ସୁସ୍ଥ ପରିବେଶ ମାନବ ଜୀବନର ମୌଳିକ ଅଧିକାର

ଭଞ୍ଜନଗର, ୩୧/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସଭା ଗୃହ ରେ ବୁଧବାର ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ପରିବେଶ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ତଥା ତାଲୁକ ଆଇନ ସେବା କମିଟି ଅଧ୍ୟକ୍ଷ ସେଖ୍‌ ମହମ୍ମଦ କଏସ ଯୋଗଦେଇ ପରିବେଶ ସୁରକ୍ଷା ସହ ଆଇନଗତ ସଚେତନତାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।ସୁସ୍ଥ ପରିବେଶ ମାନବ ଜୀବନର ମୌଳିକ ଅଧିକାର ଓ ପରିବେଶ ସୁରକ୍ଷା ପାଇଁ ଆଇନଗତ ଜ୍ଞାନ ଅତ୍ୟନ୍ତ ଆବଶ୍ୟକ ବୋଲି ଶ୍ରୀ କଏସ କହିଥିଲେ।ଉପଖଣ୍ଡ ଆରକ୍ଷୀ ଅଧିକାରୀ ଡ.ଦୀପକ କୁମାର ମିଶ୍ର,ସହାୟକ ଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର ଓ ଆରଏମସି ସମ୍ପାଦକ ସୁମନ୍ତ କୁମାର ସାହୁ ଉପସ୍ଥିତ ରହି ପରିବେଶ ପ୍ରଦୂଷଣ,ସ୍ୱାସ୍ଥ୍ୟ ସମସ୍ୟା ଓ ସାଧାରଣ ଲୋକଙ୍କ ଆଇନଗତ ସୁରକ୍ଷା ସମ୍ପର୍କରେ ମୂଲ୍ୟବାନ ମତାମତ ରଖିଥିଲେ। କାର୍ଯ୍ୟକ୍ରମରେ ଆଇନ୍ ସେବା କମିଟି ସଦସ୍ୟ ଡ. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଓ ଅଳକା ମଞ୍ଜରି ପଟ୍ଟନାୟକ ମଧ୍ୟ ଯୋଗଦେଇ ପରିବେଶ ସମ୍ପର୍କିତ ଆଇନ,ଅଭିଯୋଗ ନିରାକରଣ ବ୍ୟବସ୍ଥା ଓ ସାଧାରଣ ଲୋକ କିପରି ଆଇନ୍ ସେବାର ସହାୟତା ନେଇପାରିବେ ସେ ସମ୍ପର୍କରେ ସଚେତନ କରାଇଥିଲେ। ଶିବିରରେ ବିଭିନ୍ନ ବର୍ଗର ଲୋକ,ମହିଳା,କାର୍ଯ୍ୟରତ ଶ୍ରମିକ ଓ ସ୍ଥାନୀୟ ପ୍ରତିନିଧିମାନେ ଉପସ୍ଥିତ ରହି ପରିବେଶ ସୁରକ୍ଷା ଓ ଆଇନଗତ ଅଧିକାର ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଜ୍ଞାନ ଲାଭ କରିଥିଲେ।