
ଚୌଦ୍ୱାର(ଶିବବ୍ରତ ଦାସ) ଚୌଦ୍ୱାର ସ୍ଥିତ ଇମ୍ଫା କାରଖାନାରେ ଜଣେ ଠିକା ଶ୍ରମିକ ମୃତ୍ୟୁକୁ ନେଇ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଜଣେ ଶ୍ରମିକଙ୍କ କାମ କରିବାକୁ ଆସି ଆଉ ଘରକୁ ଫେରିନଥିବା ଭଳି ଦୁଃଖଦ ଘଟଣା ଘଟିଛି ଚୌଦ୍ୱାର ଥାନା ଅନ୍ତର୍ଗତ ବାଣିପଦା ଚାଙ୍ଗୁଡ଼ିଆ ଗ୍ରାମରେ । ପୁଅର ଅସ୍ୱାଭାବିକ ମୃତ୍ୟୁକୁ ନେଇ ପରିବାର ଓ ସ୍ଥାନୀୟ ଲୋକେ ଆନ୍ଦୋଳନ ସହ ରାସ୍ତାରୋକ କରିଥିବା ଦେଖିବାକୁ ମିଳିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଚୌଦ୍ୱାରରେ ଅବସ୍ଥିତ ଇମ୍ଫା କମ୍ପାନୀ ଭିତରେ କାର୍ଯ୍ୟରତ ଠିକା ଶ୍ରମିକ ରାକେଶ ମୁଦୁଲିଙ୍କ ମୃତ୍ୟୁ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ମୃତ ଯୁବକ ଜଣଙ୍କ ବାଣୀପଦା ପଞ୍ଚାୟତର ଚାଙ୍ଗୁଡିଆ ଗ୍ରାମର ବୋଲି ଜଣାପଡ଼ିଛି। ସେ ପ୍ରତିଦିନ ପରି ଆଜି ମଧ୍ୟ ଇମ୍ଫା କମ୍ପାନୀକୁ କାମ କରିବାକୁ ଆସିଥିଲେ। ଦିନ ୧୨ ଘଟିକାରେ ମୃତ ଯୁବକ ରାକେଶଙ୍କ ବାପାଙ୍କୁ କମ୍ପାନୀ ତରଫରୁ ଫୋନ୍ କରାଯାଇଥିଲା କି ତୁମ ପୁଅ ଅସୁସ୍ଥ ହୋଇ ସ୍ଥାନୀୟ ଇ.ଏସ୍.ଆଇ ମେଡିକାଲ୍ରେ ଭର୍ତ୍ତି ହୋଇଛି। ପରିବାର ଲୋକ ମେଡିକାଲରେ ଆସି ଦେଖିବା ବେଳେକୁ ପୁଅର ମୃତ୍ୟୁ ହୋଇଛି। ପୁଅର ମୃତ୍ୟୁକୁ ନେଇ ପରିବାର ଲୋକ ସନ୍ଦେହ କରିଛନ୍ତି। ତାଙ୍କ ପୁଅ କମ୍ପାନୀର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ଏଥିସହିତ ମୃତ ଦେହକୁ ଆଣି କମ୍ପାନୀର ୨ ନମ୍ବର ଗେଟ୍ ସମ୍ମୁଖରେ ରଖି ଧାରଣା ଦେଇଛନ୍ତି। ଫଳରେ ଚାରବାଟିଆରୁ ଚୌଦ୍ୱାର ରାସ୍ତା ଅଚଳ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଏସିପି ଅରୁଣ ସ୍ବାଇଁଙ୍କ ନେତୃତ୍ୱରେ ଚୌଦ୍ୱାର ପୋଲିସ୍ ପହଁଞ୍ଚିଛି ଯେକୌଣସି ଅପ୍ରିତିକର ପରିସ୍ଥିତି ମୁକାବିଲା ନିମନ୍ତେ ସଜାଗ ରହିଛି । ଇତି ମଧ୍ୟରେ ପ୍ରାକ୍ତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ ଘଟଣାସ୍ଥଳ ରେ ପହଞ୍ଚି ଶୋକାକୁଳ ପରିବାରକୁ ସମବେଦନା ଦେବା ସହିତ ଆନ୍ଦୋଳନରତ ପରିବାରବର୍ଗ ଙ୍କ ପକ୍ଷ ରଖି କମ୍ପାନୀ କତ୍ତୃପକ୍ଷଙ୍କ ସହିତ ଆଲୋଚନା କିନ୍ତୁ ବିଳମ୍ବ ହେବାରୁ ଶ୍ରୀ ବିଶ୍ଵାଳ ନିଜେ ସେହି ଆନ୍ଦୋଳନ ରେ ବସି ରହିଲେ । ଦୀର୍ଘ ୬ ଘଣ୍ଟା ଧରି ଚୌଦ୍ଵାର ଚାରବାଟିଆ ରାସ୍ତା ବନ୍ଦ ରହିଥିଲା । ରାତ୍ର ୧୦ ଘଟିକା ସମୟରେ ରାକେଶ କାମ କରୁଥିବା ଠିକା ସଂସ୍ଥା ପକ୍ଷରୁ ତାଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଥିଲା । ଏହା ସହିତ ସେହି ଠିକା ସଂସ୍ଥା ରେ ତାଙ୍କ ପରିବାର ଜଣେ ସଦସ୍ୟ କୁ ଚାକିରି ଯୋଗାଇ ଦିଆଯିବାର ପ୍ରତିଶ୍ରୁତି ଦିଆଯିବା ପରେ ରାସ୍ତା ଅବରୋଧ ହଟିଥିଲା।