
ଚୌଦ୍ୱାର(ଶିବବ୍ରତ ଦାସ )ଚୌଦ୍ଵାର ସହର ଯେଉଁଠି ଦଳୀୟ ଏକତାର କଥା ମଞ୍ଚରେ କୁହାଯାଏ, ସେଠି ଏବେ ଭିତରୁ ଭିତରୁ ଫାଟିବାର ଶବ୍ଦ ଶୁଣାଯାଉଛି। ଚୌଦ୍ଵାର ରେ ଶାସନ କରୁଥିବା ମିନି ସରକାର ଦଳ ବିଜୁ ଜନତା ଦଳ (ବିଜେଡି) ଭିତରେ ଚାଲିଥିବା ଅନ୍ତଃକଳହ ଆଜି ଆଉ ଗୁପ୍ତ ରହିନାହିଁ। ଦଳୀୟ ଶୃଙ୍ଖଳାର ମୁହଁମୁହିଁ ଚିତ୍ର ପଛରେ ଏବେ ଖୋଲା ଆକାଶ ତଳେ କ୍ଷମତା ଲୋଭର ନଗ୍ନ ନୃତ୍ୟ ଚାଲିଛି। ଦୀର୍ଘ ଦିନ ଧରି ଦଳକୁ କାନ୍ଧ ଦେଇ ଚାଲିଥିବା କର୍ମୀମାନେ ଆଜି ପ୍ରଶ୍ନ କରୁଛନ୍ତି “ଦଳ ପାଇଁ କାମ କଲୁ, ନା କିଛି ବ୍ୟକ୍ତିଙ୍କ କ୍ଷମତା ଆସନ ପାଇଁ”? ଉତ୍ତର ଆଜି ସେମାନଙ୍କୁ ଅସୁବିଧା ଦେଉଛି। ଚର୍ଚ୍ଚା ଅଛି ଯେ, ଚୌଦ୍ଵାର ସହରର କିଛି ପ୍ରଭାବଶାଳୀ ବିଜେଡି ନେତା କ୍ଷମତାର ସିଢ଼ି ଚଡ଼ିବା ପାଇଁ ନିଜ ଦଳର ଆଦର୍ଶକୁ ଧୀରେଧୀରେ ଆଲମାରିରେ ରଖିଦେଉଛନ୍ତି। ଶାସକ ଦଳର ଉଚ୍ଚସ୍ତରୀୟ ନେତାଙ୍କ ସହ ନିକଟତା ବଢ଼ାଇବା ପାଇଁ ଯୋଜନା, ଗୁପ୍ତ ମିଟିଂ ଓ “ନିଷ୍ଠା ପ୍ରଦର୍ଶନ” ର ନୂଆ ନୂଆ ଫର୍ମୁଲା ଏବେ ଖୋଲା ରହସ୍ୟ। କିନ୍ତୁ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି କିଛି ଖବରଦାତାଙ୍କୁ ‘ହାତ କରି’ ନିଜ ଦଳର ଅନ୍ୟ ନେତା ଓ କର୍ମୀମାନଙ୍କୁ ବଦନାମ କରିବାକୁ ଚେଷ୍ଟା ଚଳାଇଛନ୍ତି ଅଞ୍ଚଳର କିଛି ବରିଷ୍ଠ ନେତା। ଯେଉଁ ସାମ୍ବାଦିକତା ସମାଜର ଆଇନା ହେବା ଉଚିତ୍, ସେଇ ଆଇନାକୁ କେହି କେହି ନିଜ ମୁହଁ ଦେଖିବା ପାଇଁ ନୁହେଁ, ଅନ୍ୟ ମାନଙ୍କ ମୁହଁ ବିକୃତ କରି ଦେଖାଇବା ପାଇଁ ବ୍ୟବହାର କରୁଛନ୍ତି ଏହାଠାରୁ ବଡ଼ ଲଜ୍ୟା ଆଉ କଣ ବା ହୋଇପାରେ।ଦଳୀୟ ମଞ୍ଚରେ ଏକତାର ଭାଷଣ, ଭିତରେ ଭିତରେ ପାଦ ଟଣାଟଣି। ମୁହଁରେ “ନବୀନ ଆଦର୍ଶ”, ହୃଦୟରେ “ମୋ ପଦ, ମୋ କ୍ଷମତା”। ଚୌଦ୍ଵାର ବିଜେଡି ଆଜି ଏମିତି ଏକ ନାଟକ ମଞ୍ଚ ହୋଇଯାଇଛି, ଯେଉଁଠି ମୁଖ୍ୟ ଅଭିନେତା ଏକାଧିକ, କିନ୍ତୁ ପେଟକଥା ଗୋଟିଏ ସେ ହେଉଛି କ୍ଷମତା। ଚୌଦ୍ଵାର କଟକ ବିଜେଡି ଦଳୀୟ ନେତୃତ୍ୱ ଯଦି ଏହି ସଙ୍କେତ ଗୁଡ଼ିକୁ ଏବେ ମଧ୍ୟ “ଗୁଞ୍ଜନ” ବୋଲି ଅବହେଳା କରିଚାଲିବେ, ତେବେ ଆସନ୍ତା ଦିନରେ ଏହି ଗୁଞ୍ଜନ ଏକ ରାଜନୈତିକ ବିସ୍ଫୋରଣର ଆକାର ନେଇପାରେ ଯାହାର ଆଘାତ କେବଳ ଚୌଦ୍ଵାର ନୁହେଁ, ସମଗ୍ର ନିର୍ବାଚନ ମଣ୍ଡଳୀକୁ ଅନୁଭବ ହେବ। ଏବେ ଗୋଟିଏ ପ୍ରଶ୍ନ ଦଳ ବଡ଼, ନା ବ୍ୟକ୍ତିଗତ କ୍ଷମତା ଲୋଭ? ଉତ୍ତର ଦେବ ସମୟ। କିନ୍ତୁ ସମୟ ଆସିବା ପୂର୍ବରୁ ଯଦି ସଚେତନତା ନଆସେ, ତେବେ ଚୌଦ୍ଵାର ବିଜେଡିର ଏହି ଫାଟ ଆଗାମୀକାଲି ଏକ ଗଭୀର ଧାଡ଼ରେ ପରିଣତ ହେବ। ଯାହାକୁ ମରାମତି କରିବା ସହଜ ହେବ ନାହିଁ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚ୍ଚା ହେଉଛି।