
ଜଗନ୍ନାଥ ପ୍ରସାଦ :୦୨/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥ ପ୍ରସାଦ ରେଞ୍ଜ ଅଧୀନ ବେଲଗୁଣ୍ଠା ସେକ୍ସନ ତନରଡ଼ା ଗ୍ରାମ ଷୋଳାବନ୍ଧ ନିକଟ କୋହୋଳା ତୋଟା ବିଲରୁ ଗୁରୁବାର ସକାଳୁ ବେଲଗୁଣ୍ଠା ବନବିଭାଗ କର୍ମଚାରୀମାନେ ଜଣେ ଶିକାରୀଙ୍କୁ ଗିରଫ କରିବା ସହ କୃଷ୍ଣସାର ମୃଗର କଟା ମୁଣ୍ଡ,ଛାଲ ଏବଂ ୩୦ କେଜି ଓଜନର ମାଂସକୁ ଜବତ କରିଛନ୍ତି l ଏହା ସହ ଶିକାରରେ ବ୍ୟବହୃତ କଟୁରି, ଛୁରୀ, ଠେଙ୍ଗା, ଜିଆଇ ତାର,କାଚ ବୋତଲକୁ ମଧ୍ୟ ଜବତ କରିଛି ବନ ବିଭାଗ l ଗିରଫ ଶିକାରୀ ଜଣକ ହେଉଛି କେବିରୀ ପଲ୍ଲୀ ଗ୍ରାମର ତ୍ରିଲୋଚନ ପରିଡାଙ୍କ ପୁଅ ରବୀନ୍ଦ୍ର କୁମାର ପରିଡା (୨୮) l ଆଜି ବେଲଗୁଣ୍ଠା ସେକ୍ସନ ର ଫରେଷ୍ଟର ଜିତେନ୍ଦ୍ର ମଲ୍ଲିକ, ଗାର୍ଡ ପ୍ରିୟଙ୍କା ପାଳ, ଶ୍ରୀମନ ପ୍ରଧାନ ଏବଂ ସ୍କ୍ୱାର୍ଡ ଟିମ ପେଟ୍ରୋଲିଙ୍ଗ ବେଳେ କୋହୋଳା ତୋଟା ବିଲରେ ଅଭିଯୁକ୍ତ ରବୀନ୍ଦ୍ରକୁ ଏକୁଟିଆ ଦେଖି ସନ୍ଦେହ ହୋଇଥିଲା l ରବୀନ୍ଦ୍ରକୁ ବନ ବିଭାଗ ଟିମ ଚାରିଆଡୁ ଘେରି ଯାଇଥିଲେ l ତା ଠାରୁ ସନ୍ତୋଷ ଜନକ ଉତ୍ତର ନ ପାଇଁ ସେଠାରେ ପଚରା ଉଚରା ବେଳେ ଏକ କୃଷ୍ଣସାର ମୃଗ ଶିକାର କରି ବିକିବା ପାଇଁ ଯୋଜନା କରୁଥିବା ମାନିଥିଲା l ସେଠାରୁ ମୃତ କୃଷ୍ଣସାର ମୃଗର ମାଂସ, ଛାଲ ସିଙ୍ଗ ଲାଗିଥିବା ମୁଣ୍ଡ,
କଟୁରୀ ଓ ବିଦ୍ୟୁତ ତାର,ଜିଆଇ ତାର, ବୋତଲ ଏବଂ ଠେଙ୍ଗା ଜବତ କରିଥିଲେ l ସଙ୍ଗେସଙ୍ଗେ ବନାଞ୍ଚଳ ଅଧିକାରି ସୁଶ୍ରୀ ସୁଜାତା ରାଣୀ ପଣ୍ଡାଙ୍କୁ ଯୋଗାଯୋଗ କରି ଥିଲେ l ଜଗନ୍ନାଥ ପ୍ରସାଦ କାର୍ଯ୍ୟାଳୟକୁ ଆଣି ଜେରା ବେଳେ ରବୀନ୍ଦ୍ର ହୁକିଙ୍ଗ କରି ଶିକାର କରିଥିବା ମାନିଥିଲା l କାର୍ଯ୍ୟାଳୟରେ ଏ.ସି.ଏଫ ବିମଳ ପ୍ରଧାନ ଏବଂ ଅନ୍ୟାନ୍ୟ ବନବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ସହକାରୀ ପ୍ରାଣୀ ଚିକିତ୍ସା ଅଧିକାରୀ ସୁଶ୍ରୀ ସ୍ୱର୍ଣ୍ଣିମା ନନ୍ଦ ପହଁଚି ବ୍ୟବଛେଦ ନିମନ୍ତେ ମୃତ କୃଷ୍ଣସାର ମୃଗର ମାଂସ ନମୁନା ସଂଗ୍ରହ କରିଥିଲେ l ତେବେ କୃଷ୍ଣସାର ମୃଗଟି ପୁରୁଷ ଓ ତାର ବୟସ ଆନୁମାନିକ ୨/୩ବର୍ଷର ହେବ ବୋଲି ଅନୁମାନ କରାଯାଉଛି l ଶିକାରୀ ରବୀନ୍ଦ୍ରର ସ୍ବାସ୍ଥ୍ୟ ପରୀକ୍ଷା ଯାଞ୍ଚ ପରେ ଓ.ଆର କେସ ନମ୍ବର ୧୫୯/୨୬ ଅନୁଯାୟୀ ଆଜି ତାକୁ କୋର୍ଟ ଚାଲାଣ କରାଯାଇଥିବା ବନାଞ୍ଚଳ ଅଧିକାରୀ ସୁଶ୍ରୀ ସୁଜାତା ରାଣୀ ପଣ୍ଡା ସୂଚନା ଦେଇଛନ୍ତି l