ବେଲଗୁଣ୍ଠା ଓ ସୋରଡ଼ା ବ୍ଲକ୍ ସ୍ତରୀୟ ଧାନ ସଂଗ୍ରହ ବୈଠକ

ଭଞ୍ଜନଗର ୨୪/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସଭା ଗୃହରେ ସୋରଡ଼ା ନିର୍ବାଚନମଣ୍ଡଳୀର ବେଲଗୁଣ୍ଠା ଓ ସୋରଡ଼ା ବ୍ଲକ ସ୍ତରୀୟ ଧାନ ସଂଗ୍ରହ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନିଳମଣୀ ବିଷୋୟୀ ଯୋଗଦେଇ ନିର୍ବାଚନମଣ୍ଡଳୀର ଉଭୟ ବ୍ଲକର ଅଧିକାରୀ, ପ୍ୟାକ୍ସ ସଂପାଦକ ଓ ଏସଏଚଜି ସଦସ୍ୟା ଙ୍କ ସହ ସମସ୍ୟା ଓ ସମାଧାନ ଦିଗରେ ଓ୍ବାନ୍ ଟୁ ଓ୍ବାନ ଆଲୋଚନା କରିଛନ୍ତି।

ଚଳିତବର୍ଷ ଧାନ ବିକ୍ରି କରିବା ନିମନ୍ତେ ସୋରଡ଼ା ନିର୍ବାଚନମଣ୍ଡଳୀ ଅଧିନ ବେଲଗୁଣ୍ଠା ବ୍ଲକର ୪,୬୦୭ ଜଣ ଓ ସୋରଡ଼ା ବ୍ଲକର ୬,୪୦୬ ଜଣ ଚାଷୀ ଧାନ ବିକିବାଲାଗି ନାମ ପଞ୍ଜିକରଣ କରିଛନ୍ତି।ଯେଉଁଥିରେ ବେଲଗୁଣ୍ଠାର ୬୩୪ ଓ ସୋରଡ଼ା ବ୍ଲକର ୨୫୪ ଜଣ ଭାଗଚାଷୀ ରହିଛନ୍ତି।ପଞ୍ଜିକକୃତ ଯୋଗ୍ୟ ଚାଷୀଙ୍କ ଠାରୁ ଉଭୟ ବ୍ଲକର ୩୦ ଟି ପ୍ରାଥମିକ କୃଷି ସମବାୟ ସମିତି ଓ ୭ ଟି ଏସଏଚଜିଙ୍କ ଜରିଆରେ ଧାନ କିଣାଯିବ।ସରକାରଙ୍କୁ ଚାଉଳ ଫେରାଇଥିବା ଉଭୟ ବ୍ଲକର ମିଲର୍ସ ଏଥିରେ ଅଂଶଗ୍ରହଣ କରିବେ। ଚଳିତ ବର୍ଷ ସମସ୍ତ ମଣ୍ଡିରେ ଚାଷୀମାନେ ଯେପରି ଧାନ ବିକ୍ରି ସମୟରେ କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥ‌ିପାଇଁ ବିଭାଗୀୟ ଅଧିକାରୀଙ୍କୁ ବିଧାୟକ ଶ୍ରୀ ବିଷୋୟୀ ନିର୍ଦ୍ଦେଶ ଦେଇଛନ୍ତି।
ବୈଠକରେ ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଏଆରସିଏସ୍ ବିଜୟ କୁମାର ସାହୁ, ଆରଏମସି ସଂପାଦକ ସୁମନ୍ତ ସାହୁ, ଅତିରିକ୍ତ ଯୋଗାଣ ଅଧିକାରୀ ଶୁଭରାଜ ସାମନ୍ତରା, ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଚାଷୀଙ୍କ ଠାରୁ ଶାନ୍ତି ଶୃଙ୍ଖଳା ସହ ଧାନ ସଂଗ୍ରହ ଏବଂ ଯେପରି ଅଧିକରୁ ଅଧିକ ପଞ୍ଜିକୃତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଧାନ ବିକ୍ରି କରିପାରିବେ ସେଥ‌ିପାଇଁ ବିଭାଗୀୟ ଅଧିକାରୀମାନେ ଧ୍ୟାନ ଦେବାକୁ ଉପଜିଲ୍ଲାପାଳ ଉମାଶଙ୍କର ବେହେରା କହିଥିଲେ।ଚଳିତ ବର୍ଷ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୬୯ ଓ ଗ୍ରେଡ଼ ଏ ଧାନର ମୂଲ୍ୟ ୨୩୮୯ ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିସହ ଇନପୁଟ ସହାୟତା ୭୩୧ ଟଙ୍କା ପ୍ରଦାନ କରାଯିବ। ଚାଷୀଙ୍କଠାରୁ ଧାନ କିଣିବାର ୨୪ରୁ ୪୮ଘଣ୍ଟା ମଧ୍ୟରେ ସେମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଇନପୁଟ ଓ ବୋନସ ଟଙ୍କା ଜମା କରା‌ଯିବ। ଚାଷୀ ଏଫଏକ୍ୟୁ ମାନର ଧାନ ଧରି ମଣ୍ଡିକୁ ଆଣିବେ। ମଣ୍ଡି ପଏଣ୍ଟ ରେ ଆରଏମସି ତରଫରୁ ସମସ୍ତ ପ୍ରକାର ସୁବିଧା କରାଯାଇଛି। ଧାନର ଗୁଣବତା ଚେକ୍ କରିବାକୁ ଆରଏମସି ପକ୍ଷରୁ ତାଲିମ ପ୍ରାପ୍ତ ବ୍ୟକ୍ତିଙ୍କୁ ନିୟୋଜିତ କରାଯାଇଛି। ଚାଷୀ ମଣ୍ଡିରେ କୌଣସି ପ୍ରକାର ଅସୁବିଧା ନହୁଅନ୍ତି ସେଥ‌ିପ୍ରତି ଧ୍ୟାନ ଦେବାକୁ ବୈଠକରେ କୁହାଯାଇଛି।