ସାନକୋଦଣ୍ଡାରୁ ଖରିଫ୍ ଧାନକିଣା ଶୁଭାରମ୍ଭ

ଭଞ୍ଜନଗର,୨୩/୧୨ :(ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ଭଞ୍ଜନଗର ବ୍ଲକ ସାନକୋଦଣ୍ଡା ପ୍ୟାକ୍ସରୁ ମଙ୍ଗଳବାର ଚଳିତ ବର୍ଷର ଖରିଫ୍ ଧାନକିଣା ଶୁଭାରମ୍ଭ ହୋଇଛି। ଡେପୁଟି ସବ୍ କଲେକ୍ଟର ପ୍ରଧାନ ଟୁଲିଆମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖରିଫ୍ ଧାନ କିଣାର ଶୁଭାରମ୍ଭ କରିଛନ୍ତି। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଯୋଗାଣ ଅଧିକାରୀ ଶୁଭରାଜ ସାମନ୍ତରା, ଆରଏମସି ସଂପାଦକ ସୁମନ୍ତ ସାହୁ, ତହସିଲଦାର ଅଭିପ୍ସା ପଟ୍ଟନାୟକ, ଏମଆଇ ଶୁଭଶ୍ରୀ ବନଜାଜେନା,ସହକାରୀ କୃଷି ଅଧିକାରୀ ସୁମିନ୍ ସାହୁ, ସରପଞ୍ଚ ଲକ୍ଷ୍ମଣ ନାୟକ, ପ୍ୟାକ୍ସ ସଭାପତି ଓଁକାରନାଥ ଜେନା, ବରିଷ୍ଠ ଚାଷୀ ସୁବାଷ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।ସମସ୍ତଙ୍କ ସମନ୍ଵୟରେ ଚଳିତ ବର୍ଷର ଖରିଫ ଧାନ କିଣାକୁ ସୁରୁଖୁରୁରେ ସମାପନ କରାଯିବ। ସମସ୍ତ ପଞ୍ଜିକୃତ ଚାଷୀଙ୍କଠୁ ସରକାରୀ ଦରରେ ଧାନ କିଣା ଯିବା ସହ ଟଙ୍କା ଦିଆଯିବ ବୋଲି ଉପସ୍ଥିତ ଅତଥି ଗଣ ଗୁରୁତ୍ବା ଦେଇଥିଲେ। ଚଳିତ ବର୍ଷ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୬୯ କୁ ବୃଦ୍ଧି କରାଯାଇଛି। ଏଥିସହ ଇନପୁଟ ସହାୟତା ୭୩୧ ଟଙ୍କା ପ୍ରଦାନ କରାଯିବ। ଚାଷୀଙ୍କଠାରୁ ଧାନ କିଣିବାର ୨୪ରୁ ୪୮ଘଣ୍ଟା ମଧ୍ୟରେ ସେମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଇନପୁଟ ଓ ବୋନସ ଟଙ୍କା ଜମା କରା‌ଯିବ। ଚାଷୀ ଏଫଏକ୍ୟୁ ମାନର ଧାନ ଧରି ମଣ୍ଡିକୁ ଆଣିବେ। ମଣ୍ଡି ପଏଣ୍ଟ ରେ ଆରଏମସି ତରଫରୁ ସମସ୍ତ ପ୍ରକାର ସୁବିଧା କରାଯାଇଥିବା ଆରଏମସି ସଂପାଦକ ସୁମନ୍ତ ସାହୁ କହଥିଲେ। ଧାନର ଗୁଣବତା ଚେକ୍ କରିବାକୁ ତାଲିମ ପ୍ରାପ୍ତ ବ୍ୟକ୍ତିଙ୍କୁ ନିୟୋଜିତ କରାଯାଇଛି। ଚାଷୀ ମଣ୍ଡିରେ କୌଣସି ପ୍ରକାର ଅସୁବିଧା ନହୁଅନ୍ତି ସେଥ‌ିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ସେହିପରି ଚଳିତଥର ସମସ୍ତ ମଣ୍ଡିରେ ଲାଗିଥିବା ସିସିଟିଭି କୁ ନେଇ ଉପଖଣ୍ଡ ମୁଖ୍ୟାଳୟରେ ଏକ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ସେଥିରେ ଧାନ କିଣାବିକାର ସମସ୍ତ କାର୍ଯ୍ୟ ନିରୀକ୍ଷଣ କରାଯିବ। ପ୍ୟାକ୍ସ ସଂପାଦକ କୃଷ୍ଣଚନ୍ଦ୍ର ଭୁୟାଁ ଧନ୍ୟବାଦ ପ୍ରଦାନ କରିଥିଲେ।