
ନୂଆପଡା, ତା ୧୭/୦୧ (ପରମେଶ୍ବର ମେହେର, ନୂଆପଡ଼ା ଜିଲ୍ଲା ପ୍ରତିନିଧି): କୁଷ୍ଠ ନିରାକରଣ ଦିବସ ୨୦୨୬ ଉପଲକ୍ଷେ ନୂଆପଡ଼ା ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ସ୍ପର୍ଶ କୁଷ୍ଠ ସଚେତନତା ଅଭିଯାନ ଉପରେ ଜିଲ୍ଲା ସମନ୍ଵୟ କମିଟିର ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ ହୋଯାଇଅଛି। କୁଷ୍ଠ ନିରାକରଣ ଦିବସ ୨୦୨୬ ଜାନୁଆରୀ ୩୦ ରୁ ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି। ଏ ବର୍ଷ କୁଷ୍ଠ ନିରାକରଣ ଦିବସର ବିଷୟବସ୍ତୁ ହେଉଛି ‘ଅନ୍ତ ଭେଦଭାବର, ସୁରକ୍ଷା ମର୍ଯ୍ୟାଦାର’ । ୨୦୨୭ ସୁଦ୍ଧା ଦେଶରୁ କୁଷ୍ଠ ରୋଗର ନିପାତ ପାଇଁ ଲକ୍ଷ୍ୟ ରଖା ଯାଇଛି। ବୈଠକ ଆରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ ଧନେଶ୍ଵର ସେଠୀ କୁଷ୍ଠ ରୋଗର ନିରାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଆ ଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ। ଜିଲ୍ଲା କୁଷ୍ଠ କନ୍ସଲ୍ଟନ୍ଟ ଡକ୍ଟର ଅନିତା ସାହୁ ଜିଲ୍ଲାରେ କୁଷ୍ଠ ରୋଗର ନିରାକରଣ ଓ ପୀଡ଼ିତ ବ୍ୟକ୍ତିମାନେ ଯେମିତି ସମ୍ମାନର ସହିତ ବଞ୍ଚିବେ ତାହା ଉପରେ ନିଆ ଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଉପସ୍ଥାପନ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ କହିଲେ ଯେ କୁଷ୍ଠ ରୋଗ ଏକ ମାରାତ୍ମକ ରୋଗ ନୁହଁ କି ଏକ ମହାମାରୀ ନୁହେଁ । ଜିଲ୍ଲାର ସମସ୍ତ କୁଷ୍ଠ ରୋଗୀର ଏକ ତାଲିକା ପ୍ରସ୍ତୁତ କରି ସମସ୍ତ ବିଡ଼ିଓ ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପଠା ଯିବ l କୁଷ୍ଠ ରୋଗୀମାନେ ଯେପରି ସମସ୍ତ ସରକାରୀ ଯୋଜନାର ସୁବିଧା ପାଇବେ ଏଥି ନିମନ୍ତେ ପଦକ୍ଷେପ ଗ୍ରହଣ କରିବେ ପାଇଁ ସେ ଆଦେଶ ଦେଇଛନ୍ତି । ସେ କହିଲେ ଯେ ବିସ୍ତୃତ ଜନଶୁଣାଣି ସମୟରେ କୁଷ୍ଠ ରୋଗ ଉପରେ ସଚେତନତା ସୃଷ୍ଟି କରାଯିବ । ସେହିପରି ଜିଲ୍ଲାର ସମସ୍ତ ସ୍କୁଲ ରୁ ନବମ କ୍ଲାସ ର ଟପର ଛାତ୍ରୀ ଙ୍କୁ କୁଷ୍ଠ ରୋଗର ନିରାକରଣ ପାଇଁ ହେଉଥିବା ସଚେତନତା କାମ୍ପେନ ର ବ୍ରାଣ୍ଡ ଆମ୍ୱାସାଡର୍ ବଛା ଯିବ ।ଏହି ଅବସରରେ ଜିଲ୍ଲାପାଳ ଘୋଷଣା କଲେ ଯେ ପ୍ରତି ମାସରେ ସେ ଜଣେ କୁଷ୍ଠ ରୋଗୀଙ୍କ ଘରକୁ ଯିବେ, ସେମାନଙ୍କ ସ୍ଥିତି ପରଖିବେ ଓ ଜନସଚେତନତା ସୃଷ୍ଟି କରିବେ । ସେମାନେ ମଧ୍ୟ ସମାଜର ଅବିଚ୍ଛିନ୍ନ ଅଙ୍ଗ, ଏହି ଆତ୍ମପ୍ରତ୍ୟୟ ସେମାନଙ୍କ ମନରେ ସୃଷ୍ଟି କରାଯିବ l ଏହା ସହିତ ନିର୍ଦ୍ଦେଶ ଦେଲେ ଯେ ଜିଲ୍ଲାର ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ର, ଆୟୁଷ୍ମାନ ମନ୍ଦିରରରେ ଜିଲ୍ଲା ବାସୀଙ୍କୁ ସ୍ବାସ୍ଥ୍ୟ ସଚେତନ କରିବା ପାଇଁ ଏହି ବାର୍ତ୍ତା ଲେଖାହେବ ଯେ ” ଖାଦ୍ୟକୁ ଔଷଧ ରୂପେ ଖାଅ, ଅନ୍ୟଥା ତୁମକୁ ଔଷଧକୁ ଖାଦ୍ୟ ରୂପରେ ଖାଇବାକୁ ପଡ଼ିବ l “
“Eat food as your medicine,otherwise you have to eat your medicine as food “
ବୈଠକରେ ସ୍ପର୍ଶ କୁଷ୍ଠ ସଚେତନତା ପାଇଁ ଏକ ଶପଥ ପାଠ କରାଯାଇଥିଲା।ସମସ୍ତ ସ୍ବାସ୍ଥ୍ୟ ଅଧିକାରୀ କୁଷ୍ଠ ରୋଗୀଙ୍କ ପ୍ରତି ଘୃଣା ଓ ସାମାଜିକ ଭେଦଭାବ ରଖିବେ ନାହିଁ ଏବଂ ସେମାନଙ୍କ ଚିକିତ୍ସା ଓ ଚିହ୍ନଟ ପାଇଁ ସମସ୍ତ ପ୍ରକାର ସହଯୋଗ ର ହାତ ବଢ଼େଇବେ ବୋଲି ଶପଥ ନେଲେ। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ( କୁଷ୍ଠ ରୋଗ) ଡଃ ତନ୍ମୟ ତ୍ରିପାଠୀ , ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ( ପରିବାର କଲ୍ୟାଣ), ଡଃ ଜ୍ୟୋତିର୍ମୟ ମହାନ୍ତି, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ( ଟିବି), ଡଃ ଦିଲୀପ କୁମାର ଦାସ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଜିଲ୍ଲା ପ୍ରକଳ୍ପ ମ୍ୟାନେଜର ସତ୍ୟ ନାରାୟଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲାପାଳ କୁଷ୍ଠ ମୁକ୍ତ ନୂଆପଡା ଗଠନ ପାଇଁ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଶପଥ ପାଠର ଏକ ବାର୍ତ୍ତା ଦେଇଛନ୍ତି l
“ଆମ୍ଭେ ନୂଆପଡା ଜିଲ୍ଲାର ପ୍ରବାସୀ ଏବଂ ପ୍ରଶାସନ, “ବିକଶିତ ଭାରତ ଅଭିଯାନ” ସନ୍ଧିକ୍ଷଣରେ ଘୋଷଣା କରୁଅଛୁ ଯେ, ଆମ୍ଭେମାନେ ଜିଲ୍ଲାକୁ କୁଷ୍ଠମୁକ୍ତ କରିବାପାଇଁ ସବୁ ପ୍ରକାର ଚେଷ୍ଟା କରିବୁ । କୁଷ୍ଠ ରୋଗର ଲକ୍ଷଣଗୁଡିକ ଦ୍ବାରା ରୋଗୀକୁ ଚିହ୍ନଟ କରି ଚିକିତ୍ସା କରିବା ବହୁତ ସହଜ ଏବଂ ଆରୋଗ୍ୟ ସାଧ୍ଯ ମଧ୍ଯ । ଆମ୍ଭ ଜିଲ୍ଲାରେ ଉପଲବ୍ଧ ସମସ୍ତ ଆବଶ୍ୟକୀୟ ସମ୍ବଳର ବିନିଯୋଗ କରି କୁଷ୍ଠ ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନଙ୍କୁ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ କରି ଚିକିତ୍ସା କରାଇବାକୁ ଯଥାସାଧ୍ଯ ଚେଷ୍ଟାକରିବୁ ।କୌଣସି କୁଷ୍ଠ ରୋଗାକ୍ରାନ୍ତ ବ୍ୟକ୍ତି କିମ୍ବା ତାଙ୍କର ପରିବାର ସହିତ କୌଣସି ପ୍ରକାର ଭେଦଭାବକୁ ପ୍ରଶ୍ରୟ ଦେବୁ ନାହିଁ । ଆମ୍ଭେମାନେ ବ୍ୟକ୍ତିଗତ ଏବଂ ସାମୁହିକ ଭାବେ କୁଷ୍ଠାକ୍ରାନ୍ତ ବ୍ୟକ୍ତିଙ୍କ ସହିତ ହେଉଥିବା ବାସନ୍ଦ କିମ୍ବା ଭେଦଭାବକୁ ଦୂର କରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାପାଇଁ ସବୁ ପ୍ରକାର ଚେଷ୍ଟା ଜାରି ରଖିବୁ । ଆମ୍ଭେମାନେ ଆଜିର ଦିନରେ ଶପଥ ନେଉଅଛୁକି, ସମସ୍ତ ଭେଦ ଭାବକୁ ଦୂର କରି, କୁଷ୍ଠ ଆକ୍ରାନ୍ତ ମାନଙ୍କୁ ମର୍ଯାଦାର ସହ ଆପଣେଇନେବା ଏବଂ କୁଷ୍ଠ ମୁକ୍ତ ଭାରତ ଗଢିବା I