ପ୍ରଶାସନର ଅପାରଗତା ନା ଘରୋଇ କମ୍ପାନୀକୁ ସରକାରୀ ଜାଗା ଟେକିଦେବାର ମସୁଧା

ଚୌଦ୍ୱାର (ଶିବବ୍ରତ ଦାସ )ଏକଦା ଚୌଦ୍ୱାର କୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରାଇଥିଲେ ଓଟିମ, ଟିପିଏମ, ଲିବ୍ରା କାରପେଟସ ଓ କଳିଙ୍ଗ ଟ୍ୟୁବସ ଭଳି ଶିଳ୍ପାନୁଷ୍ଠାନ। ଏହି କମ୍ପାନୀରେ ଓଡ଼ିଆଙ୍କ ସହିତ ଅନେକ ଅଣ ଓଡ଼ିଆ କର୍ମଚାରୀ ମାନେ କାର୍ଯ୍ୟ କରୁଥିଲେ। ତେଣୁ ଇଂରାଜି ଭାଷାରେ ଏକ ବିଦ୍ୟାଳୟ ଖୋଲିବା ପାଇଁ ଚେଷ୍ଟା କରିଥିଲେ ପ୍ରବାଦ ପୁରୁଷ ସ୍ବର୍ଗୀୟ ବିଜୁ ପଟନାୟକ ଏବଂ ସଫଳ ହୋଇ କଳିଙ୍ଗ ପବ୍ଲିକ ସ୍କୁଲ ନାମରେ ବିଦ୍ୟାଳଟିକୁ ୧୯୬୯ ମସିହାରେ ପ୍ରତିଷ୍ଠିତ କରାଇଥିଲେ କାରଣ ତାଙ୍କର ଆଶା ଥିଲା ଓଡ଼ିଆ ପିଲା ଇଂରାଜୀ ରେ ପାଠ ପଢି ବିଦେଶରେ ନାମ କରିବେ ମାତ୍ର ବିଜୁ ବାବୁଙ୍କ ହାତ ତିଆରି ସ୍କୁଲ ଆଜି ନିଜର ଅସ୍ଥିତ୍ୱ ଖୋଜୁଛି ସରକାରୀ କାର୍ଯ୍ୟାଳୟରେ କବାଟ ବାଡେଇ ବାଡେଇ । ଉର୍ନତ ଭିତିଭୂମି ଥିବା ସ୍ଥଳେ କୌଣସି ଉର୍ନତିମୂଳକ କାର୍ଯ୍ୟ ହୋଇ ପାରୁନି ସ୍କୁଲର । ବିନା ପ୍ରଧାନ ଶିକ୍ଷକ ରେ ଚାଲୁଛି ସ୍କୁଲ ନା ଅଛନ୍ତି ଶିକ୍ଷକ ନା ଅଛି ଭିତିଭୂମି ନା ଅଛି ପିଲାଙ୍କ ପାଇଁ ପର୍ଯ୍ୟାପ୍ତ ବେଞ୍ଚ ଡେସ୍କ ଓ ଶ୍ରେଣୀଗୃହ ନା ଅଛି ସ୍ମାର୍ଟ କ୍ଲାସରୁମ ସହିତ କମ୍ୟୁଟର ଶ୍ରେଣୀ, ସାଇନ୍ସ ଲାବୋରାଟାରୀ ଓ ଲାଇବ୍ରେରୀ। ଗତ ନବୀନ ସରକାରଙ୍କ ଅମଳରେ ପାଇଥିଲା 5T ର ସ୍ୱୀକୃତି ମାତ୍ର କାଗଜ କଲମରେ। ଚୌଦ୍ୱାରର ଅନେକ ସ୍କୁଲ ଏହି ଯୋଜନାରେ ସଫଳ ହୋଇଥିଲା ବେଳେ ଏହି ସ୍କୁଲ ରହିଯାଇଥିଲା ଅନେକ ପଛରେ କାରଣ କଣ ଶିକ୍ଷା ବିଭାଗର ଅପାରଗତା ନା ନିର୍ବାଚିତ ଲୋକ ପ୍ରତିନିଧିଙ୍କ ଘରୋଇ କମ୍ପାନୀ ପ୍ରୀତି ନା ଯେଉଁ ଘରୋଇ କମ୍ପାନୀ ପରିସରରେ ଏହି ସ୍କୁଲଟି ଅଛି ତାର ଜାଗା ପ୍ରତି ଲୋଭ ଯାହାକି ଏହି ସ୍କୁଲଟିର ସ୍ଥିତି ଦିନକୁ ଦିନ ତଳକୁ ନେଇଯାଉଛି। 5T ପରେ ଏବେ ପିଏମଶ୍ରୀ ଯୋଜନା ଆସିଥିଲେଭି ସ୍କୁଲର ଭାଗ୍ୟ ଯଥା ପୂର୍ବମ ତଥା ପରମ। ଯାହାକୁ ନେଇ ସ୍କୁଲର ଛାତ୍ର ଛାତ୍ରୀ ଏକାଠି ହୋଇ କଟକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ୮ଦଫା ସମ୍ବଳିତ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀ ଦାବୀ ପତ୍ର ଗ୍ରହଣ କରିବା ସହିତ ଆଗାମୀ ସପ୍ତାହକ ମଧ୍ୟରେ ଏହାର ସମାଧାନ ଦିଗରେ ବ୍ୟବସ୍ଥା କରାଯିବାର ପ୍ରତିଶୃତି ଦେଇଥିବାର ଜଣା ପଡିଛି। କିନ୍ତୁ ପ୍ରଶ୍ନ ଉଠେ କଣ ପାଇଁ ଏହି ସ୍କୁଲର ଭିତିଭୂମି ସଜାଡ଼ିଦେବାକୁ କିଏ ଓ କାହିଁକି ଦେଉନାହାନ୍ତି ନା ପ୍ରଶାସନ, ରାଜନେତା ଓ ଘରୋଇ କମ୍ପାନୀ ମଧ୍ୟରେ କିଛି ଡିଲ ହୋଇଛିକି ସ୍କୁଲଟି ବନ୍ଦ ହୋଇଗଲେ ଉକ୍ତ ଜାଗାକୁ ଘରୋଇ କମ୍ପାନୀ ନିଜ ଅକ୍ତିଆରକୁ ନେବ । ଶିକ୍ଷାକୁ ଗୁରୁତ୍ୱ ଦେଉଥିବା ମୋହନ ସରକାର କଣ ବିଜୁ ବାବୁଙ୍କ ହାତ ଗଢ଼ା ସ୍କୁଲକୁ ନିଜର ଅସ୍ଥିତ୍ୱ ଫେରାଇବେ ନା ପିଲାଙ୍କ ଭବିଷ୍ୟତକୁ ବୁଡାଇଦେବେ ତାହା ଆଗାମୀ ସମୟ କହିବ।