
ପୁରୁଷୋତ୍ତମପୁର – ୨୪/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ମନ୍ଦିର ପ୍ରାଙ୍ଗଣରେ ମଙ୍ଗଳ ବାର ଦିନ ସ୍ଥାନୀୟ ତହସିଲଦାର ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିନୋଦ କୁମାର ବେହେରାଙ୍କ ସଂଯୋଜନାରେ ଏବଂ ଉପଜ଼ିଲ୍ଲାପାଳ ସୁବାଶିଷ ବରାଳଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଏସଡିପିଓ ସୁଜିତ କୁମାର ନାୟକ,ଥାନା ଭାରପ୍ରାପ୍ତ ଅଧିକାରୀ ରାଜେଶ କୁମାର ନାୟକ ଏବଂ ମନ୍ଦିର ପରିଚାଳନା କମିଟି ସଦସ୍ୟ ପ୍ରମୋଦ କୁମାର ପଣ୍ଡାଙ୍କ ଉପସ୍ଥିତିରେ ସଭା କାର୍ଯ୍ୟ ଆୟୋଜିତ ହୋଇଥିଲା। ଏଥିରେ ସୁଚାରୁ,ସୁସଂଗଠିତ ଓ ପାରଦର୍ଶୀ ପରିଚାଳନା ନିମନ୍ତେ ପ୍ରାରମ୍ଭିକ ଅବସ୍ଥାରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି। ଭକ୍ତମାନଙ୍କ ସୁବିଧା,ଧାର୍ମିକ ମର୍ଯ୍ୟାଦା ଓ ପରମ୍ପରା ରକ୍ଷାକୁ ଗୁରୁତ୍ୱ ଦେଇ ଏହି ନିଷ୍ପତିଗୁଡ଼ିକ ନିଆଯାଇଥିଲା। ମନ୍ଦିର ପରିଚାଳନା ପାଇଁ ପ୍ରଥମେ ଏକ ପରିଚାଳନା କମିଟି ଗଠନ କରାଯିବା ପାଇଁ ସ୍ଥିର କରାଯାଇଥିଲା। ଏହି କମିଟିରେ ସ୍ଥାନୀୟ ପ୍ରଶାସନ, ପୂଜକ,ସେବାୟତ ଓ ସମ୍ମାନିତ ଲୋକପ୍ରତିନିଧିମାନଙ୍କୁ ସାମିଲ କରାଯାଇ ମନ୍ଦିରର ସମସ୍ତ କାର୍ଯ୍ୟ ସୁଚାରୁ ଭାବେ ଚାଲିବାକୁ ନିଷ୍ପତି ନିଆଯାଇଥିଲା। ନିୟମିତ ନୀତିକାର୍ଯ୍ୟ ଓ ପୂଜା ପରିଚାଳନା ପାଇଁ ନିର୍ଦ୍ଧାରିତ ସମୟସାରଣୀ ପ୍ରସ୍ତୁତ କରାଯାଇ,ମଙ୍ଗଳଆରତି,ମଧ୍ୟାହ୍ନ ପୂଜା ଓ ସନ୍ଧ୍ୟା ଆରତି ଠିକ ସମୟରେ ସମ୍ପନ୍ନ କରାଯିବାକୁ ନିଷ୍ପତି ନିଆଯାଇଛି। ସେହିପରି ଯୋଗ୍ୟ ପୂଜକ ଓ ସେବାୟତଙ୍କ ନିଯୁକ୍ତି କରାଯାଇ କାର୍ଯ୍ୟ ବିଭାଜନ ସ୍ପଷ୍ଟ କରାଯାଇଛି। ଭକ୍ତମାନଙ୍କ ଦାନ ସଠିକ୍ ଭାବେ ପରିଚାଳନା ପାଇଁ ହୁଣ୍ଡି ଓ ହିସାବ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ ପାଇଁ ନିଷ୍ପତି ନିଆଯାଇଛି। ଭକ୍ତ ମାନଙ୍କୁ ପୂଜକମାନେ ଦକ୍ଷିଣା