
ବେଲଗୁଣ୍ଠା (ବିନାୟକ ଗୌଡ଼, ଓଡ଼ିଶା ଟୁଡେ) ୦୭/୦୧ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ପୋଲିସ ଥାନା ଅନ୍ତର୍ଗତ ଜି.ନୂଆଗାଁ ଶନି ମନ୍ଦିର ଓ ବାରପାହାନ୍ତି ଠାକୁରାଣୀ ମନ୍ଦିରରୁ ଚୋରି ହୋଇଥିବା ରୁପା ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀକୁ ପୋଲିସ ଉଦ୍ଧାର କରିବା ପରେ ପୋଲିସ ମନ୍ଦିର ପରିଚାଳନା କମିଟିକୁ ହସ୍ତାନ୍ତର କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଗତ ଡ଼ିସେମ୍ବର ମାସ ୧୨ତାରିଖରେ କିଛି ଦୁର୍ବୁତ୍ତ ନୂଆଗାଁ ଶନି ମନ୍ଦିର ଓ ବାରପାହାନ୍ତି ଠାକୁରାଣୀ ମନ୍ଦିରର ବିଦ୍ୟୁତ ସରବରାହ ବିଚ୍ଛିନ୍ନ କରି ମୁଖ୍ୟ ଗେଟ ତାଲା ଭାଙ୍ଗି ବାରପାହାନ୍ତି ଠାକୁରାଣୀଙ୍କ ମସ୍ତକରେ ଥିବା ରୁପା ମୁକୁଟ,ରୁପା ନାକ,କାନ ଓ ଆଖି ସହିତ ରୁପା ହାର ଚୋରି କରିନେଇଥିବା ବେଳେ ଶନି ମନ୍ଦିରରୁ ରୁପା ଗ୍ଲାସ ,ରୁପା ଗିନା ,ପାଣି ପମ୍ପ ଓ ମ୍ୟୁଜିକ ଡ଼େକ ମେସିନ ଚୋରି କରି ନେଇଥିଲେ । ଏଥିନେଇ ମନ୍ଦିର ପରିଚାଳନା କମିଟି ତରଫରୁ ଲିଖିତ ଅଭିଯୋଗ ହେବା ପରେ ପୋଲିସ ୬୦୦/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ବିଭିନ୍ନ ଅସାମାଜିକ ବ୍ୟକ୍ତିଙ୍କୁ ଧରି ଆଣି ଜେରା କରିବା ପରେ ଏକ ୱାଟସ ଆପ ଗ୍ରୁପରୁ କିଛି ସୁରାକ ପାଇବା ପରେ ଅଭିଯୁକ୍ତଙ୍କୁ କାବୁ କରିବା ସହ ସେମାନଙ୍କ ଠାରୁ ଚୋରି ସାମଗ୍ରୀ ଓ ତରଳାଇ ଦିଆ ଯାଇଥିବା ରୁପା ଅଳଙ୍କାର ଖଣ୍ଡ ଉଦ୍ଧାର କରିଥିଲା । ସୋମବାର ଦିନ ବେଲଗୁଣ୍ଠା ପୋଲିସ ନୂଆଗାଁ ଶନି ମନ୍ଦିର ଓ ବାରପାହାନ୍ତି ଠାକୁରାଣୀ ମନ୍ଦିର ପରିଚାଳନା କମିଟିକୁ ଥାନାକୁ ଡ଼ାକି ଚୋରି ସାମଗ୍ରୀ ଯଥା ମ୍ୟୁଜିକ ଡ଼େକ ମେସିନ, ପାଣି ପମ୍ପ ଓ ଚାରୋଟି ରୁପା ଖଣ୍ଡ (ସମୁଦାୟ ୩ କେଜି ରୁପା ) ହସ୍ତାନ୍ତର କରିଥିଲା । ପରେ ମଙ୍ଗଳବାର ଦିନ ନୂଆଗାଁର ଦୁଇ ମନ୍ଦିର ପରିଚାଳନା କମିଟି ତରଫରୁ ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବର, ଇନ୍ସପେକ୍ଟର ଅଭୟ କୁମାର ପ୍ରଧାନ, ସବଇନ୍ସପେକ୍ଟର ବିଶ୍ୱରଂଜନ ନାୟକ, ଆସିଷ୍ଟାଣ୍ଟ ସବଇନ୍ସପେକ୍ଟର ପ୍ରମୋଦ କୁମାର ଚଟି ଓ ଅନ୍ୟାନ୍ୟ ପୋଲିସ ଷ୍ଟାଫଙ୍କୁ ମନ୍ଦିର ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନୀତ କରିବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି ।