
ଭଞ୍ଜନଗର ୦୭/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ବିଭିନ୍ନ ବନାଞ୍ଚଳରେ ଗତ କିଛି ଦିନ ହେବ ହାତୀପଲଙ୍କ ଦୌରାତ୍ମ୍ୟ ଜାରି ରହିଛି। ସନ୍ଧ୍ୟା ହେଲେ ହାତୀ ପଲ ଧାନ ଖାଇବାକୁ ଜଙ୍ଗଲରୁ ବାହାରି କ୍ଷେତ ମୁହାଁ ହେଉଛନ୍ତି। ଧାନ ଖୋଜି ଖୋଜି ଜଙ୍ଗଲ ପାଖ ଘରଦ୍ଵାର ଭାଙ୍ଗି ଚାଷ ଜମିରେ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ମଙ୍ଗଳବାର ରାତିରେ ହତୀପଲ ମୁଜାଗଡ ରେଞ୍ଜ୍ ଅନ୍ତର୍ଗତ ଗୋଲାପଡା ପଞ୍ଚାୟତ ପାଟଣା ଗ୍ରାମରେ ଅମଳ ହୋଇ ଥିବା ଭଗବାନ ପାତ୍ର ଙ୍କ ପ୍ରାୟ ୪୦ ବସ୍ତା ଧାନ ଖାଇ ନଷ୍ଟ କରିଥିବା ଅଭିଯୋଗ ହୋଇଛି।
ଗତ ମାସେ ହେଲା ହାତୀପଲ ଘୁମୁସର ବନଖଣ୍ଡ ଅଧିନ ବିଭିନ୍ନ ବନାଞ୍ଚଳ ର ଜଙ୍ଗଲ ପାଖ ଗାଁ ଓ ଜମିରେ ପଶି ପାଚିଲା ଧାନ ଖାଉଛନ୍ତି। ସେମାନଙ୍କୁ ବନ କର୍ମଚାରୀମାନେ ଘଉଡ଼ାଇବାରେ ନୟାନ୍ତ ହେଉଥିଲେ ମଧ୍ୟ ଧାନ ଖାଇବା ଚକ୍କରରେ ହାତୀପଲ କୌଣସି ବାଧାକୁ ମାନୁନାହାନ୍ତି। ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ ‘ରକ୍ଷକ’ ଯାନ ହାତୀ ଘଉଡ଼ାଇବା କାମରେ ନିୟୋଜିତ ଥିଲେ ମଧ୍ୟ ଖାତିର କରୁନାହାନ୍ତି ହାତୀ ପଲ। ସେମାନଙ୍କ ଗତିବିଧି ଜାଣିବାକୁ ବନ ବିଭାଗ ପକ୍ଷରୁ ଟ୍ରାକିଂ କରାଯାଉଛି। ତଥାପି ହାତୀ ପଲ ବିଭିନ୍ନ ସ୍ଥାନରେ ଫସଲ ନଷ୍ଟ କରୁଛନ୍ତି।