ହାତୀ ଆକ୍ରମଣରେ ମହିଳା ମୃତ

ଜଗନ୍ନାଥ ପ୍ରସାଦ ୦୭/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡର ବିଭିନ୍ନ ବନାଞ୍ଚଳରେ ଅନେକ ସମୟରେ ହାତୀପଲ ଜଙ୍ଗଲରୁ ବାହାରି ଜନବସତିମୁହାଁ ହେଉଛନ୍ତି। ବେଳେ ବେଳେ ମଣିଷ ସହ ମୁହାଁମୁହିଁ ପରିସ୍ଥିତି ଉପୁଜୁଥିବାର ନଜିର ରହିଛି। କେତେବେଳେ ହାତୀପଲ ଗାଁ ଭିତରେ ପଶି ଦୌରାତ୍ମ୍ୟ ଖେଳାଉଛନ୍ତି ତ ଆଉ କେତେବେଳେ ରାଜରାସ୍ତା ପାର ହେଉଛନ୍ତି। ଏହାସହ ହାତୀ ବେଳେବେଳେ ବିଭିନ୍ନ ଅଘଟଣର ସାମ୍ନା କରି ମୃତ୍ୟୁମୁଖରେ ପଡ଼ୁଛନ୍ତି। ସେହିଭଳି ନିଜ ଜୀବନ ବଞ୍ଚାଇବାକୁ ହାତୀ ସାଧାରଣ ଲୋକ ଙ୍କୁ ଆକ୍ରମଣ କରିଥିବା ବେଳେ ବୁଧବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବନାଞ୍ଚଳ ଅଧୀନ ନୁଣୀଗୁଣ୍ଡି ରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ସିଶୁଳା ମଲ୍ଲିକ ବୋଲି ଜଣାପଡିଛି।

ସୂଚନା ମୁତାବକ ଆଜି ଅପରାହ୍ନରେ ଶିଶୁଳା ଜମିକୁ ରାଶି ସଂଗ୍ରହ କରିବାକୁ ଯାଇଥିଲେ। ଏହି ସମୟରେ ଏକ ହାତୀ ତାଙ୍କ ପଛ ପଟୁ ଆସି ତାଙ୍କୁ ଶୁଣ୍ଢରେ ଆକ୍ରମଣ କରି ପାଦରେ ଦଳି ଦେଇଥିଲା।ଫଳରେ ଘଟଣା ସ୍ଥଳରେ ହିଁ ସିଶୁଳା ଗୁରୁତର ହୋଇ ପଡ଼ିଥିଲେ। ପରିବାର ଲୋକେ ବନ ବିଭାଗ କୁ ଖବର ଦେବା ପରେ ବନ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଶିଶୁଳାଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଆସନ୍ତାକାଲି ମୃତ ଦେହର ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯିବ।