ଫୁଲ ତୋଳି ଯାଇଥିବା ବେଳେ ଚୋରି; ୨୪ ଘଣ୍ଟା ଭିତରେ ଅଭିଯୁକ୍ତକୁ ଗିରଫ ସହ ଚୋରି ସାମଗ୍ରୀ ଉଦ୍ଧାର

ଭଞ୍ଜନଗର,୨୯/୧୨: (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ବାଇପାସ ରୋଡ ରାଧା ଗୋବିନ୍ଦ ସାହିରେ ପ୍ରତ୍ୟୁଷରେ ଚୋରି ହେଇଥିବା ବେଳେ ପୁଲିସ ଆଜି ଅଭିଯୁକ୍ତକୁ କାବୁ କରିବା ସହ ଚୋରି ସାମଗ୍ରୀ ଜବତ କରିଛି। ଉକ୍ତ ଅଞ୍ଚଳର ଦଣ୍ଡପାଣି ସ୍ୱାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ ୪୦ ହଜାରରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସକାଳେ ଏନେଇ ଘର ଲୋକ ଜାଣିବା ପରେ ସନ୍ଦେହରେ ଦୁର୍ବୃତ୍ତଙ୍କୁ ଖୋଜିବା ସହ ପୁଲିସରେ ଖବର ଦେଇଥିଲେ। ଏହାପରେ ଘଟଣାର ତଦନ୍ତ କରି ଲୁଟ ଟଙ୍କା ଓ ଅଳଙ୍କାରକୁ ଉଦ୍ଧାର କରି ଅଭିଯୋଗକାରୀଙ୍କୁ ଫେରାଇଛନ୍ତି। ଏଥିସହ କେସ ନମ୍ୱର୍ ୧୩୮୭/୨୫ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରବୀନ୍ଦ୍ର ସ୍ୱାଇଁ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଜିବନାନନ୍ଦ ଜେନା ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ,ଦଣ୍ଡପାଣି ଙ୍କ ପତ୍ନୀ କଳ୍ପନା ସବୁ ଦିନ ଭଳି ଆଜି ସକାଳ ପ୍ରାୟ ୩ ଟା ସମୟରେ ଉଠି ଫୁଲ ତୋଳିବାକୁ ଯାଇଥିଲେ। ଏହି ସମୟରେ ଦୁର୍ବୃତ୍ତ ଜଣଙ୍କ ଘର ଭିତରେ ପଶି ଏକ ବାକ୍ସ ଭିତରେ ଥିବା ଟଙ୍କା ଓ ସୁନା ଆମ୍ବକସି ହାର,କାନ ଫୁଲ,ଝୁମ୍ପି,ମୁଦି ଆଦି ଅଳଙ୍କାର ଲୁଟି ନେଇ ଥିବା ଅଭିଯୋଗ କରିଥିଲେ। ଏହାର କିଛି ସମୟ ପରେ ଘର ଲୋକ ଉଠି ଦେଖିବା ବେଳକୁ ଚୋରି ହୋଇଥିବା ଜାଣିବାକୁ ପାଇ ଥାନାରେ ଅଭିଯୋଗ କରିଥିଲେ। ତୁରନ୍ତ ଘଟଣାର ତଦନ୍ତ ଆରମ୍ଭ କରି ଲୁଟ ଜିନିଷ ଉଦ୍ଧାର କରିବାରେ ପୋଲିସ ସକ୍ଷମ ହୋଇଥିଲେ।