ସିନାପାଲି–ଖଡ଼ିଆଳ ରାସ୍ତା କାମରେ ଅବ୍ୟବସ୍ଥା : ଧୂଳି, ଦୁର୍ଘଟଣା ଓ ଲୋକଙ୍କ ଦୁର୍ଭୋଗ ବଢ଼ୁଛି

ନୂଆପଡା ଜିଲ୍ଲା (ପରମେଶ୍ୱର ମେହେର) ସିନାପାଲି ଠାରୁ ଖଡ଼ିଆଳ ପର୍ଯ୍ୟନ୍ତ ଚାଲୁଥିବା ରାସ୍ତା ନିର୍ମାଣ କାମକୁ ନେଇ ସ୍ଥାନୀୟ ଲୋକମାନଙ୍କ ଅସନ୍ତୋଷ ଦିନକୁ ଦିନ ବଢ଼ୁଛି । ଉନ୍ନତି ନାମରେ ଆରମ୍ଭ ହୋଇଥିବା କାମ ଏବେ ସାଧାରଣ ଜନଜୀବନ ପାଇଁ ଦୁର୍ଭୋଗର କାରଣ ହୋଇପଡ଼ିଛି ବୋଲି ଅଭିଯୋଗ ଉଠୁଛି । ରାସ୍ତା ଖୋଳାଯାଉଛି କିନ୍ତୁ ପୂର୍ବ ସତର୍କ ସୂଚନା ନଥିବାରୁ ଯାତ୍ରୀ ଓ ଚାଳକମାନେ ଅସୁବିଧାରେ ପଡ଼ୁଛନ୍ତି । ଅନେକ ସ୍ଥାନରେ ରାସ୍ତା ଦୁଇ ପାର୍ଶ୍ୱରେ ମାଟି ଖୋଦାଯାଇଥିଲେ ମଧ୍ୟ କୌଣସି ସାଇନବୋର୍ଡ କିମ୍ବା ସତର୍କତା ଚିହ୍ନ ଦେଖିବାକୁ ମିଳୁନାହିଁ । ଏହା ଯୋଗୁଁ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବାବେଳେ କିଛି ଦିନ ପୂର୍ବରୁ ଧାନ ବୋଝେଇ ଏକ ଟ୍ରକ ଓଲଟି ପଡ଼ିଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି ।ଖୋଳାଯାଇଥିବା ରାସ୍ତାରେ ଶୀଘ୍ର ମେଟାଲ ପୋତାଯାଉନଥିବାରୁ ଧୂଳିର ତୀବ୍ର ସମସ୍ୟା ସୃଷ୍ଟି ହୋଇଛି । ପାଣି ଛିଞ୍ଚାଯାଉନଥିବାରୁ ଧୂଳି ମେଘ ମଧ୍ୟରେ ଯାତାୟାତ ହେଉଛି । ସିନାପାଲିରୁ ଖଡ଼ିଆଳ ପର୍ଯ୍ୟନ୍ତ ଯାତ୍ରୀମାନେ ଧୂଳିରେ ଆବୃତ ହୋଇ ଘରକୁ ଫେରୁଛନ୍ତି । ଏହା ସ୍ୱାସ୍ଥ୍ୟ ଜନିତ ଝୁମ୍ପ ବଢ଼ାଇଦେଉଛି । ରାସ୍ତା କାମରେ ନିୟୋଜିତ ମେଟାଲ, ମାଟି ଓ ଅନ୍ୟାନ୍ୟ ସାମଗ୍ରୀ ବୋଝେଇ ଟ୍ରକ ଓ ଟ୍ରାକ୍ଟରମାନେ ବେପାରୁଆ ଭାବେ ଚଳାଚଳ କରୁଥିବାରୁ ଦୁର୍ଘଟଣା ସମ୍ଭାବନା ଆହୁରି ବଢ଼ିଛି । ଅନେକ ସ୍ଥାନରେ ରାସ୍ତା ଉପରେ ମେଟାଲ ଉଠିପଡ଼ି ଯାନବାହନ ଚଳାଚଳକୁ ବାଧା ସୃଷ୍ଟି କରୁଛି । ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ଉଠାଯାଇଥିବା ଆଉ ଏକ ଗମ୍ଭୀର ଚିନ୍ତା ନିର୍ମାଣ କାର୍ଯ୍ୟର ଗୁଣବତ୍ତା ସହିତ ଜଡିତ । ଏପରି ଆଶଙ୍କା ରହିଛି ଯେ ଯଦି ନିମ୍ନମାନର କାମ ହୁଏ, ତେବେ ରାସ୍ତା ଶୀଘ୍ର ଖରାପ ହୋଇପାରେ । ଲୋକମାନେ ଅନୁଭବ କରୁଛନ୍ତି ଯେ ପ୍ରଶାସନ କାର୍ଯ୍ୟର ଗୁଣବତ୍ତା ଉପରେ କଡ଼ା ନଜର ରଖିବା ଉଚିତ । ରାସ୍ତା କଡରେ ଥିବା ଗଣ୍ଡାବାହାଲି, ଡୁଆଝର, ବରଗାଁ ଆଦି ଗ୍ରାମରେ ଜବରଦଖଲ ଉଛେଦ ନ ହେବାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । କାହାର ଚାପରେ ପ୍ରଶାସନ ଚୁପ ରହିଛି କି, ଏହାକୁ ନେଇ ଲୋକମାନେ ଚର୍ଚ୍ଚା କରୁଛନ୍ତି । ସେପରି ଗଣ୍ଡାବାହାଲି ଓ ଡୁଆଝରର ଅଣଓସାରିଆ ପୋଲକୁ ଓସାରିଆ କରିବାକୁ ଲୋକମାନଙ୍କ ଦାବୀ ରହିଛି । ସାରକଥା, ଏକ ପକ୍ଷରେ ରାସ୍ତା ନିର୍ମାଣ କାମ ଚାଲୁଥିବାବେଳେ ଅନ୍ୟ ପକ୍ଷରେ ସୁରକ୍ଷା, ସ୍ୱାସ୍ଥ୍ୟ ଓ ଯାତାୟାତ ବ୍ୟବସ୍ଥା ପ୍ରତି ଅବହେଳା ଚିନ୍ତାଜନକ ଅବସ୍ଥା ସୃଷ୍ଟି କରିଛି । ଲୋକମାନଙ୍କ ପ୍ରଶ୍ନ, ରାସ୍ତା କାମ କେବେ ସରିବ ? ଏବଂ ଲୋକଙ୍କ ସୁରକ୍ଷା ପ୍ରତି ପ୍ରଶାସନ କେବେ ଗୁରୁତ୍ୱ ଦେବ ?