
ଚୌଦ୍ୱାର (ଶିବବ୍ରତ ଦାସ ): ଦୀର୍ଘ ବର୍ଷ ଧରି ଚାଲିଥିବା ୫୫ ନମ୍ବର ଜାତୀୟ ରାଜପଥ କଟକ ସମ୍ବଲପୁର ମୁଖ୍ୟ ସଂଯୋଗ ରାସ୍ତା ଆଜି ଚୌଦ୍ଵାର ଅଞ୍ଚଳରେ ମୃତ୍ୟୁର ପର୍ଯ୍ୟାୟବାଚୀ ହୋଇ ପଡ଼ିଛି। ରାସ୍ତା କାମ ନାମରେ ବର୍ଷ ପରେ ବର୍ଷ ଧରି ଠିକାଦାରଙ୍କ ବେପରୁଆ ମନୋଭାବ ଏବଂ ପ୍ରଶାସନର ଅଦ୍ଭୁତ ନିରବତା ଏବେ ଛାତ୍ରଛାତ୍ରୀଙ୍କ ଜୀବନକୁ ସିଧାସଳଖ ବିପଦ ମୁହାଁରେ ଠେଲି ଦେଉଛି। ଚୌଦ୍ଵାର ମହାବିଦ୍ୟାଳୟ ଏହି ଜାତୀୟ ରାଜପଥକୁ ଲାଗି ରହିଥିବାବେଳେ, ପ୍ରତିଦିନ ଶତାଧିକ ଛାତ୍ରଛାତ୍ରୀ ଜୀବନକୁ ବାଜି ଲଗାଇ କଲେଜ୍ ଯିବାକୁ ବାଧ୍ୟ ହେଉଛନ୍ତି। ରାସ୍ତା ଅଣଓସାରିଆ, ଏକ ପାର୍ଶ୍ୱରେ ଅଧା ଅଧୂରା ଡ୍ରେନ୍, ଖୋଲା ମୁକୁଳା ଅବସ୍ଥାରେ ଉପରକୁ ମୁଣ୍ଡ ଟେକିଛି ଲୁହା ଛଡ ଯେକେହି ମୁହୂର୍ତ୍ତରେ ଏକ ବଡ଼ ଦୁର୍ଘଟଣା ଘଟିପାରେ। ଅଧିକ ଚିନ୍ତାଜନକ କଥା ହେଲା କାର୍ଯ୍ୟ ଦୀର୍ଘ ସମୟ ଧରି ବନ୍ଦ ଥିଲେ ବି କୌଣସି ପ୍ରକାର ସଚେତନତା ସାଇନ୍ବୋର୍ଡ, ବ୍ୟାରିକେଡ୍, ରିଫ୍ଲେକ୍ଟର୍ କିମ୍ବା ସୁରକ୍ଷା ବ୍ୟବସ୍ଥା ଦେଖିବାକୁ ମିଳୁନାହିଁ। ଅନ୍ୟପଟେ ଦୃତ ଗତିରେ ଚାଲୁଥିବା ଭାରୀ ଓ ହାଲୁକା ଯାନ ଛାତ୍ରଛାତ୍ରୀଙ୍କ ପାଇଁ ରାସ୍ତା ପାର୍ ହେବା ମାନେ ମୃତ୍ୟୁ ସହ ଲୁକାଚୁରି ଖେଳ। ସୂଚନା ଅନୁଯାୟୀ, ଏହି ରାସ୍ତାରେ ପୂର୍ବରୁ ଅନେକ ଛାତ୍ରଛାତ୍ରୀ ଦୁର୍ଘଟଣାର ଶିକାର ହୋଇଛନ୍ତି। କେହି ଗୁରୁତର ଆହତ, ତ କେହି ଅମୂଲ୍ୟ ଜୀବନ ହରାଇଥିବା ନଜିର ରହିଛି। ତଥାପି ନା ଠିକାଦାରଙ୍କ ଚେତନା ଫେରୁଛି, ନା ପ୍ରଶାସନର ନିଦ ଭାଙ୍ଗୁଛି। ଏବେ ପ୍ରଶ୍ନ ଉଠୁଛି କେବେ ଛାତ୍ରଛାତ୍ରୀଙ୍କ ଜୀବନକୁ ଗୁରୁତ୍ୱ ଦେବ ପ୍ରଶାସନ?କେବେ ସମାପ୍ତ ହେବ ଏହି ଜାତୀୟ ରାଜପଥ କାର୍ଯ୍ୟ? ଯଦି ଆଗାମୀ ଦିନରେ ଆଉ କୌଣସି ଦୁର୍ଘଟଣା ଘଟେ, ସେଥିପାଇଁ କିଏ ଦାୟୀ ରହିବ ଠିକାଦାର, ନା ପ୍ରଶାସନ? ଅଞ୍ଚଳବାସୀଙ୍କ ଦାବି ତୁରନ୍ତ ରାସ୍ତା କାର୍ଯ୍ୟ ସମାପ୍ତ କରାଯାଉ, ଖୋଲା ଡ୍ରେନ୍ ଉପରେ ସ୍ଲାବ୍ ବସାଯାଉ, ଏବଂ କଲେଜ୍ ନିକଟରେ ସୁରକ୍ଷିତ ପଦଯାତ୍ରୀ ବ୍ୟବସ୍ଥା କରାଯାଉ। ନହେଲେ, ଏହି ନିରବତା ଆଉ କେତେ ନିର୍ଦୋଷ ଜୀବନ ନେବ ସେ ପ୍ରଶ୍ନର ଉତ୍ତର କିଏ ଦେବ?