
ସିନାପାଲି (ପରମେଶ୍ୱର ମେହେର, ନୂଆପଡ଼ା ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): କ୍ରିକେଟ ଖେଳ ଆଜି ଗାଁରୁ ସହର ସବୁଠି ଲୋକପ୍ରିୟତାର ସର୍ବୋଚ୍ଚ ସୀମାକୁ ଛୁଇଁଛି। ଏଭଳି ଗ୍ରାମୀଣ କ୍ରିକେଟ ଟୁର୍ଣ୍ଣାମେଣ୍ଟଗୁଡ଼ିକ ଗାଁ ଗାଁ ମଧ୍ୟରେ ସୁସମ୍ପର୍କ ଓ ଭାଇଚାରାକୁ ଆହୁରି ସୁଦୃଢ଼ କରୁଛି। ଏହି ପରିପ୍ରେକ୍ଷୀରେ ନୂଆପଡ଼ା ଜିଲ୍ଲା ସିନାପାଲି ଓ କାପସି ଗ୍ରାମର କ୍ରିକେଟ ପ୍ରେମୀ ଯୁବକମାନଙ୍କ ଉଦ୍ୟମରେ ମାଁ ଗଢିଆଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ–୨୦୨୬ (ସଂସ୍କରଣ–୮) ଆଜି ଭବ୍ୟ ଭାବେ ଉଦ୍ଘାଟିତ ହୋଇଛି।
ଏହି ଟୁର୍ଣ୍ଣାମେଣ୍ଟ ସିନାପାଲି ଧାନମଣ୍ଡି ନିକଟସ୍ଥ ଖେଳପଡ଼ିଆରେ ୧୯ ଜାନୁଆରୀରୁ ୨୬ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଟୁର୍ଣ୍ଣାମେଣ୍ଟରେ ସର୍ବମୋଟ ୧୬ଟି କ୍ରିକେଟ ଦଳ ଭାଗ ନେଇଛନ୍ତି। ପ୍ରତିଦିନ ଦୁଇଟି ମ୍ୟାଚ ହେବା ସହ ୨୫ ଜାନୁଆରୀରେ ଦୁଇଟି ସେମିଫାଇନାଲ ଓ ୨୬ ଜାନୁଆରୀରେ ଗ୍ରାଣ୍ଡ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।
ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ଆୟୋଜକ କମିଟି ସଦସ୍ୟମାନେ ମାଁ ଦୁର୍ଗା, ମାଁ ମହୁଲଗଛିଏନ ଓ ମହାପ୍ରଭୁ ଶ୍ରୀଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ମଶାଲ ଯାତ୍ରା ସହ ଖେଳପଡ଼ିଆକୁ ପହଞ୍ଚିଥିଲେ। କାପସି ଗ୍ରାମର ଝାଙ୍କର ନରୋତ୍ତମ ମାଝୀ ବିଧିବିଧାନ ସହ ପୂଜା କରିବା ପରେ ଅତିଥିମାନଙ୍କ କରକମଳରେ ନାଳୀଫିତା କାଟି ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରାଯାଇଥିଲା।
ଉଦ୍ଘାଟନି ମ୍ୟାଚରେ ମୂଖ୍ୟ ଅତିଥି ଭାବେ ତ୍ରିନାଥ ମେହେର (ବିଶିଷ୍ଟ ସମାଜସେବୀ) ଓ ସମ୍ମାନିତ ଅତିଥି ଭାବେ ପ୍ରିୟରଞ୍ଜନ ମେହେର, ମନ୍ଦାକିନୀ ବଘେଲ, ରଜନୀକାନ୍ତ ମାଝୀ, ଜଗନ୍ନାଥ ସାଗର, ରାମାନୁଜ ପୁରୋହିତ ଆଦି ମଞ୍ଚାସୀନ ରହି ଖେଳ ଉପଭୋଗ କରିଥିଲେ।
ଉଦ୍ଘାଟନି ମ୍ୟାଚ ବିଜେପୁର ଓ ଫୁରସୁଣ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ, ଫୁରସୁଣକୁ ପରାସ୍ତ କରି ବିଜେପୁର ଦଳ ଐତିହାସିକ ବିଜୟ ହାସଲ କରିଥିଲା। ମ୍ୟାଚରେ ଅମ୍ପାୟାର ଭାବେ ଅଜୟ ବାଗ ଓ ଧନଞ୍ଜୟ ମେହେର, ରେଫେରି ଭାବେ କରନ ମହାନନ୍ଦ ଓ ଭାଷ୍ୟକାର ଭାବେ ବିଦ୍ୟାଧର ସା, ବିଜୟ ସେଠୀ, ନବୀନ ଜଗତ ଆଦି ଦାୟିତ୍ୱ ତୁଲାଇଥିଲେ।
ଟୁର୍ଣ୍ଣାମେଣ୍ଟରେ ଚ୍ୟାମ୍ପିଅନ ଦଳକୁ ୫୦ ହଜାର ଟଙ୍କା ଓ ଟ୍ରଫି, ଏବଂ ରନର୍ସଅପ୍ ଦଳକୁ ୩୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯିବ। ଶତାଧିକ କ୍ରିକେଟ ପ୍ରେମୀଙ୍କ ଉପସ୍ଥିତି ଖେଳପଡ଼ିଆକୁ ଉତ୍ସବମୁଖର କରିଥିଲା। ସିନାପାଲି ଓ କାପସି ଗ୍ରାମର ଯୁବକମାନଙ୍କର ଭାଇଚାରା ଓ ସହଯୋଗକୁ ଅଞ୍ଚଳବାସୀ ବିଶେଷ ପ୍ରଶଂସା କରୁଛନ୍ତି।