କର୍ଣ୍ଣାଟକ ଇଟାଭାଟିରୁ ଉଦ୍ଧାର ହୋଇଥିବା ନୂଆପଡ଼ାର ପ୍ରବାସୀ ଶ୍ରମିକ ପରିବାରଙ୍କୁ ତୁରନ୍ତ ସହାୟତା ପ୍ରଦାନ କଲା ଜିଲ୍ଲା ପ୍ରଶାସନ; ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ୨୦ ହଜାର ଟଙ୍କା ଲେଖାଏଁ ଦେଲେ ଜିଲ୍ଲାପାଳ

ନୂଆପଡା ୧୭/୦୧ (ପରମେଶ୍ବର ମେହେର, ନୂଆପଡ଼ା ଜିଲ୍ଲା ପ୍ରତିନିଧି): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍, ଭରୁଆମୁଣ୍ଡା ପଞ୍ଚାୟତରୁ ୧୦ ଜଣ ପ୍ରବାସୀ ଶ୍ରମିକଙ୍କୁ କର୍ଣ୍ଣାଟକ ରାଜ୍ୟ ବାଗଲ୍ କୋଟ ଜିଲ୍ଲା ପ୍ରଶାସନ ଦ୍ବାରା ଇଟାଭାଟିରୁ ଉଦ୍ଧାର କରାଯାଇ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କୁ ଗତକାଲି ହସ୍ତାନ୍ତର କରାଯାଇଥିଲା l ଜିଲ୍ଲା ପ୍ରଶାସନ ବାଗଲକୋଟ, ଗୁଲେଡାଗୁଡ୍ଡା ତାଲୁକର ମୁରାଡି ଗ୍ରାମରେ ଅବସ୍ଥିତ ଏକ ଇଟା ଭାଟିରୁ ୫ ଜଣ ମହିଳା ଓ ୫ ଜଣ ପୁରୁଷ ମୋଟ ୧୦ ଜଣ ନିର୍ଯ୍ୟାତିତ ଶ୍ରମିକଙ୍କୁ ଉଦ୍ଧାର କରି ଜଣେ ଅଧିକାରୀ ଙ୍କ ସହାୟତାରେ ନୂଆପଡା ପଠାଇଥିଲେ l
ଏହି ପରିବାର ଗୁଡ଼ିକୁ ଜିଲ୍ଲା ପ୍ରଶାସନ ଗ୍ରହଣ କରି ପ୍ରାସଙ୍ଗିକ ଆଇନ ଏବଂ ନିୟମ ଅନୁଯାୟୀ ଆବଶ୍ୟକୀୟ ପୁନର୍ବାସ ଏବଂ ପ୍ରତ୍ୟାବର୍ତ୍ତନ ସହାୟତା ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ।ଏହି ପୀଡ଼ିତ ୫ଟି ପରିବାର ମୁଖ୍ୟ ଯଥା ଫୁଲ୍ ଚରଣ ହେର୍ଣ୍ଣା , ମାଧବ
ହେର୍ଣ୍ଣା, ମହେନ୍ଦ୍ର ହେର୍ଣ୍ଣା ,ଜରେଲ ପଦର ଗାଁ, ମୋହନ ଗହିର , ଶ୍ରଦ୍ଧାପୁର ଏଵଂ ଭଜମନ ନାଗ, ସିନାପାଲି ଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ପ୍ରଦାନ କରିଛନ୍ତି l ଏହା ସହିତ ସେମାନଙ୍କ ଜୀବନ ଜୀବିକା ନିର୍ବାହ ପାଇଁ ସାଧନ ଯୋଗାଇ ଦେବାକୁ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ଏହି ଅବସରରେ ଜିଲ୍ଲାପାଳ ଜିଲ୍ଲାରୁ ଲୁଚି ପଳାଇଥିବା ସମସ୍ତ ପ୍ରବାସୀ ଶ୍ରମିକ ମାନଙ୍କୁ ପୁଣିଥରେ ଫେରି ଆସିବା ପାଇଁ ଅନୁରୋଧ କରିଛନ୍ତି l ଜିଲ୍ଲା ପ୍ରଶାସନ ଶ୍ରମିକ ମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଉଥିବାରୁ ସେମାନେ ପ୍ରବାସୀ ଶ୍ରମିକ ହିସାବରେ ଭିଟାମାଟି ଛାଡ଼ି ନ ଯାଇ ସମସ୍ତ ସରକାରୀ ସୁବିଧା ସୁଯୋଗ ଲାଭ କରିବା ପାଇଁ ନିବେଦନ କରିଛନ୍ତି l