
ନୂଆପଡା ୧୭ |୦୧ (ପରମେଶ୍ବର ମେହେର, ନୂଆପଡ଼ା ଜିଲ୍ଲା ପ୍ରତିନିଧି): ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ଉଠା ଜଳସେଚନ ବିଭାଗ କାର୍ଯ୍ୟାବଳୀର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଉଠାଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀ ପ୍ରସନ୍ନ କୁମାର ସେଠୀ ବିଭାଗର କାର୍ଯ୍ୟ ଖସଡ଼ା ଓ ସଫଳତାର ବିବରଣୀ ଉପସ୍ଥାପନ କରିଥିଲେ l ଜିଲ୍ଲାପାଳଙ୍କ ପୂର୍ବ ମାସିକ ସମୀକ୍ଷା ବୈଠକରେ ୧୦୦୦ ଟି ନୂତନ ଭାବରେ ଖନନ ହୋଇଥିବା ଗଭୀର ନଳକୂପରେ ସୋଲାର ପ୍ୟାନେଲ ଓ ମୋଟର ସ୍ଥାପନ ପାଇଁ ନିର୍ଦ୍ଦେଶ ଦିଆ ଯାଇଥିଲା l ବର୍ତମାନ ପର୍ଯ୍ୟନ୍ତ ୧୦୦୦ ଟି ମଧ୍ୟରୁ ୮୦୧ଟି ସୌର ପ୍ୟାନେଲ ସ୍ଥାପନ କାର୍ଯ୍ୟ ସମ୍ପର୍ଣ୍ଣ ହୋଇ ସାରିଛି l ଉକ୍ତ ପ୍ରକଳ୍ପ ଗୁଡ଼ିକ ଦ୍ୱାରା ୪୦୦୫ ହେକ୍ଟର ଚାଷ ଜମିକୁ ଜଳ ସେଚନ ସୁବିଧା ଯୋଗାଇ ଦିଆ ଯାଇ ପାରିବ lଅବଶିଷ୍ଟ ସୌର ଚାଳିତ ଗଭୀର ନଳକୂପ ଗୁଡିକରେ ସୌର ପ୍ୟାନେଲ କାର୍ଯ୍ୟ ଅତି ଶୀଘ୍ର ସମାପ୍ତ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ I ୨୭ ଟି ନୂତନ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟ ବିଭିନ୍ନ ନଦୀରେ ଆରମ୍ଭ ହୋଇଛି l ଉକ୍ତ ପ୍ରକଳ୍ପ ଗୁଡ଼ିକ ଦ୍ୱାରା ୫୯୬ ହେକ୍ଟର ଚାଷ ଜମିକୁ ଜଳ ସେଚନ ସୁବିଧା ଯୋଗାଇ ଦିଆ ଯାଇ ପାରିବ l ସେହିପରି ୩୦୫ ଟି ଗଭୀର ନଳକୂପରେ ସୌର ପ୍ୟାନେଲ ବସାଇବା କାମ ଅନୁମୋଦନ ପାଇଁ ବିଭାଗକୁ ପଠା ଯାଇଥିବା ଶ୍ରୀ ସେଠୀ ପ୍ରକାଶ କରିଥିଲେ l ଜିଲ୍ଲାପାଳଙ୍କ ବିଭିନ୍ନ ଅଭିଯୋଗ ଶୁଣାଣି ଶିବିରରେ ଗଭୀର ନଳକୂପ ଖନନ ଓ ଏଥିରେ ବିଦ୍ୟୁତ୍ ସଂଯୋଗ ଉପରେ ବାରମ୍ବାର ଅଭିଯୋଗ ଆସୁଥିବାରୁ ଏସବୁର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଶେଷରେ କେତେ ଗୋଟି ସଫଳ ଉଠା ଜଳସେଚନ ପ୍ରକଳ୍ପର ପି ପି ଟି ପ୍ରଦର୍ଶନ କରାଯାଇଥିଲା l ବୈଠକରେ ବିଦ୍ୟୁତ୍ ବିଭାଗର ନିର୍ବାହୀ ଯନ୍ତ୍ରୀ ସୁକ୍ଷାତ ଦେବ ପରିଡ଼ା, ଏଷ୍ଟିମେଟର ଅମିତ୍ କୁମାର, ଉଠା ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ମାନସ ରଞ୍ଜନ ବୁଡ଼ା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ |