ବିପ୍ଳବୀ ବୀର ଚକରା ବିଷୋୟୀଙ୍କ ୨୦୩ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳିତ

ଭଂଜନଗର (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବିଞ୍ଜଗିରି ଠାରେ ବିପ୍ଳବୀ ବୀର ଚକରା ବିଷୋୟୀଙ୍କ ରାଜ୍ୟ ସ୍ତରୀୟ ୨୦୩ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ବିଧାୟକ ନାୟକ କହିଥିଲେ ଯେ, ପ୍ରଥମ ଥର ପାଇଁ ବୀର ଚକରା ବିଷୋୟୀଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ତାଙ୍କ ଜନ୍ମପୀଠ ବିଞ୍ଜିଗିରିରେ ସରକାରଙ୍କ ପକ୍ଷରୁ ପାଳିତ ହେଉଛି। ପୁର୍ବରୁ ଏହା ଭୁବନେଶ୍ୱର ରେ ହେଉଥିଲା । ପୂର୍ବତନ ଭଞ୍ଜନଗର ବିଧାୟକ ବିକ୍ରମ ଆରୁଖଙ୍କ ପ୍ରଚେଷ୍ଟାରେ ଏହା ଭଞ୍ଜନଗର ଟାଉନ ହଲରେ ଉତ୍ସବ ପାଳନ ହେଉଥିଲା। ଅଞ୍ଚଳବାସୀଙ୍କ ଅନୁରୋଧକୁ ରକ୍ଷା କରି ବିଞ୍ଜିଗିରିରେ ଏହି ଉତ୍ସବ ଚଳିତ ବର୍ଷ କରିବା ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲି। ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ଉତ୍ସବ ବିପ୍ଳବୀ ବୀର ଚକରା ବିଷୋୟୀ ଙ୍କ ନିଜ ମାଟି ବିଞ୍ଜଗିରି ଠାରେ ହୋଇଛି। ଏହା ସେହି ମହାନ୍ ଯୋଦ୍ଧା ଙ୍କ ପାଇଁ ଉପଯୁକ୍ତ ସମ୍ମାନ। ମୁଁ ଲୋକଙ୍କ ସମସ୍ୟାକୁ ସରକାରଙ୍କ ପାଖରେ ଉପସ୍ଥାପନ କରୁଛି । ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ। ଚକରା ବିଷୋୟୀ ବିଞ୍ଜିଗିରିରେ ଜନ୍ମ ହୋଇଥିଲେ ମଧ୍ୟ ତାଙ୍କର କର୍ମସ୍ଥଳ ଚକରା ଘାଟି, ରଣ ଘଣ୍ଟା ଏବଂ ଘାଟିଶୁଳା ଥିଲା। ସେଠାରେ ସେ ଯୁଦ୍ଧ କୌଶଳ ପ୍ରଦର୍ଶନ କରି ବ୍ରିଟିଶ ବିରୋଧରେ ଲଢେଇ କରିଥିଲେ। ଆଗାମୀ ଦିନରେ ଦିଲ୍ଲୀରେ ବଡ ଧରଣର ଏହିଭଳି କାର୍ଯ୍ୟକ୍ରମ ହେବ । ବ୍ରିଟିଶ ମାନଙ୍କୁ ଏ ମାଟିରୁ ହଟାଇବା ଲକ୍ଷ୍ୟ ନେଇ ଚକରା ଲଢେଇ କରୁଥିଲେ । ଏହିଭଳି ଜଣେ ମହାନ ବୀରଙ୍କ ଜନ୍ମ ମାଟିର ବିକାଶ ପାଇଁ ସରକାର ୧୫ କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ତାହାର ଅର୍ଥ ୪ ଦିନ ପୂର୍ବେ ଜିଲ୍ଲାପାଳ ଙ୍କ ନିକଟକୁ ଆସିଯାଇଛି। ଆଗାମୀ ଦିନରେ ତୋରାବାଡ଼ିରେ ଏକ ସହିଦ ସ୍ମୃତି ସ୍ତମ୍ଭ ହେବ। ଏଥିସହ ଅନ୍ୟାନ୍ୟ ବିକାଶ ପାଇଁ ଆହୁରି ୮ କୋଟି ଅନୁଦାନ ଆସିବ ବୋଲି ବିଧାୟକ ପ୍ରଦ୍ୟୁମ୍ନ ନାୟକ ସଭାରେ ଘୋଷଣା କରିଥିଲେ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଭଞ୍ଜନଗର ଉପଜିଲାପାଳ ଉମା ଶଙ୍କର ବେହେରା ସଭାରେ ଅଧ୍ୟକ୍ଷତା କରି କହିଥିଲେ ଯେ,ଐତିହ୍ୟ ଗ୍ରାମ ହେଉଛି ବିଞ୍ଜିଗିରି। ୧୮୨୩ ମସିହାରେ ଏଠାରେ ଚକରା ବିଷୋୟୀ ଜନ୍ମ ଗ୍ରହଣ କରିଥିଲେ। ୧୮୩୭ ମସିହାରେ ବ୍ରିଟିଶ ସହ ଲଢ଼େଇରେ ତାଙ୍କ ବାପା ମୃତ୍ୟୁବରଣ କରିଥିଲେ। ସେତେବେଳକୁ ଚକରାଙ୍କୁ ୧୪ ବର୍ଷ ହୋଇଥିଲା। ଏହି ସମୟରେ ବ୍ରିଟିଶ ଶାସକ ଆଦିବାସୀମାନଙ୍କୁ ଦମନ କରିବା ପାଇଁ୧୮୪୫ରେ ମେରିଆ ଆକ୍ଟ ଆଣିଥିଲେ। ଯାହାକୁ ନେଇ ଚକରା ବ୍ରିଟିଶ ମାନଙ୍କ ବିରୋଧରେ ନିଜ ମାଟି ପାଇଁଲଢେଇ କରିଥିଲେ। ଜାତି, ପରମ୍ପରା, ସଂସ୍କୃତି, ଧର୍ମକୁ ଆମ ଦେଶରେ ହଜାର ହଜାର ବର୍ଷଧରି ସମ୍ମାନ ଦିଆଯାଉଛି । ମାତ୍ର ବ୍ରିଟିଶ ଶାସକ ଆଦିବାସୀଙ୍କ କିଛି ପରମ୍ପରାକୁ ଆଇନ ବଳରେ ବନ୍ଦ କରିବା ଯୋଜନା କରିଥିଲେ। ଏହିଭଳି ମହାନ ପୁରୁଷଙ୍କ ସ୍ମୃତି ରକ୍ଷାପାଇଁ ମାନ୍ୟବର ବିଧାୟକ ଯେଉଁ ପଦକ୍ଷେପ ନେଉଛନ୍ତି ତାହା ପ୍ରଶଂସା ଯୋଗ୍ୟ।ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରେ ଚକରା ଘାଟି ହେବ ଏହି ଅଞ୍ଚଳର ଦ୍ୱିତୀୟ ବଡ ପର୍ଯ୍ୟଟନ କ୍ଷେତ୍ର ବୋଲି ଉପ ଜିଲାପାଳ କହିଥିଲେ।

ମୁଖ୍ୟ ବକ୍ତା ଡ. ରୋଜାଲିନ ସେନାପତି, ସମ୍ମାନିତ ଅତିଥି ଡିଏଫଓ ହିମାଂଶୁ ଶେଖର ମହାନ୍ତି, ବିଡିିଓ ଭାରତୀ ଦେବୀ, ତହସିଲଦାର ଅଭିପ୍ସା ପଟ୍ଟନାୟକ, ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ଆପଟ୍ଟ, ବ୍ଲକ ଅଧ୍ୟକ୍ଷ ନରୀସଭା ନାୟକ, ଏଏସପି ରଞ୍ଜନ କୁମାର ଦେ, ସିଡିପିଓ ନିଲିମା କୁମାରୀ ପଣ୍ଡା, ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥ ପ୍ରମୁଖ ଅତିଥି ଭାବେ ଯୋଗଦେଇ ନିଜର ମତ ରଖିଥିଲେ। ଏହି ଅବସରରେ ସାହିତ୍ୟିକା ରିତାରାଣୀ ମହାପାତ୍ରଙ୍କ ଦ୍ୱାରା ଓଡିଆ ଅନୁବାଦ ପୁସ୍ତକ କନ୍ଧମାନଙ୍କ ଅଞ୍ଚଳ ଫୁଲବାଣୀ ଓ ସ୍ବର୍ଗତ ଅନନ୍ତ ପଦ୍ମନାଭ ପଟ୍ଟନାୟକଙ୍କ ଦ୍ବାରା ଲିଖିତ ବୀର ଚକରା ପୁସ୍ତକର ତୃତୀୟ ସଂସ୍କରଣ ପ୍ରକାଶକ ଜଗଦୀଶ ପାଣିଗ୍ରାହୀ ଙ୍କ ଦ୍ଵାରା ପ୍ରକାଶିତ ପୁସ୍ତକ ବୀର ଚକରା ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ଶେଷରେ ଚକରା ବିଷୋୟୀ ଉପରେ ଏକ ନାଟକ ପରିବେଷଣ ହୋଇଥିଲା। ଏହାପୂର୍ବରୁ ସକାଳେ ଅତିଥି ମାନେ ଭଞ୍ଜନଗର ଚକରା ବିଷୋୟୀ ଛକରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ। ସୁବାସ ପ୍ରଧାନ, ସାଂସଦ ପ୍ରତିନିଧି ସନ୍ତୋଷ ତିଆଡି, ରବିନ୍ଦ୍ର ଗୌଡ଼, ଦୁର୍ଗା, ପୂର୍ଣ୍ଣ ବିଷୋୟୀ, ଗୌରହରି ଗୌଡ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ଶେଷରେ ଚକରା ବିଷୋୟୀ ସୁରକ୍ଷା ପରିଷଦ ପକ୍ଷରୁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ, ସାଂସଦ ପ୍ରତିନିଧି ରବୀନ୍ଦ୍ର ଗୌଡଙ୍କୁ ବିଞ୍ଜଗିରି ଠାରେ ଏହି ଭବ୍ୟ ସଭା ଆୟୋଜନ ମୁଖ୍ୟ ପୁରୋଧା ଭାବରେ ସମ୍ମାନିତ କରାଯାଇଥିଲା ।