାପକ ପରିବର୍ତ୍ତନ କରି ‘ବିକଶିତ ଭାରତ-ରୋଜଗାର ଓ ଜୀବିକା ପାଇଁ ଗ୍ୟାରେଣ୍ଟି ଅଭିଯାନ (ଭିବି-ଜି ରାମ ଜି) ଆଇନ, ୨୦୨୫’ ପ୍ରସ୍ତୁତ କରାଯାଉଛି। ଯାହାକୁ କଂଗ୍ରେସ ଦଳ ତିବ୍ର ବିରୋଧ କରିଛି।ନୁଆ ଆଇନ ପ୍ରତ୍ୟାହାର ଦାବିରେ ସୋମବାର ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ ପକ୍ଷରୁ ଭଞ୍ଜନଗରରେ ବିକ୍ଷୋଭ ସହ ଧାରଣା ଦିଆଯାଇଛି। ପରେ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କୁ ଦଳ ପକ୍ଷରୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା।
ପଶ୍ଚିମ ଜିଲ୍ଲା ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶଚନ୍ଦ୍ର ଜେନାଙ୍କ ନେତୃତ୍ୱ ରେ ଦଳ ପକ୍ଷରୁ ପ୍ରଥମେ ବ୍ଲକ ଛକ ଠାରେ ଜାତିର ପିତା ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଶହ ଶହ ଦଳୀୟ କର୍ମୀ ବ୍ଲକ ଛକରୁ ବାହାରି ବଳଭଦ୍ର ଆରୁଖ କୃଷକ ବଜାର, ମହାବୀର ଛକ, ବସଷ୍ଟାଣ୍ଡ, ତହସିଲ ଛକ, ମୁଖ୍ୟ ରାସ୍ତା, ଖାଲାସାହି, ଷ୍ଟେଟବ୍ୟାଙ୍କ୍ ଦେଇ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ନୁଆ ଆଇନ ପ୍ରତ୍ୟାହାର ଦାବିରେ ଜିଲ୍ଲାପାଳ ଙ୍କ ଉଦ୍ଦଶ୍ୟରେ ଡେପୁଟି ସବ୍ କଲେକ୍ଟର ପ୍ରଧାନ ଟୁଲିଆମାଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଦେଶ ଓ ରାଜ୍ୟରେ ଚାଲୁଥିବା ଭାଜପା ସରକାର ଉପା ସରକାର ସମୟରେ ହୋଇଥିବା ବିଭିନ୍ନ ଯୋଜନାର ନାମକୁ ପରିବର୍ତ୍ତନ କରୁଛନ୍ତି। ମନରେଗା ଭଳି ମହତାକାଂକ୍ଷୀ ଯୋଜନାର ନାମ ପରିବର୍ତ୍ତନ କରି ନୁଆ ଆଇନ ଆଣିବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ଏହି ନୁଆ ଆଇନରେ ଜାତୀୟ ପିତା ମହାତ୍ମାଗାନ୍ଧୀ ଙ୍କ ନାମ ରଖାଯାଉନାହିଁ। ଆସନ୍ତା ଦିନରେ କେନ୍ଦ୍ର ସରକାର ଏହି ଆଇନକୁ ପ୍ରତ୍ୟାହାର ନକରିଲେ ଦଳ ପକ୍ଷରୁ ଦୃଢ ପ୍ରତିବାଦ କରାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ଜେନା କହିଛନ୍ତି। ବିକ୍ଷୋଭ ସମୟରେ ଗଞ୍ଜାମ ଜିଲ୍ଲା ପଶ୍ଚିମ ସଭାପତି ଶ୍ରୀ ଜେନା ଙ୍କ ସମେତ କଂଗ୍ରେସ ନେତା କୁଲୁ ଭୁୟାଁ,ସୁରଭି ବିଶୋଇ,ହରେକୃଷ୍ଣ ରଥ,ଚିତ୍ରସେନ ବେହେରା,ଦେବକାନ୍ତ ଶର୍ମା ଓ ବିଭିନ୍ନ ନିର୍ବାଚନମଣ୍ଡଳୀରୁ ଆସିଥିବା ଦଳୀୟ କର୍ମୀ ସାମିଲ ହୋଇଥିଲେ।