ମାଗିବାକୁ ବାରଣ କରାଯାଇଥିବା ବେଳେ ଭକ୍ତଙ୍କୁ ଉତ୍ତମ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି | ମନ୍ଦିର ଭିତରକୁ ମୋବାଇଲଏବଂ କେମେରା ନେବାକୁ ମଧ୍ୟ ସମ୍ପୂର୍ଣ୍ଣ ବାରଣ କରାଯାଇଛି | ଏହା ସହିତ ମଦପିଇ ଥିବା ସେବାୟତ ଏବଂ ଭକ୍ତ ଙ୍କୁ ମନ୍ଦିର ଭିତରେ ପ୍ରବେଶ ନିଷେଧ ଯଦି ଏହାର ଖିଲାପ କରାଯାଏ ତାହାହେଲେ ପ୍ରଶାସନ ତରଫରୁ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | ଏହା ସହିତ ମନ୍ଦିରର ସି ସି କେମେରା ଗୁଡାକ ଯାଞ୍ଚ କରି ମରାମତି କରାଯିବା ସହିତ ବାହାର ଭିତରର ପାନୀୟ ଜଳ ଲୋକଙ୍କୁ ସୁବିଧାରେ କେମିତି ମିଳିବ ତାହାଉପରେ ମଧ୍ୟ ନିଷ୍ପତି ନିଆଯାଇଛି ଦାନ ରାଶିର ସଠିକ୍ ହିସାବ ରଖି ପାରଦର୍ଶିତା ନିଶ୍ଚିତ କରାଯିବାକୁ କମିଟି ନିଷ୍ପତି ନେଇଛି। ଆଗକୁ ନୂଆଁ ବର୍ଷ ଏବଂ ପାର୍ବଣ ଋତୁ ଆସୁଥିବାରୁ ଭକ୍ତମାନଙ୍କ ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି ଭିଡ଼ ନିୟନ୍ତ୍ରଣ,ସ୍ୱଚ୍ଛତା ଓ ଶୌଚାଳୟ ଭଳି ମୌଳିକ ସୁବିଧା ଉପରେ ଗୁରୁତ୍ୱ ଦିଆଯାଇଛି। ମନ୍ଦିରର ଧାର୍ମିକ ମହତ୍ତ୍ୱ ଓ ପରମ୍ପରାକୁ ଅଖୁର୍ଣ୍ଣ ରଖିବା ସହ ସରକାରୀ ପ୍ରଶାସନ ଓ ପୋଲିସ୍ ବିଭାଗ ସହ ସମନ୍ୱୟରେ ପରିଚାଳନା କରାଯିବାକୁ ମଧ୍ୟ ନିଷ୍ପତି ନିଆଯାଇଛି। ଏହି ସମସ୍ତ ପଦକ୍ଷେପ ଫଳରେ ମା’ ତାରାତାରିଣୀ ମନ୍ଦିରର ପରିଚାଳନା ଅଧିକ ସୁଚାରୁ ହେବା ସହ ଭକ୍ତମାନେ ସୁବିଧାଜନକ ଭାବେ ଦର୍ଶନ କରି ପାରିବେ ବୋଲି ସର୍ବ ସମ୍ମତି କ୍ରମେ ନିଷ୍ପତି ନିଆଗଲା। ଏହି ବୈଠକରେ ବିଦ୍ୟୁତ ବିଭାଗ କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ମହାପାତ୍ର,ଅଗ୍ନିଶମ ବିଭାଗ ଅଧିକାରୀ ଆଲୋକ କୁମାର ଦଳାଇ, ପୂର୍ତ୍ତ ବିଭାଗ ଯନ୍ତ୍ରୀ ସୁରେଶ କୁମାର ମିଶ୍ର ସେବାୟତ ସଂଘ ସଭାପତି ତପନ ରଣା ଏବଂ ବାପୁଜୀ ରଣାଙ୍କ ସମେତ ସମସ୍ତ ସେବାୟତ ଓ ପ୍ରଶାସନିକ ଅଧିକାରୀ ଏହି ସଭାରେ ଉପସ୍ଥିତ ଥିଲେ।