ନୂଆପଡ଼ାରେ ସାମାଜିକ ସୁରକ୍ଷା ଯୋଜନାର ସମୀକ୍ଷା କଲେ ଜିଲ୍ଲାପାଳ l ଜିଲ୍ଲାରେ ଆରମ୍ଭ ହେବ” ଦିବ୍ୟାଙ୍ଗ ସହାୟତା ଅଭିଯାନ” l ପ୍ରଥମ “ଦିବ୍ୟାଙ୍ଗ ମିତ୍ର ପୁରସ୍କାର ” ରେ ପିଲାଲାଲ ଜଗତ ସମ୍ମାନିତ ହେଲେ

ନୂଆପଡ଼ା, ୦୬/୦୨ (ପରମେଶ୍ୱର ମେହେର, ନୂଆପଡ଼ା ଜିଲ୍ଲା ପ୍ରତିନିଧି):
ନୂଆପଡା ଜିଲ୍ଲାରେ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟାବଳୀର ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି l ପ୍ରାରମ୍ଭରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ କୁମାର ହେମ୍ବ୍ରମ ସମସ୍ତଙ୍କୁ ସ୍ଵାଗତ କରି ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ବୈଠକରେ ଦିବ୍ୟାଙ୍ଗଙ୍କ ପାଇଁ ଦିନଟିଏ ଓ ବିଧବା ସହାୟତା ଯୋଜନାରେ କଣ ଅଗ୍ରଗତି ହୋଇଛି ଜିଲ୍ଲାପାଳ ଜାଣିବାକୁ ଚାହିଁଥିଲେ l ସମୀକ୍ଷାରୁ ଜଣାଗଲାଯେ ଜିଲ୍ଲାରେ ମଧୁବାବୁ ପେନସନ ଯୋଜନାରେ ୬୧,୩୬୧ ଜଣ ଏବଂ ଜାତୀୟ ପେନସନ ଯୋଜନାରେ ୪୯,୪୧୮ ଜଣ ହିତାଧୀକାରୀ ସୁବିଧା ପାଉଛନ୍ତି l ଭତ୍ତା ପାଇବା ପାଇଁ ଆବେଦନ କରିଥିବା ୧୯୨ ଜଣଙ୍କ ମଧ୍ୟରୁ ୧୫୭ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ଯୋଗାଇ ଦିଆ ଯାଇଛି l ଭିନ୍ନକ୍ଷମ ୫୬ ଟି ଦମ୍ପତ୍ତି ଙ୍କୁ ଗତବର୍ଷ ଦୁଇ ଲକ୍ଷ ପଚାଶ ହଜାର ଟଙ୍କା ହିସାବରେ ମୋଟ ଏକ କୋଟି ୪୦ଲକ୍ଷ ଟଙ୍କା ସହାୟତା ପ୍ରଦାନ କରା ଯାଇଛି l ୪୧ ଜଣ ଭିନ୍ନକ୍ଷମ ପରିବାରର ଛାତ୍ର ଛାତ୍ରୀଙ୍କୁ ୧୨,୨୩,୫୧୦ ଟଙ୍କା ବୃତ୍ତି ଦିଆ ଯାଇଛି l ବାଣୀଶ୍ରୀ ଯୋଜନାରେ ୪୬୨ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ବୃତ୍ତି ପାଇଁ ଆବେଦନ କରିଛନ୍ତି l ଜିଲ୍ଲାରେ ୧୦୪ ଜଣ ତୃତୀୟ ଲିଙ୍ଗୀ ଙ୍କୁ ଚିହ୍ନଟ କରି ୭୧ ଜଣଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଛି l ବିଧବା ସହାୟତା ଯୋଜନା ପାଇଁ ଜିଲ୍ଲାରେ ୧୮,୯୩୨ ଜଣଙ୍କୁ ଚିହ୍ନଟ କରା ଯାଇଛି l ଜିଲ୍ଲାପାଳ ଉପସ୍ଥିତ ଅଧିକାରୀ ମାନଙ୍କୁ କହିଲେ ଯେ ଜିଲ୍ଲାରେ ଖୁବ୍ ଶୀଘ୍ର ବିଧବା ଓ ଭିନ୍ନକ୍ଷମ ମାନଙ୍କ ଏକ ଡାଟା ବେସ ତିଆରି ହେବ l ଏହାଦ୍ଵାରା ସେମାନଙ୍କୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନାର ସମସ୍ତ ଲାଭ ପହଞ୍ଚାଇ ଦିଆଯିବ l ଏହା ସହିତ ସେମାନଙ୍କ ଉନ୍ନତ ଜୀବନ ଯାପନ ପାଇଁ ବିଭିନ୍ନ ଲାଇନ୍ ବିଭାଗ ସହାୟତା ଯୋଗାଇ ଦେବେ l
ଏହି ଅବସରରେ ନୂଆପଡ଼ା ଜିଲ୍ଲାରେ ଆରମ୍ଭ ହୋଇଥିବା ” ଦିବ୍ୟାଙ୍ଗ ମିତ୍ର ପୁରସ୍କାର ” ପ୍ରଥମ ଥର ପାଇଁ ଶ୍ରୀ ପିଲାଲାଲ ଜଗତ, ଗ୍ରାମ ହଳଦୀ, ଡୁମରପାଣି ପଞ୍ଚାୟତ ଙ୍କୁ ଜିଲ୍ଲାପାଳ ପ୍ରଦାନ କରିଥିଲେ l ଦିବ୍ୟାଙ୍ଗ ଜନଙ୍କ ସାମାଜିକ ସଶକ୍ତିକରଣ, ମର୍ଯ୍ୟାଦା ଓ ସମାବେଶ ନିମନ୍ତେ ତାଙ୍କର ଅସାଧାରଣ ନିଷ୍ଠା, ସମର୍ପଣ ଓ ମାନବିକ ସେବା ପାଇଁ ଏହି ପ୍ରଶଂସା ପତ୍ର ପ୍ରଦାନ କରାଯାଇଛି। ସେ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ଦୈନନ୍ଦିନ ସମସ୍ୟାର ସମାଧାନରେ ସହଯୋଗ କରିବା ସହିତ ବିଭିନ୍ନ ସରକାରୀ କଲ୍ୟାଣକାରୀ ଯୋଜନା, ସୁବିଧା ଓ ଅଧିକାର ଉପଲବ୍ଧ କରାଇବାରେ ଅମୂଲ୍ୟ ଅବଦାନ ରଖିଛନ୍ତି।ଏହିଭଳି ପ୍ରତି ମାସରେ ଦିବ୍ୟାଙ୍ଗ ଲୋକଙ୍କୁ ସହାୟତା ପ୍ରଦାନ କରୁଥିବା ବିଭିନ୍ନ ବ୍ୟକ୍ତିଙ୍କୁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିବେ।ସିନାପାଲି ବ୍ଲକ୍, ସାଗୁନବାଡି ଗ୍ରାମର ଭିନ୍ନକ୍ଷମ ଛାତ୍ର ଖଗେଶ୍ବର ତୋଲତିଆଙ୍କୁ ଜିଲ୍ଲାପାଳ ଲାପ୍ ଟପ୍ ପ୍ରଦାନ କରିଥିଲେ l
ଆଜି ବୈଠକରେ ଉପ ଜିଲ୍ଲାପାଳ ସୁର୍ମୀ ସୋରେନ୍, ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଦ୍ବାରିକାନାଥ ଶତପଥୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସ୍ମୃତି ରେଖା ନନ୍ଦ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଏଵଂ ବିଭାଗୀୟ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।